Categories: ଖେଳ

ବିଦେଶରେ ପନ୍ତଙ୍କ ୧୦୦୦ ଟେଷ୍ଟ ରନ

ଲଡର୍‌ସ,୧୪।୮: ଭଲ ଆରମ୍ଭ ପାଇଲା ପରେ ମଧ୍ୟ ବିଫଳ ହୋଇଛନ୍ତି ଭାରତୀୟ ଉଇକେଟକିପର ଓ ବ୍ୟାଟ୍ସମ୍ୟାନ ରିଷଭ ପନ୍ତ। ୫୮ ବଲରେ ୫ ଚୌକା ସହାୟତାରେ ପନ୍ତ ଖେଳିଥିଲେ ୩୭ ରନ୍‌ର ଇନିଂସ। ଏହି ଅବସରରେ ପନ୍ତ ବିଦେଶରେ ୧୦୦୦ ଟେଷ୍ଟ ରନ ପୂରଣ କରିଛନ୍ତି। ବିଦେଶ ମାଟିରେ ସେ ମୋଟ ୧୦୧୧ ରନ ସଂଗ୍ରହ କରିଛନ୍ତି। ସେ ଭାରତର ଚତୁର୍ଥ ଉଇକେଟକିପର ବ୍ୟାଟ୍ସମ୍ୟାନ ଭାବେ ଏହି ସଫଳତା ପାଇଛନ୍ତି। ତାଙ୍କ ପୂର୍ବରୁ ମହେନ୍ଦ୍ର ସିଂ ଧୋନୀ (୨,୪୯୬ ରନ), ଫାରୁକ ଇଞ୍ଜିନିୟର (୧,୨୦୯ରନ) ଓ ସୟଦ କିରମାନୀ (୧,୧୦୯) ଏହି ମାଇଲଖୁଣ୍ଟ ଅତିକ୍ରମ କରିଥିଲେ। ରୋହିତ ଶର୍ମାଙ୍କ ପରେ ପନ୍ତ ଦ୍ୱିତୀୟ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ଚଳିତବର୍ଷ ୬୦୦ ଟେଷ୍ଟ ରନ ପୂରଣ କରିଛନ୍ତି। ଏହି ଦୁଇଜଣଙ୍କୁ ବାଦ୍‌ ଦେଲେ ବିଶ୍ୱର ଅନ୍ୟ ୩ଜଣ ବ୍ୟାଟ୍ସମ୍ୟାନ ଜୋ ରୁଟ୍‌ (୧୦୬୪), ଲାହିରୁ ଥିରିମାନେ (୬୫୯ ରନ) ଓ ଦିମୁଥ କରୁଣାରତ୍ନେ (୬୨୪ ରନ) ଚଳିତ ବର୍ଷ ୬୦୦ ଟେଷ୍ଟ ରନ ପୂରଣ କରିଛନ୍ତି।

Share