Categories: ଜାତୀୟ

ଗୋଟିଏ ଗୋଡ଼ରେ ୨୮୦୦ କିମି ଯାତ୍ରାକରି ରେକର୍ଡ

ଭୋପାଳ, ୧୨।୧: ମଧ୍ୟପ୍ରଦେଶର ପାରା ସାଇକେଲ ଚାଳକ ତାନ୍ୟା ଡାଗା ଇତିହାସ ସୃଷ୍ଟି କରିଛନ୍ତି। ସେ ୪୨ ଦିନରେ ସାଇକେଲ ଯୋଗେ ୨୮୦୦ କିମି ଯାତ୍ରା କରିଛନ୍ତି। ଏହି ୪୨ ଦିନରେ ତାନ୍ୟା ଜାମ୍ମୁ କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଦୂରତା ଅତିକ୍ରମ କରିଥିଲେ। ଏ ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ତାନ୍ୟାଙ୍କର ପ୍ରଶଂସା କରି ଲେଖିଛନ୍ତି, ସାହସ ଏବଂ ଧର୍ଯ୍ୟ ଥିଲେ ସବୁ ବାଧା ଦୂର ହୋଇଯାଏ। ଆମର ପାରା ସାଇକେଲ ଚାଳକ ଝିଅ ତାନ୍ୟା ଜାମ୍ମୁ କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଦୂରତା ଅତିକ୍ରମ କରି ମଧ୍ୟପ୍ରଦେଶର ସର୍ବୋଚ୍ଚ ଗୌରବ ଅର୍ଜନ କରିଛନ୍ତି। ଜୀବନର ପ୍ରତ୍ୟେକ ଚ୍ୟାଲେଞ୍ଜକୁ ପରାସ୍ତ କରି ଏହିପରି ଆଗକୁ ଚାଲୁ ରଖ ବୋଲି ମୁଖ୍ୟମନ୍ତ୍ରୀ ଶୁଭେଚ୍ଛାରେ ଲେଖି ଜଣାଇଛନ୍ତି।

ତାନ୍ୟା ଅଭିଯାନରେ ଥିବାବେଳେ ତାଙ୍କ ବାପାଙ୍କ ମୃତ୍ୟୁ ଘଟିଥିଲା। ସେ ଏକ ସପ୍ତାହ ପାଇଁ ଘରକୁ ଫେରିଥିଲେ। ପରେ ପୁଣି ଥରେ ନିଜର ଯାତ୍ରା ଆରମ୍ଭ କରି ମିଶନ ଶେଷ କଲେ। ଉକ୍ତ ଅଭିଯାନ ଇନ୍‌ଫିନିଟି କେ୨କେ ୨୦୨୦ର ଏକ ଅଂଶ ଥିଲା।
୩୦ ସଦସ୍ୟ ବିଶିଷ୍ଟ ଏହି ଦଳର ତାନ୍ୟା ଏକ ମାତ୍ର ପାରା ସାଇକେଲ ଚାଳକ ଥିଲେ। ସାରା ଭାରତରେ ପାରା ସ୍ପୋର୍ଟସ ବିଷୟରେ ଅର୍ଥ ସଂଗ୍ରହ କରିବା ଏବଂ ସଚେତନତା ସୃଷ୍ଟି କରିବା ଏହି ଚ୍ୟାରିଟି ମିଶନର ଲକ୍ଷ୍ୟ ଥିଲା। ଏହା ଆଦିତ୍ୟ ମେହେଟ୍ଟା ଫାଉଣ୍ଡେଶନ ଏବଂ ବିଏସ୍‌ଏଫ ଦ୍ୱାରା ଆୟୋଜନ ହୋଇଇଥିଲା।

Share