ପାରିକରିବେ ଭୋଳାଶଙ୍କର ୨

ଜୀ-ସାର୍ଥକ ବ୍ୟାନରରେ ପ୍ରସ୍ତୁତ ଆଉ ଏକ ଭିନ୍ନ ଧରଣର ଓଡ଼ିଆ ସିନେମା ‘ପାରିକରିବେ ଭୋଳାଶଙ୍କର ୨’ ଚଳିତ ମାସ ୯ ତାରିଖ ଅର୍ଥାତ ଆଜି ପ୍ରସାରିତ ହେବ। ଅନ୍ୟତମ ଦର୍ଶକାଦୃତ ଚ୍ୟାନେଲ ଜୀ ସାର୍ଥକରେ ଏହାକୁ ସନ୍ଧ୍ୟା ୬.୩୦ରେ ଦେଖିବାକୁ ପାଇବେ। କାହାଣୀ ଅନୁସାରେ ଡାକ୍ତର ପ୍ରଭାକର ସଞ୍ଜିବନୀ ତିଆରି କରିଛନ୍ତି ଏମିତି ଏକ ଫର୍ମୁଲା ଯାହା ଯେକୌଣସି ବିଷକୁ କାଟି ପାରିବ। କିନ୍ତୁ ସେହି ଫର୍ମୁଲାକୁ ମନ୍ଦ ଉଦ୍ଦେଶ୍ୟ ରଖିଥିବା ଡାକ୍ତର ରୟଙ୍କ ପାଖରୁ ବଞ୍ଚାଇବାକୁ ଯାଇ ହଜାଇ ଦେଇଛନ୍ତି ନିଜ ପୁଅକୁ। କିନ୍ତୁ ଭୋଳାଶଙ୍କରଙ୍କ ଆଶୀର୍ବାଦରୁ କାଳକ୍ରମେ ସେହି ପୁଅ ବଡ ହେଇଛି। ପୁଅଟିର ନଁା ହେଉଛି ଶଙ୍କର ଏବଂ ତା ପାଖରେ ଅଛି ଚମତ୍କାର ଶକ୍ତି, ଯାହାକୁ ସେ କେବଳ ଲୋକଙ୍କ ଭଲ ପାଇଁ ବ୍ୟବହାର କରିଛି। ହେଲେ ତାର ଚମତ୍କାର ଶକ୍ତି କଥା ଡାକ୍ତର ରୟଙ୍କ କାନରେ ପଡିଛି। ଆଉ ସେ ବିଳମ୍ବ ନ କରି ଶଙ୍କର କିଏ ଏବଂ ତା’ର ଚମତ୍କାର ଶକ୍ତି ବିଷୟରେ ଜାଣିବାକୁ ସେ ଲାଗି ପଡିଛନ୍ତି। ତେବେ ସେ ଏଥିରେ ସଫଳ ହେଉଛନ୍ତି ତ ? ପୁଣି ଡାକ୍ତର ପ୍ରଭାକର କ’ଣ ନିଜ ପୁଅକୁ ଫେରିପାଉଛନ୍ତି? ଏସବୁର ଉତ୍ତର ଏହି ସିନେମାରେ ରହିଛି।
ଏହାର କାହାଣୀ ରଚନା କରିଛନ୍ତି ପ୍ରିୟବ୍ରତ। ଏଥିରେ ଲିପିକା ସେନାପତି ଅପର୍ଣା ଚରିତ୍ରରେ ଅଭିନୟ କରୁଥିବାବେଳେ କାହାଣୀର ନାୟକ ସାଜିଛନ୍ତି ରାକେଶ ଦେଓ। ଅନ୍ୟପକ୍ଷରେ ପ୍ରଦ୍ୟୁମ୍ନ ଲେଙ୍କା ଏବଂ ସୋମୁଙ୍କୁ ମଧ୍ୟ ଏଥିରେ ଦେଖିବାକୁ ମିଳିବ। ମୃତ୍ୟୁଞ୍ଜୟ ସାହୁ ଓ ସୁନିଲ କୁମାର ପଟ୍ଟନାୟକଙ୍କ ପ୍ରଯୋଜିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ମୃତ୍ୟୁଞ୍ଜୟ ସାହୁ(ବାପି)। ଗୀତଗୁଡିକୁ ସ୍ବର ଦେଇଛନ୍ତି ଅନ୍ୟତମ ଆଗଧାଡିର ସ୍ବର ସଂଯୋଜକ ପ୍ରଶାନ୍ତ ପାଢ଼ୀ।
ଫିଲ୍ମର କାହାଣୀଟି ଯେତିକି ଉତ୍ସାହରେ ଭରି ରହିଛି, ସେତିକି ଉତ୍କଣ୍ଠାପୂର୍ଣ୍ଣ ମଧ୍ୟ। ଦର୍ଶକଙ୍କୁ ଏହି କାହାଣୀ ନିଶ୍ଚୟ ଛୁଇଁବ ବୋଲି ଆଶା ରଖିଛନ୍ତି ଜୀ ସାର୍ଥକ ଚ୍ୟାନେଲର ଚିଫ୍‌ ଚ୍ୟାନେଲ ଅଫିସର ପ୍ରତୀକ ସିଲ୍‌।

Share