Categories: ଜାତୀୟ

ଗିରଫ ହେବେନି ପରମବୀର

ନୂଆଦିଲ୍ଲୀ, ୨୩।୧୧: ସୁପ୍ରିମକୋର୍ଟ ସୋମବାର ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କୁ ଗିରଫଦାରିରୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ବାରମ୍ବାର ଓ୍ବାରେଣ୍ଟ ଜାରି ସତ୍ତ୍ୱେ ସେ ତଦନ୍ତ ପାଇଁ ହାଜର ନ ହେବାରୁ ମୁମ୍ବାଇର ଏକ ମାଜିଷ୍ଟ୍ରେଟ୍‌ କୋର୍ଟ ତାଙ୍କୁ ପଳାତକ ଘୋଷଣା କରିଥିଲେ। ସେ ଫେରାର ହୋଇନାହାନ୍ତି, ଭାରତରେ ରହିଛନ୍ତି ବୋଲି ସୋମବାର ସର୍ବୋଚ୍ଚ ଅଦାଲତଙ୍କୁ ଜଣାଇଥିଲେ। ତେବେ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେ ଲୁଚି ରହିଥିବା କହିଥିଲେ। ସେ ୪୮ ଘଣ୍ଟା ମଧ୍ୟରେ ସିବିଆଇରେ ହାଜର ହେବାକୁ ପ୍ରସ୍ତୁତ ଥିବା ଓକିଲ ମାଧ୍ୟମରେ ଜଣାଇବା ପରେ ତାଙ୍କ ସୁରକ୍ଷା ଆବେଦନକୁ ଅଦାଲତ ମଞ୍ଜୁର କରିଛନ୍ତି। ଏଥିସହିତ ତଦନ୍ତରେ ସହଯୋଗ କରିବା ଲାଗି ଅଦାଲତ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପରମବୀରଙ୍କ ଆବେଦନର ଶୁଣାଣି କରିବା ଲାଗି ଜଷ୍ଟିସ୍‌ ଏସ୍‌.କେ. କୌଲଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ରାଜି ହେବା ସହ ମହାରାଷ୍ଟ୍ର ସରକାର ଏବଂ ସିବିଆଇକୁ ନୋଟିସ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୬କୁ ଧାର୍ଯ୍ୟ କରାଯାଇଛି।
ସୂଚନାଯୋଗ୍ୟ, ପରମବୀରଙ୍କ ସୁରକ୍ଷା ଆବେଦନକୁ ସୁପ୍ରିମକୋର୍ଟ ଗୁରୁବାର ଖାରଜ କରିଦେଇଥିଲେ। ତୁମେ କେଉଁଠି ଅଛ ନ ଜାଣିବା ପର୍ଯ୍ୟନ୍ତ ଶୁଣାଣି ହୋଇପାରିବ ନାହିଁ କି ସୁରକ୍ଷା ଦିଆଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଦେବା ସହ ରହିଥିବା ସ୍ଥାନର ଠିକଣା ଜଣାଇବାକୁ ପରମବୀରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଏବଂ ପରମବୀରଙ୍କ ମଧ୍ୟରେ ଶତ୍ରୁତା ଲାଗିରହିଥିବାରୁ ଏହାକୁ ନେଇ ଅଦାଲତ ଚିନ୍ତାବ୍ୟକ୍ତ କରିଛନ୍ତି।

Share