ଛାତ ଭାଙ୍ଗି ରୋଷେଇ ଘରେ ଲ୍ୟାଣ୍ଡିଂ କଲେ ସୈନ୍ୟ

ଓ୍ବାଶିଂଟନ୍‌,୧୨।୭: ଆମେରିକାର ଦକ୍ଷିଣ କାଲିଫର୍ନିଆରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ପାରାଚ୍ୟୁଟ ଟ୍ରେନିଂ ନେଉଥିବା ଜଣେ ସୈନ୍ୟ ଭୁଲରେ ଏକ ଘରର ଛାତ ଉପରେ ଲ୍ୟାଣ୍ଡିଂ କରିଥିଲେ। ଏହାପରେ ଘରର ଛାତକୁ ଭାଙ୍ଗି ସୈନ୍ୟ ଜଣକ ସିଧା ପହଞ୍ଚିଥିଲେ ରୋଷେଇ ଘରେ। ହେଲେ ଭାଗ୍ୟ ଭଲ ସେହି ସମୟରେ ଘରେ କେହି ନ ଥିଲେ। ସୂଚନାଯୋଗ୍ୟ, ଦକ୍ଷିଣ କାଲିଫର୍ନିଆରେ ବ୍ରିଟିଶ ସୈନ୍ୟଙ୍କ ପାରାଚ୍ୟୁଟ ଟ୍ରେନିଂ ଚାଲିଥିଲା। ଆକାଶରୁ ଡେଇଁବା ପରେ ସୈନ୍ୟଙ୍କୁ ଏକ ବଡ଼ ପଡ଼ିଆରେ ଓହ୍ଲାଇବାକୁ କୁହାଯାଇଥିଲା। ଏହି ଟ୍ରେନିଂରେ ଭାଗ ନେଇଥିବା ଅନ୍ୟ ସମସ୍ତେ ସଠିକ୍‌ ସ୍ଥାନରେ ଲ୍ୟାଣ୍ଡିଂ କରିଥିଲେ। କିନ୍ତୁ ଠିକ୍‌ ସମୟରେ ଜଣେ ସୈନ୍ୟଙ୍କ ପାରାଚ୍ୟୁଟ୍‌ ଖୋଲି ନ ଥିଲା। ଫଳରେ ସେ ଆଟାସ୍କୋଡେରୋ ନିକଟରେ ଥିବା ଘରର ଛାତ ଉପରେ ଲ୍ୟାଣ୍ଡିଂ କରିଥିଲେ।

ଯେମିତି ସେ ଘରର ଛାତ ଉପରେ ଓହ୍ଲାଇଛନ୍ତି କି ନାହିଁ ହଠାତ୍‌ ଛାତ ଭାଙ୍ଗିଯିବାରୁ ସେ ରୋଷେଇ ଘରେ ପଡ଼ିଯାଇଥିଲେ। ଏହାପରେ ସେ ଅଚେତ୍‌ ହୋଇପଡ଼ିଥିଲେ ବୋଲି ଆଟାସ୍କୋଡେରୋ ଅଗ୍ନିଶମ ଓ ସ୍ଥାନୀୟ ପୋଲିସ ସୂଚନା ଦେଇଛି। ତେବେ ସୈନ୍ୟଜଣଙ୍କୁ ଗମ୍ଭୀର ଆଘାତ ଲାଗି ନ ଥିବା ବେଳେ ଯନ୍ତ୍ରଣା ସମସ୍ୟା ଦେଖାଦେଇଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଇଥିଲେ। ସୂଚନା ମୁତାବକ ଏହି ଘଟଣା ଜୁଲାଇ ୬, ସନ୍ଧ୍ୟା ୪ଟା ୫୫ରେ ଘଟିଥିଲା। ତେବେ ଘରର ବେଶୀ କ୍ଷତି ହୋଇନାହିଁ ବୋଲି ଘରର ମାଲିକ କହିଛନ୍ତି। ଅନ୍ୟପଟେ ଏହି ଦୁର୍ଘଟଣାରେ ସୈନ୍ୟଙ୍କ ଜୀବନ ବଞ୍ଚିଯିବା କୌଣସି ଚମତ୍କାରିତାଠାରୁ କମ୍‌ ନୁହେଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

Share