ଭୁବନେଶ୍ୱର, ୨୭।୫ (କ୍ରୀଡ଼ା ପ୍ରତିନିଧି): ମୁକ୍ତେଶ୍ୱର କ୍ରିକେଟ କ୍ଲବ ଆନୁକୂଲ୍ୟରେ ଏଠାରେ ଚାଲିଥିବା ୨ୟ ପ୍ରଶାନ୍ତ ମହାପାତ୍ର ସ୍ମାରକୀ ଜୁନିୟର(୧୬ ବର୍ଷରୁ କମ୍) କ୍ରିକେଟ ଟୁର୍ନାମେଣ୍ଟର ସେମିଫାଇନାଲରେ ପାରାମାଉଣ୍ଟ ସ୍ପୋର୍ଟିଂ ପ୍ରବେଶ କରିଛି। ଶୁକ୍ରବାର ଅନୁଷ୍ଠିତ ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ଏହି ଦଳ ୧୯ ରନରେ ରାମେଶ୍ୱର ସ୍ପୋର୍ଟିଂକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ପାରାମାଉଣ୍ଟ ୨୦ ଓଭରରେ ୩ ଉଇକେଟ ହରାଇ ୯୪ ରନ କରିଥିଲା। ଦଳ ପକ୍ଷରୁ ପ୍ରତୀକ ପି. ନାୟକ ସର୍ବାଧିକ ୪୪ ରନ କରିଥିଲେ। ୯୫ ରନ ବିଜୟ ଲକ୍ଷ୍ୟରେ ରାମେଶ୍ୱର ସ୍ପୋର୍ଟିଂ ୨୦ ଓଭରରେ ୯ ଉଇକେଟ ହରାଇ ୭୫ ରନ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ଶୁଭ୍ରଜିତ ମିଶ୍ର ସର୍ବାଧିକ ୧୯ ରନ କରିଥିବାବେଳେ ବିଜୟୀ ଦଳର ଦୁର୍ଗା ପ୍ରସାଦ ମଲିକ ଓ ସତଭିକ୍ ସୁବୁଦ୍ଧି ୩ଟି ଲେଖାଏ ଏବଂ ସେକ୍ ନକିବ ସର୍ବର ମାତ୍ର ୩ ରନ ଦେଇ ୨ଟି ଉଇକେଟ ପାଇଥିଲେ। ଦୁର୍ଗା ପ୍ରସାଦ ମଲିକ ମ୍ୟାନ୍ ଅଫ୍ ଦି ମ୍ୟାଚ ବିବେଚିତ ହୋଇଥିଲେ। ୧୯ ବର୍ଷରୁ କମ୍ ଏସିଆ କପ୍ ଏବଂ ରଣଜୀ ଟ୍ରଫି ଖେଳାଳି ରାଜେଶ ମହାନ୍ତି ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।