ମୁମ୍ବାଇ,୧୨।୫: ମହାରାଷ୍ଟ୍ର ସରକାର ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କୁ ବଡ ଆଶ୍ୱସ୍ତି ଦେଇଛନ୍ତି। ପରମବୀର ସିଂଙ୍କ ବିରୋଧରେ ଥିବା ସମସ୍ତ ଅଭିଯୋଗକୁ ଫେରାଇ ନିଆଯାଇଛି। ଏହାସହ ରାଜ୍ୟ ସରକାର ଡିସେମ୍ବର ୨୦୨୧ରେ ଜାରି କରିଥିବା ନିଲମ୍ବନ ଆଦେଶକୁ ବି ରଦ୍ଦ କରି କହିଛନ୍ତି ସସପେନସନ ସମୟରେ ସେ ଡ୍ୟୁଟିରେ ଥିଲେ। ସୂଚନାଯୋଗ୍ୟ, ପରମବୀର ସିଂ ଚୋରି, ଦୁର୍ନୀତି ଏବଂ ବଳାତ୍କାରର ଅନେକ ମାମଲାର ସମ୍ମୁଖୀନ ହୋଇଥିଲେ। ଆଣ୍ଟିଲିଆ ବୋମା ମାମଲାରେ ଅନିୟମିତତା ହେତୁ ପରମବୀର ସିଂଙ୍କୁ ୧୭ ମାର୍ଚ୍ଚ ୨୦୨୧ରେ ମୁମ୍ବାଇ ପୋଲିସର କମିଶନର ପଦରୁ ହଟାଇ ଦିଆଯାଇଥିଲା ଏବଂ ତାଙ୍କୁ ଗୃହ ସୁରକ୍ଷା ବିଭାଗର ଦାୟିତ୍ୱ ଦିଆଯାଇଥିଲା। ସିଂଙ୍କ ବିରୋଧରେ ଏହି ଅଭିଯୋଗର ତଦନ୍ତ ସିବିଆଇ ଗ୍ରହଣ କରିଥିଲା ଏବଂ ପାଞ୍ଚଟି ପୃଥକ ଏଫଆଇଆର ପଞ୍ଜିକୃତ ହୋଇଥିଲା। ମୁମ୍ବାଇ ପୋଲିସ ଏହି ମାମଲା ରୁଜୁ କରିଥିଲା।