Categories: ଖେଳ

ଫାଇନାଲରେ ପାରାମାଉଣ୍ଟ

ଭୁବନେଶ୍ୱର, ୩୧।୫ (କ୍ରୀଡ଼ା ପ୍ରତିନିଧି): ମୁକ୍ତେଶ୍ୱର କ୍ରିକେଟ କ୍ଲବ ଆନୁକୂଲ୍ୟରେ ଏଠାରେ ଚାଲିଥିବା ୨ୟ ପ୍ରଶାନ୍ତ ମହାପାତ୍ର ସ୍ମାରକୀ ଜୁନିୟର(୧୬ ବର୍ଷରୁ କମ୍‌) କ୍ରିକେଟ ଟୁର୍ନାମେଣ୍ଟରେ ପ୍ରଥମ ଦଳଭାବେ ପାରାମାଉଣ୍ଟ ସ୍ପୋର୍ଟିଂ ଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ପାରାମାଉଣ୍ଟ ୧୫୮ ରନରେ ରାଇଜିଂ ଷ୍ଟୁଡେଣ୍ଟ୍ସକୁ ପରାସ୍ତ କରିଛି। ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ପାରାମାଉଣ୍ଟ ନିର୍ଦ୍ଧାରିତ ୪୦ ଓଭରରେ ୪ ଉଇକେଟ ହରାଇ ୨୧୩ ରନ କରିଥିଲା। ଦଳ ପକ୍ଷରୁ ସିଦ୍ଧାର୍ଥ ବେହେରା ୫୬ ରନକରି ଅପରାଜିତ ରହିଥିବାବେଳେ ସ୍ବାଗତ ମିଶ୍ର ୪୭ ଓ କୁମାର ଆର୍ଯ୍ୟନ ୪୧ ରନ ସ୍କୋର କରିଥିଲେ। ୨୧୪ ରନ ବିଜୟ ଲକ୍ଷ୍ୟରେ ରାଇଜିଂ ଷ୍ଟୁଡେଣ୍ଟ୍ସ ୧୬.୫ ଓଭରରେ ମାତ୍ର ୫୫ ରନ୍‌କରି ଅଲ୍‌ଆଉଟ ହୋଇ ଯାଇଥିଲା। ମହମ୍ମଦ ଇସ୍ତାଖର ସର୍ବାଧିକ ୧୭ ରନ କରିଥିଲେ। ପାରାମାଉଣ୍ଟ ବୋଲର ସେକ୍‌ ନକ୍ୱିବ ସର୍ବର ରାଇଜିଂ ଷ୍ଟୁଡେଣ୍ଟ ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ସେ ମାତ୍ର ୮ ରନ ଦେଇ ୭ ଉଇକେଟ ହାସଲ କରିଥିଲେ। ସତଭିକ୍‌ ସୁବୁଦ୍ଧି ୨ଟି ଉଇକେଟ ନେଇଥିଲେ। ଚମତ୍କାର ବୋଲିଂ ପାଇଁ ସେକ୍‌ ନକ୍ୱିବ ସର୍ବର ପ୍ଲେୟର ଅଫ୍‌ ଦି ମ୍ୟାଚ ପୁରସ୍କାର ପାଇଥିଲେ। ରଣଜୀ ଟ୍ରଫି ଖେଳାଳି ତଥା ରାଜସ୍ଥାନ ରୟାଲ୍ସର ନେଟ୍‌ ବୋଲର ପ୍ରୀତ୍‌ ସିଂ ଚୌହାନ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।

Share