Categories: ଜାତୀୟ

ପରମବୀର ହ୍ବିସିଲବ୍ଲୋୟର ନୁହନ୍ତି

ନୂଆଦିଲ୍ଲୀ, ୬।୧୨(ପି.ଟି.): ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କୁ ଆଇନ ଅନୁଯାୟୀ ହ୍ବିସିଲ୍‌ବ୍ଲୋୟର ବିବେଚନା କରାଯାଇପାରିବ ନାହିଁ। କାରଣ ତାଙ୍କର ବଦଳି ହେବା ପରେ ଯାଇ ସେ ତତ୍କାଳୀନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲେ ବୋଲି ମହାରାଷ୍ଟ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। ଏଥିସହିତ ସମୁଦାୟ ଘଟଣାର ସିବିଆଇ ତଦନ୍ତ ଲାଗି ପରମବୀର କରିଥିବା ଆବେଦନକୁ ଖାରଜ କରିବା ଲାଗି ସରକାର ଅଦାଲତଙ୍କୁ ଅନୁରୋଧ କରିଛନ୍ତି।
ପରମବୀରଙ୍କ ବିରୋଧରେ ଦାଏର ଫୌଜଦାରି ମାମଲାରେ ତାଙ୍କୁ ଗିରଫ ନ କରିବା ଲାଗି ନଭେମ୍ବର ୨୨ରେ ଜଷ୍ଟିସ୍‌ ଏସ୍‌.କେ. କୌଲଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମହାରାଷ୍ଟ୍ର ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ପୂର୍ବତନ ପୋଲିସ କମିଶନରଙ୍କ ବିରୋଧରେ ଫୌଜଦାରି ମାମଲାର ତଦନ୍ତରେ ରାଜ୍ୟ ସରକାର ହସ୍ତକ୍ଷେପ କରୁ ନ ଥିବା ଏକ ସତ୍ୟପାଠ ଜରିଆରେ ଖଣ୍ଡପୀଠଙ୍କୁ ଜଣାଇଛନ୍ତି। ମହାରାଷ୍ଟ୍ର ଗୃହ ବିଭାଗ ଯୁଗ୍ମ ସଚିବ ଭେଙ୍କଟେଶ ମାଧବ କହିଥିଲେ, ଆବେଦନକାରୀ ପରମବୀରଙ୍କୁ ହ୍ବିସିଲ୍‌ବ୍ଲୋୟର କୁହାଯାଇପାରିବ ନାହିଁ। କାରଣ ପରମବୀର ଚଳିତ ବର୍ଷ ମାର୍ଚ୍ଚ ୨୦ରେ ଦୁର୍ନୀତି ଅଭିଯୋଗ ଆଣିଥିଲେ। କିଛିମାସ ପୂର୍ବରୁ ଏହି ଦୁର୍ନୀତି ଘଟିଥିବା ବେଳେ ବଦଳି ହେବାର ୩ ଦିନ ପରେ ପରମବୀର ଅଭିଯୋଗ ଆଣିଥିବାରୁ ଏହା ଜନସ୍ବାର୍ଥ ପ୍ରସଙ୍ଗ ନୁହେଁ ବରଂ ନିଜ ଫାଇଦା ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ସତ୍ୟପାଠରେ କୁହାଯାଇଛି।

 

Share