ଅଧିକାରୀଙ୍କୁ ବହିଷ୍କାରକଲା ପାରାଗୁଏ

ଅସୁନସିଓନ୍‌,୨ା୧୨: ଭଣ୍ଡ ବାବା ନିତ୍ୟାନନ୍ଦଙ୍କ କାଳ୍ପନିକ ସାମ୍ରାଜ୍ୟ କୈଲାସା ସହ ଏକ ସହଯୋଗ ଚୁକ୍ତିରେ ସ୍ବାକ୍ଷର କରିବା ଅଭିଯୋଗରେ ପାରାଗୁଏ ନିଜର ଜଣେ ବରିଷ୍ଠ ଅଧିକାରୀଙ୍କୁ ବହିଷ୍କାର କରିଛି। ଅର୍ନାଲ୍ଡୋ ଚାମୋରୋ ପାରାଗୁଏ କୃଷିମନ୍ତ୍ରୀଙ୍କ ଚିଫ୍‌ ଅଫ୍‌ ଷ୍ଟାଫ୍‌ ଭାବେ କାର୍ଯ୍ୟ କରୁଥିଲେ। ‘ୟୁନାଇଟେଡ୍‌ ଷ୍ଟେଟ୍ସ ଅଫ୍‌ କୈଲାସା’ର ଜଣେ ତଥାକଥିତ ଅଧିକାରୀ ତାଙ୍କ ନିକଟରେ ଏହାକୁ ଏକ ଦକ୍ଷିଣ ଆମେରକୀୟ ଦ୍ୱୀପ ରାଷ୍ଟ୍ର ଦର୍ଶାଇ ଅନେକ ପ୍ରକଳ୍ପ ସମ୍ପର୍କରେ ଉପସ୍ଥାପନ କରିଥିଲେ। ଏଥିସହ ପାରାଗୁଏର କୂଟନୈତିକ ସହଯୋଗ ଲୋଡ଼ିଥିଲେ। ଅର୍ନାଲ୍ଡୋ ସେମାନଙ୍କ କଥା ଶୁଣିବା ପରେ ଉକ୍ତ ଦସ୍ତାବିଜରେ ସ୍ବାକ୍ଷର କରିଥିଲେ। ଦସ୍ତାବିଜରେ ନିତ୍ୟାନନ୍ଦଙ୍କୁ ସାର୍ବଭୌମ କୈଲାସାର ସମ୍ମାନନୀୟ ରାଷ୍ଟ୍ରମୁଖ୍ୟ ‘ନିତ୍ୟାନନ୍ଦ ପରମଶିବମ୍‌’ ଦର୍ଶାଯାଇଛି। ଏଥିସହ ହିନ୍ଦୁଧର୍ମ, ମାନବଜାତି ଓ ପାରାଗୁଏ ସାଧାରଣତନ୍ତ୍ର ପ୍ରତି ତାଙ୍କ ଅବଦାନକୁ ପ୍ରଶଂସା କରାଯାଇଛି। ତାଙ୍କୁ ଗତ ବୁଧବାର ଚାକିରିରୁ ବହିଷ୍କାର କରାଯାଇଛି। କୈଲାସାର ନକଲି ଅଫିସରମାନେ କୃଷିମନ୍ତ୍ରୀ କାର୍ଲୋସ୍‌ ଗିମେନେଜ୍‌ଙ୍କୁ ମଧ୍ୟ ଭେଟିଥିବା ଅର୍ନାଲ୍ଡୋ ସୂଚନା ଦେଇଛନ୍ତି। ପ୍ରକାଶ ଯେ, ନିତ୍ୟାନନ୍ଦ ହେଉଛନ୍ତି ଭାରତର ଜଣେ ବିବାଦୀୟ ନାଗରିକ। ଏହି ଆମତ୍ଘୋଷିତ ଧର୍ମଗୁରୁଙ୍କ ବିରୋଧରେ ନିଜ ଶିଷ୍ୟାମାନଙ୍କୁ ଅପହରଣ ଓ ବଳାତ୍କାର ଭଳି ସଙ୍ଗିନ ଅଭିଯୋଗ ରହିଛି। ୨୦୧୯ରେ ଭାରତରୁ ପଳାୟନ ପରେ ସେ କୈଲାସା ନାମରେ ଏକ ଦେଶ ପ୍ରତିଷ୍ଠା କରିଛନ୍ତି, ଯାହାର କୌଣସି ଅସ୍ତିିତ୍ୱ ନାହିଁ।

Share