Categories: ଖେଳ

ଟିମ୍‌ ଇଣ୍ଡିଆକୁ ଐତିହାସିକ ବିଜୟ ଆଶା ଦେଲା ପନ୍ତଙ୍କ ଶତକ

କେପ୍‌ ଟାଉନ,୧୩।୧: ଏଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍‌ର ଦ୍ୱିତୀୟ ଇନିଂସରେ ବିସ୍ଫୋରକ ଶତକ ହାସଲ କରିଛନ୍ତି ଭାରତୀୟ ଉଇକେଟକିପର ବ୍ୟାଟର ରିଷଭ ପନ୍ତ। ତାଙ୍କର ଶତକୀୟ ପାଳି ଟିମ୍‌ ଇଣ୍ଡିଆକୁ ଆଣି ଦେଇଛି ଐତିହାସିକ ସିରିଜ୍‌ ବିଜୟ ଆଶା। ତାଙ୍କ ଯୋଗୁ ଭାରତୀୟ ଦଳ ତା’ର ଦ୍ୱିତୀୟ ପାଳିରେ ୧୯୮ ରନ୍‌ କରିବାକୁ ସକ୍ଷମ ହୋଇଛି। ଫଳରେ ଦକ୍ଷିଣ ଆଫ୍ରିକା ଆଗରେ ଛିଡ଼ା ହୋଇଛି ୨୧୨ ରନ୍‌ର ବିଜୟ ଲକ୍ଷ୍ୟ। ପୂର୍ବରୁ ପ୍ରଥମ ଇନିଂସରେ ଭାରତ ୨୨୩ ରନ୍‌ କରିଥିବା ବେଳେ ୨୧୦ ରନ୍‌ରେ ସୀମିତ ରହିଥିଲା ଘରୋଇ ଦକ୍ଷିଣ ଆଫ୍ରିକା।

ତୃତୀୟ ଦିନ ଖେଳ ଆରମ୍ଭ ହେବାର ୧୦ ମିନିଟ୍‌ ମଧ୍ୟରେ ପ୍ୟାଭିଲିଅନ ଫେରିଥିଲେ ଚେତେଶ୍ୱର ପୂଜାରା (୯) ଓ ଅଜିଙ୍କ୍ୟ ରାହାନେ (୧)। ଫଳରେ ୫୭/୨ରୁ ଅସମାପ୍ତ ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଥିବା ଟିମ୍‌ ଇଣ୍ଡିଆର ସ୍କୋର ୫୮/୪ ହୋଇଯାଇଥିଲା। ଏଭଳି ସଙ୍କଟ ଜନକ ପରିସ୍ଥିତିରେ କ୍ରିଜ୍‌କୁ ଆସିଥିଲେ ପନ୍ତ। ପ୍ରଥମେ ଅଧିନାୟକ ବିରାଟ କୋହଲିଙ୍କ ସହ ମିଶି ୫ମ ଉଇକେଟ ପାଇଁ ୯୪ ରନ୍‌ ଯୋଡ଼ିଥିଲେ। କୋହଲି (୨୯) ଆଉଟ୍‌ ହେବା ପରେ ଗୋଟିଏ ପଟେ ପନ୍ତ ଆଟାକିଂ ବ୍ୟାଟିଂ କରୁଥିବା ବେଳେ ଅନ୍ୟ ପଟେ ଉଇକେଟ ପଡ଼ିବା ଜାରି ରହିଥିଲା। ଦଳର ୩ ଖେଳାଳିଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ସ୍କୋର ଛୁଇଁ ପାରି ନ ଥିଲେ। ଏଭଳି ବିପରିତ ପରିସ୍ଥିତି ସତ୍ତ୍ୱେ ସେ ପୂରଣ କରିଥିଲେ କ୍ୟାରିୟରର ୪ର୍ଥ ଶତକ। ତାଙ୍କ ପାଳିରେ ସାମିଲ ଥିଲା ୬ ଚୌକା ଓ ୪ ଛକା। ଘରୋଇ ଦଳ ପାଇଁ ମାର୍କୋ ଜାନସେନ ୪ ଉଇକେଟ ନେଇଥିବା ବେଳେ କାଗିସୋ ରବାଡା ଓ ଲୁଙ୍ଗି ଏନ୍‌ଗିଡି ୩ ଲେଖାଏ ସଫଳତା ପାଇଥିଲେ।

Share