ଛତୁ ଚାଷ କରି ସ୍ବାବଲମ୍ବୀ ହୋଇଛନ୍ତି ପରମେଶ୍ବର

ଭବାନୀପାଟଣା,୨୬।୯(ସ୍ବ.ପ୍ର.): ବିଏସସି ପାସ କରିବା ପରେ ନିଜ ଅଞ୍ଚଳରେ ଚାକିରିଟିଏ କରିବା ପାଇଁ ବହୁତ ଚେଷ୍ଟା କରିଥିଲେ। ହେଲେ ଚାକିରିଟିଏ ନ ମିଳିବାର ନିରାଶ ହୋଇ ପେଟପାଟଣା ପାଇଁ ଗୁଜରାଟ ଚାଲିଯାଇଥିଲେ। ସେଠାରେ ୧୫ବର୍ଷ ସେଠାକାର ଏକ ଘରୋଇ ଇଂଲିଶ ମିଡିୟମ ବିଦ୍ୟାଳୟରେ ଶିକ୍ଷାଦାନ କରୁଥିଲେ। ଏହାପରେ ସେଠାରେ ତାଙ୍କ ମନ ବୁଝି ନ ଥିଲା। ନିଜ ଗାଁକୁ ଚାଲି ଆସି ଜୁନାଗଡ ସହର ଏକ ଘରୋଇ ବିଦ୍ୟାଳୟରେ ଶିକ୍ଷାଦାନ କରିଥିଲେ। ଯେହେତୁ ସେ ସ୍କୁଲ ବେଳୁ କୃଷି ବିଜ୍ଞାନ ପ୍ରତି ତାଙ୍କ ରୁଚିଥିଲା, ପରିବାର ପ୍ରତିପୋଷଣ ପାଇଁ ଶିକ୍ଷକତା କରୁଥିଲେ, କିନ୍ତୁ ତାଙ୍କ ନିଶା ଚାଷ ପ୍ରତି ଥିଲା। କରୋନା ଲକଡାଉନ ସମୟରେ ସ୍କୁଲ ବନ୍ଦ ହୋଇଗଲା। ପରେ ସେ ଜଣେ ସାଙ୍ଗଙ୍କ ସହିତ ଭୁବନେଶ୍ୱର ଉଦ୍ୟାନ ବିଭାଗକୁ ଯାଇ ଛତୁଚାଷ ବିଷୟରେ ଜ୍ଞାନ ଆହରଣ କରିଥିଲେ। ପରେ ଗାଁକୁ ଆସି ଛତୁ ଚାଷ ଆରମ୍ଭ କରିଥିଲେ। ପ୍ରଥମେ ପାରିଶ୍ରମିକ ଅନୁସାରେ ଲାଭ କମ ଥିଲା। କିନ୍ତୁ ଏବେ ସେ ବର୍ଷକୁ ଲକ୍ଷାଧିକ ଟଙ୍କା ରୋଜଗାର କରିବା ସହିତ ଅନ୍ୟ ଶ୍ରମିକମାନଙ୍କୁ ଜୀବନ ଜୀବିକା ଦେଇଛନ୍ତି। ଏମିତି ଏକ ସଫଳ ଛତୁ ଚାଷୀ ହେଉଛନ୍ତି କଳାହାଣ୍ଡି ଜିଲା କଲମପୁର ବ୍ଲକ ବଙ୍କାପଲା ଗ୍ରାମର ପରମେଶ୍ବର କୁମାର। ଛତୁଚାଷ କରି ବର୍ଷକୁ ଲକ୍ଷାଧିକ ଟଙ୍କା ଲାଭବାନ ହେଉଛନ୍ତି। ପରମେଶ୍ବର ଛତୁଚାଷ କରୁଥିବା ବେଳେ ଏଥିରେ ନିୟୋଜିତ ୪ଜଣ ଶ୍ରମିକ ମଧ୍ୟ ନିଜ ପରିବାର ପ୍ରତିପୋଷଣ କରିଥାନ୍ତି। ଯଦି ଛତୁଚାଷରେ ନିୟୋଜିତ ହୋଇ ନ ଥିଲେ ପରିବାର ପ୍ରତିପୋଷଣ ପାଇଁ ଦାଦନ ଖଟିବାକୁ ଯାଇଥାନ୍ତି ବୋଲି ଶ୍ରମିକମାନେ କହନ୍ତି। ଏହି ବଙ୍କାପଲାର ଛତୁ ଅନ୍ୟ ଛତୁଠାରୁ ସୁଆଦିଆ ହୋଇଥିବା ବେଳେ କମ ମୂଲ୍ୟରେ ମିଳୁଥିବା ଯୋଗୁ ଏ ଅଞ୍ଚଳରେ ବେଶ ଏହାର ଚାହିଦା ରହିଛି।

Share