ଟୁଇଟରର ନୂଆ ସିଇଓ ପରାଗ ଅଗ୍ରଓ୍ବାଲଙ୍କ ସମ୍ପର୍କରେ ଜାଣନ୍ତୁ

ନୂଆଦିଲ୍ଲୀ,୩୦।୧୧: ଆଇଆଇଟି ବମ୍ବେରୁ ଗ୍ରାଜୁଏଶନ କରିଥିବା ପରାଗ ଅଗ୍ରଓ୍ବାଲ ଏବେ ଟୁଇଟରର ସିଇଓ ଜ୍ୟାକ ଡୋରସିଙ୍କ ପଦ ସମ୍ଭାଳିବାକୁ ଯାଉଛନ୍ତି। ଟୁଇଟରର ସହପ୍ରତିଷ୍ଠାତା ଡୋରସି ସୋମବାର ସନ୍ଧ୍ୟାରେ ଟୁଇଟରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ପଦରୁ ଇସ୍ତଫା ଦେଇଛନ୍ତି। ଏଥିସହ କମ୍ପାନୀର ପରବର୍ତ୍ତୀ ସିଇଓ ଭାବେ ଘୋଷଣା କରିଛନ୍ତି ପରାଗଙ୍କ ନାମ।

ଭାରତୀୟ ବଂଶୋଦ୍ଭବ ଆଇଆଇଟି-ବମ୍ବେରେ ଗ୍ରାଜୁଏଶନ ଶେଷ କରିବା ପରେ ଷ୍ଟାନଫର୍ଡ ୟୁନିଭର୍ସିଟିରୁ କମ୍ପ୍ୟୁଟର ସାଇନ୍ସରେ ପିଏଚ୍‌ଡି ହାସଲ କରିଥିଲେ। ୨୦୧୧ରେ ଆଡ୍ସ ଇଞ୍ଜିନିୟର ଭାବେ ଟୁଇଟରରେ ନିଯୁକ୍ତି ପାଇଥିଲେ ପରାଗ। କିଛି ଦିନ ମଧ୍ୟରେ ସେ ହାତେଇଥିଲେ କମ୍ପାନୀର ‘ବିଖ୍ୟାତ ସଫ୍ଟଓ୍ବେର ଇଞ୍ଜିନିୟର’ ଟାଇଟଲ। ୨୦୧୮ରେ ତାଙ୍କୁ ମୁଖ୍ୟ ଟେକ୍‌ନୋଲୋଜି ଅଫିସର ଭାବେ ନିଯୁକ୍ତ କରିଥିଲା ଟୁଇଟର।

ନୂଆ ନିଯୁକ୍ତି ସହ ପରାଗ ଭାରତୀୟ ବଂଶୋଦ୍ଭବ ସିଲିକନ ଭାଲି ସିଇଓଙ୍କ ତାଲିକାରେ ସାମିଲ ହୋଇଛନ୍ତି। ଏହି ତାଲିକାରେ ଅଛନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ ଓ ମାଇକ୍ରୋସଫ୍ଟ ମୁଖ୍ୟ ସତ୍ୟ ନାଡେଲା।

Share