Categories: ବାଣିଜ୍ୟ

ପାରାଦୀପ ପିଏକ୍ସ-ପିଟିଏ କମ୍ପ୍ଲେକ୍ସକୁ ଆଇଓସିଏଲ୍‌ର ସବୁଜ ସଙ୍କେତ

ଭୁବନେଶ୍ୱର,୨।୮: ପାରାଦୀପରେ ସ୍ଥାପନ ହେବାକୁ ଥିବା ପିଏକ୍ସ-ପିଟିଏ କମ୍ପ୍ଲେକ୍ସକୁ ଇଣ୍ଡିଆନ ଅଏଲ୍‌ କର୍ପୋରେଶନ ଲିମିଟେଡ୍‌(ଆଇଓସିଏଲ୍‌) ପକ୍ଷରୁ ସବୁଜ ସଙ୍କେତ ମିଳିଛି। ଇଣ୍ଡିଆନ ଅଏଲ୍‌ର ବୋର୍ଡ ଏହି ସମନ୍ବିତ ପ୍ରକଳ୍ପକୁ ଆଗକୁ ବଢ଼ାଇବା ଲାଗି ମଞ୍ଜୁରୀ ପ୍ରଦାନ କରିଥିବା ଶନିବାର ଜଣାପଡ଼ିଛି। ପାରାଜାଇଲିନ(ପିଏକ୍ସ) ଏବଂ ପ୍ୟୁରିଫାଏଡ୍‌ ଟେରେଫଥାଲିକ୍‌ ଏସିଡ୍‌(ପିଟିଏ)ର ଏହି ପ୍ରକଳ୍ପରେ ପ୍ରାୟ ୧୩,୮୦୫ କୋଟି ଟଙ୍କା ପୁଞ୍ଜିନିବେଶ ହେବ। ଏହାକୁ କମ୍ପାନୀର ପାରାଦୀପସ୍ଥିତ ରିଫାଇନେରି ସହ ସମନ୍ବିତ କରାଯିବା ଯୋଜନା ରଖାଯାଇଥିବା କମ୍ପାନୀ ପକ୍ଷରୁ ସୂଚନା ରହିଛି।
ଏହି ପରିପ୍ରେକ୍ଷୀରେ କମ୍ପାନୀର ଅଧ୍ୟକ୍ଷ ଏସ୍‌.ଏମ୍‌.ବୈଦ୍ୟ କହିଛନ୍ତି, ନୂଆ ପ୍ରକଳ୍ପକୁ ୨୦୨୪ ସୁଦ୍ଧା ସମ୍ପୂର୍ଣ୍ଣ କରାଯିବାକୁ ଯୋଜନା ରଖାଯାଇଛି। ଦେଶର ମେକ୍‌ ଇନ୍‌ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ଉକ୍ତ ପ୍ରକଳ୍ପକୁ ଆଗକୁ ବଢ଼ାଯାଉଛି। ପୂର୍ବଭାରତରେ ଏହା ଉଦ୍ୟୋଗ ବିକାଶକୁ ଉତ୍ସାହିତ କରିବାରେ ସହାୟକ ହୋଇପାରିବ। ପାରାଦୀପର ପେଟ୍ରୋକେମିକାଲ କମ୍ପ୍ଲେକ୍ସରେ ବାର୍ଷିକ ୮ ଲକ୍ଷ ଟନ୍‌ ପିଏକ୍ସ ଉତ୍ପାଦନ କରିବା କ୍ଷମତା ରଖୁଛି। ଏହା ପିଟିଏ ଉତ୍ପାଦନ କରିବା ଲାଗି ଫିଡ୍‌ଷ୍ଟକ୍‌ ଭାବେ ବ୍ୟବହାର କରାଯିବ। ଏହି ୟୁନିଟରେ ବାର୍ଷିକ ପ୍ରାୟ ୧୨ ଲକ୍ଷ ଟନ୍‌ ପିଟିଏ ଉତ୍ପାଦନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।
ପଲିଷ୍ଟର ଏବଂ ଏମ୍‌ଇଜି ଉତ୍ପାଦନ ଲାଗି ପିଟିଏକୁ କଞ୍ଚାମାଲ ଭାବେ ବ୍ୟବହାର କରାଯିବ। କମ୍ପାନୀର ଏମ୍‌ଇଜି ଉତ୍ପାଦନ ଫାସିଲିଟି ବର୍ତ୍ତମାନ କାର୍ଯ୍ୟାନ୍ବୟନ ଅପେକ୍ଷାରେ ରହିଛି। ଏହାକୁ ୨୦୨୧ରୁ କାର୍ଯ୍ୟକ୍ଷମ କରାଯିବାକୁ ଯୋଜନା ଧାର୍ଯ୍ୟ ହୋଇଛି ବୋଲି ବୈଦ୍ୟ ମତ ପ୍ରକାଶ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ପାରାଦୀପରେ ଉଭୟ ପିଟିଏ ଏବଂ ଏମ୍‌ଇଜି ଉତ୍ପାଦନ ହେଲେ ଏହା ପଲିଷ୍ଟର ମାନୁଫାକ୍‌ଚରିଂ ଫାସିଲିଟିକୁ ପ୍ରୋତ୍ସାହିତ କରିବ। ଏହାଦ୍ୱାରା ବାର୍ଷିକ ୫୦ ହଜାର ଟନ୍‌ ଟୋଲ୍ୟୁନ ପ୍ରସ୍ତୁତ କରାଯାଇ ପାରିବ।

Share