Categories: ଫୁରସତ

ଏଆଇ ସହାୟତାରେ ସୁସ୍ଥ ହେଲେ ପକ୍ଷାଘାତ ରୋଗୀ

ୱାଶିଂଟନ: ଜଣେ ପକ୍ଷାଘାତ ବ୍ୟକ୍ତି ଏବେ ପୂର୍ବଭଳି ଜୀବନ ବଞ୍ଚୁଛନ୍ତି, ଯାହା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି(ଏଆଇ) ସହାୟତାରେ ସଫଳ ହୋଇଛି। ଡାକ୍ତରମାନେ ଏଆଇ ମାଧ୍ୟମରେ ହୋଇଥିବା ଏହି ସର୍ଜରିକୁ ଆଧୁନିକ ମେଡିକାଲ ଦୁନିଆର ଅଲୌକିକ ବୋଲି କହିଛନ୍ତି। ନ୍ୟୁୟର୍କର ଜଣେ ଲୋକଙ୍କୁ ଡାଇଭିଂ ସମୟରେ ବାତ ମାରିଥିଲା। ମେଶିନ ଲର୍ନିଂ ଆଧାରିତ ସର୍ଜରି ପରେ ତାଙ୍କ ଶରୀରରେ ଗତିବିଧି ଏବଂ ଭାବନା ଫେରିଆସିଛି। ମାଇକ୍ରୋଇଲେକ୍ଟୋଡ୍‌ ଖଞ୍ଜି ତା’ ସାହାଯ୍ୟରେ ତାଙ୍କ ମୁଣ୍ଡକୁ ଏକ କମ୍ପ୍ୟୁଟର ସହ ସଂଯୋଗ କରାଯାଇଥିଲା। ମନହାସେଟ୍‌ର ଫେନ୍‌ଷ୍ଟେନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ମେଡିକାଲ ରିସର୍ଚ୍ଚର ଜଣେ ବିଶେଷଜ୍ଞଙ୍କ କହିବା ଅନୁସାରେ, ୪୫ ବର୍ଷୀୟ କିଥ୍‌ ଥୋମାସଙ୍କ କ୍ଷେତ୍ରରେ ଏଆଇର ଚିକିତ୍ସା ଫଳପ୍ରଦ ରହିଲା। ଅନ୍ଧପଣ, ସେରେବ୍ରାଲ୍‌ ପଲ୍‌ସି, ବଧିରତା ଏବଂ ପାର୍କିନ୍ସନ୍‌ ଭଳି ରୋଗର ଚିକିତ୍ସା ପାଇଁ ଏଆଇର ସାହାଯ୍ୟ ନିଆଯାଇପାରିବ ବୋଲି ସେ କହିଛନ୍ତି। ଫେନ୍‌ଷ୍ଟେନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ବାୟୋଇଲେକ୍ଟୋନିକ୍‌ ମେଡିସିନ୍‌ ବିଶେଷଜ୍ଞ ଚାଡ୍‌ ବାଉଟନ୍‌ ନ୍ୟୁୟର୍କ ପୋଷ୍ଟକୁ କହିବା ମୁତାବକ, ଏହା ପ୍ରଥମ ଘଟଣା ଯେଉଁଥିରେ କି ଏଆଇ ସାହାଯ୍ୟରେ ଜଣେ ପକ୍ଷାଘାତ ରୋଗୀଙ୍କ ଶରୀରରେ ଗତିବିଧି ଏବଂ ଭାବନା ଫେରିଆସି ପାରିଛି। ସେମାନେ ଦୁନିଆରେ ଆହୁରି ଲୋକଙ୍କୁ ସାହାଯ୍ୟ କରିବେ ବୋଲି ବିଶେଷଜ୍ଞ ଚାଡ୍‌ କହିଛନ୍ତି। ୨୦୨୦ରେ ଥୋମାସ ସମ୍ପୂର୍ଣ୍ଣ ଠିକ୍‌ ଥିଲେ। ସେ ଦିନେ ସାଙ୍ଗଙ୍କ ସୁଇମିଂ ପୁଲ୍‌ରେ ଡାଇଭିଂ କରୁଥିବାବେଳେ ଏପରି ଘଟଣା ଘଟିଥିଲା। ବେକର ହାଡ଼ ଭାଙ୍ଗିଗଲା ଏବଂ ମେରୁଦଣ୍ଡ ଉପରେ ମଧ୍ୟ ପ୍ରଭାବ ପଡ଼ିଲା। ପରେ ଡାକ୍ତରଙ୍କ ସହ ପରାମର୍ଶ କରିବା ପରେ ସର୍ଜରି ପାଇଁ କଥା ହେଲେ। ସେ ଗୋ ଫଣ୍ଡରେ ଏକ ଡୋନେଶନ ପେଜ୍‌ କଲେ। ସେଠାରୁ ସେ ୩୬୦ ହଜାର ଡଲାର ଅର୍ଥାତ୍‌ ୨ କୋଟି ୯୬ ଲକ୍ଷ ଟଙ୍କା ସଂଗ୍ରହ କଲେ। ଏହା ତାଙ୍କର ପ୍ରଥମ ସର୍ଜରି ଥିଲା। ଫଳରେ ସେ ଠିକ୍‌ ହୋଇପାରିଛନ୍ତି। ଏହି ସର୍ଜରି ୧୫ ଘଣ୍ଟା ଧରି ଚାଲିଥିଲା। ଏବେ ସେ ସାଧାରଣ ଲୋକଙ୍କ ଭଳି ଜୀବନ ବଞ୍ଚୁଛନ୍ତି।

Share