Categories: ଜାତୀୟ

ବିରୋଧୀ ଏମ୍‌ପିଙ୍କୁ ସକାଳ ଜଳଖିଆ ପାଇଁ ନିମନ୍ତ୍ରଣ କଲେ ରାହୁଲ

ନୂଆଦିଲ୍ଲୀ,୨।୮: ସଂସଦରେ ବର୍ତ୍ତମାନ ମୌସୁମୀ ଅଧିବେଶନ ଚାଲିଛି। ଅଧିବେଶନ ଆରମ୍ଭ ହେବା ଦିନରୁ ଗୃହରେ ଲଗାତର ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିଛି। ବିଶେଷ କରି କେବେ ପେଗାସସ୍‌ ଗୁପ୍ତଚର ବିବାଦ ତ କେବେ କୃଷକଙ୍କ ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ଘେରିଛନ୍ତି। ତେବେ ଲଗାତର ସଂସଦରେ ଉତ୍ତେଜନା ଯୋଗୁ ଗୃହ ଠିକ୍‌ରେ ଚାଲିପାରୁନି। ଇତିମଧ୍ୟରେ ଖବର ଆସୁଛି କି ଯେ, ବିରୋଧୀ ଏମ୍‌ପିମାନେ ସଂସଦ ବାହାରେ ସମାନ୍ତରାଳ ସଂସଦ ଅଧିବେଶନ ଚଳାଇବାକୁ ଚିନ୍ତା କରୁଛନ୍ତି। ବିରୋଧୀଙ୍କ ସହ ଜଡ଼ିତ ଏକ ସୂତ୍ରରୁ ଏନେଇ ସୂଚନା ମିଳିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ ସହ ଏକ ବୈଠକ କରାଯାଇ ଏହି ପ୍ରସ୍ତାବ ଉପରେ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି। ଅନ୍ୟପଟେ ରାହୁଲ ଗାନ୍ଧୀ ବିରୋଧୀ ଦଳର ନେତାଙ୍କୁ ମଙ୍ଗଳବାର ସକାଳ ୯ଟା ୩୦ରେ ଦିଲ୍ଲୀ ସ୍ଥିତ କନ୍‌ଷ୍ଟିଟ୍ୟୁସନ୍‌ କ୍ଲବରେ ଜଳଖିଆ ପାଇଁ ନିମନ୍ତ୍ରଣ କରିଛନ୍ତି। ଉଭୟ ଗୃହର ବିରୋଧୀ ଦଳର ନେତାମାନଙ୍କୁ ଏଠାକୁ ଡକାଯାଇଛି। ସମସ୍ତ ବିରୋଧୀ ନେତାଙ୍କୁ ଏକତ୍ରିତ କରି ସଂସଦର ପରବର୍ତ୍ତୀ ରଣନୀତି ପ୍ରସ୍ତୁତ କରିବା ପାଇଁ ରାହୁଲ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି। ଏଥିପାଇଁ ରାହୁଲ ସମସ୍ତ ଦଳର ନେତାଙ୍କୁ ସକାଳ ଜଳଖିଆ ପାଇଁ ଡାକିଛନ୍ତି। ତେବେ ତୃଣମୂଳ କଂଗ୍ରେସକୁ ମଧ୍ୟ ନିମନ୍ତ୍ରଣ ପଠାଯାଇଛି। ଟିଏମ୍‌ସି ମଧ୍ୟ ଏହି ଆଲୋଚନାରେ ସାମିଲ ହେବ। ଏହା ପୂର୍ବରୁ ରାହୁଲ ମଧ୍ୟ ବିରୋଧୀ ଦଳର ବୈଠକରେ ୨ଥର ସାମିଲ ହୋଇସାରିଛନ୍ତି। ହେଲେ ଏବେ କନ୍‌ଷ୍ଟିଟ୍ୟୁସନ୍‌ କ୍ଲବରେ ରାହୁଲ ବିରୋଧୀ ଦଳର ନେତାଙ୍କ ସହ ଜଳଖିଆରେ ଆଲୋଚନା କରିବେ।

Share