ବାଲେଶ୍ୱର ଅଫିସ,୨୦।୧୧: ଶୁଭ୍ରାଂଶୁ ଓ ଦେବସ୍ମିତାଙ୍କ ମଧ୍ୟରେ ଦୀର୍ଘ ୮ ବର୍ଷର ପ୍ରେମ ସମ୍ପର୍କ। ପରସ୍ପରକୁ ଭଲ ପାଇ ସାତ ଜନ୍ମର ସାଥୀ ହେବାକୁ କଥା ଦେଇଥିଲେ। ସେମାନଙ୍କ ଅନାବିଳ ପ୍ରେମକୁ ଦେଖି ଉଭୟଙ୍କ ପରିବାର ଲୋକ ମଧ୍ୟ ବିବାହ ପାଇଁ ରାଜି ହୋଇଯାଇଥିଲେ। ତାରିଖ ମଧ୍ୟ ସ୍ଥିର ହୋଇଥିଲା। ହେଲେ ଏହାର କିଛି ଦିନ ପରେ ସବୁ କିଛି ଓଲଟପାଲଟ ହୋଇଯାଇଥିଲା। ହଠାତ୍ ଦେବସ୍ମିତା ପକ୍ଷାଘାତରେ ପୀଡ଼ିତ ହେବାରୁ ହୁଇଲ ଚେୟାର ପାଲଟିଯାଇଥିଲା ତାଙ୍କ ଜୀବନସାଥୀ। ହେଲେ ପ୍ରେମିକ ଶୁଭ୍ରାଂଶୁ ପଛଘୁଞ୍ଚା ଦେଇ ନ ଥିଲେ। ସେମାନଙ୍କ ପ୍ରେମ ଆଗରେ ଅକ୍ଷମତା ହାର୍ ମାନିଛି। ଶୁଭ୍ରାଂଶୁ ଦେବସ୍ମିତା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସମାଜକୁ ଏଭଳି ଏକ ନିଆରା ବାର୍ତ୍ତା ଦେଇଥିବା ପ୍ରେମୀଯୁଗଳ ହେଲେ ବାଲେଶ୍ୱର ଜିଲା ଔପଦା ବ୍ଲକ ଫତେପୁର ଅଞ୍ଚଳର।
ଫତେପୁର ଗ୍ରାମର ଶୁଭ୍ରାଂଶୁ ମହାପାତ୍ର ଗଡ଼ପଦା ଗ୍ରାମର ଦେବସ୍ମିତା ପଣ୍ଡାଙ୍କୁ ଭଲ ପାଉଥିଲେ। ଉଭୟେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଦେବସ୍ମିତା ଭଲ ଓଡ଼ିଶୀ ନୃତ୍ୟ କରନ୍ତି। ୨୦୧୯ରେ ଦେବସ୍ମିତା ପକ୍ଷାଘାତ ରୋଗରେ ପୀଡ଼ିତ ହେବାରୁ ତାଙ୍କ ପାଦ ସେଇଠି ହିଁ ଅଟକିଯାଇଥିଲା। ଚନ୍ଦ୍ରରେ ଗ୍ରହଣ ଲାଗିବା ଭଳି ଦେବସ୍ମିତାଙ୍କ ଜୀବନରେ ବି ଲାଗିଗଲା ଗ୍ରହଣ। ଦେବସ୍ମିତା ଅନ୍ୟ ଆଡେ ବିବାହ କରି ଜୀବନସାଥୀ ବାଛି ନେବାକୁ ଶୁଭ୍ରାଂଶୁଙ୍କୁ ବାରମ୍ବାର କହିଥିଲେ। କିନ୍ତୁ ଶୁଭ୍ରାଂଶୁ ତାଙ୍କ ହାତ ଛାଡ଼ି ନ ଥିଲେ। ପ୍ରତିଟି ସମୟରେ ସେ ତାଙ୍କୁ ପ୍ରେମର ପରିଭାଷା ବୁଝାଇ ଚାଲିଥିଲେ। ଗତ ୪ତାରିଖରେ ଦୁଇଟି ଆତ୍ମା ସାତ ଜନ୍ମ ପାଇଁ ଏକାଠି ହୋଇଛନ୍ତି। ଦେବସ୍ମିତାଙ୍କ ମଥାରେ ସିନ୍ଦୂର ଦେଇ ଶୁଭ୍ରାଂଶୁ ଜୀବନସାଥୀ କରିଛନ୍ତି। ପରିବାର ଲୋକେ ମଧ୍ୟ ଏହାକୁ ଖୁସିରେ ଗ୍ରହଣ କରିନେଇଛନ୍ତି।