Categories: ଖେଳ

ସେମିରେ ପାରାମାଉଣ୍ଟ ସ୍ପୋର୍ଟିଂ

ଭୁବନେଶ୍ୱର,୨୧ା୪ (ସ୍ପୋଟର୍‌ସ ବ୍ୟୁରୋ): ଟାଉନ୍‌ କ୍ଲବ ପଡ଼ିଆରେ ଚାଲିଥିବା ୧୫ ବର୍ଷରୁ କମ୍‌ ଜୁନିୟର କ୍ରିକେଟ ଟୁର୍ନାମେଣ୍ଟରେ ଗୁରୁବାର ଅନୁଷ୍ଠିତ ଦୁଇଟି ମ୍ୟାଚରେ ପାରାମାଉଣ୍ଟ ସ୍ପୋର୍ଟିଂ ଓ ଓସ୍କାର ସ୍ପୋର୍ଟିଂ ବିଜୟୀ ହୋଇଛନ୍ତି। ପ୍ରଥମ ମ୍ୟାଚରେ ଜାଗୃତି କ୍ରିକେଟ କ୍ଲବକୁ ପରାସ୍ତ କରି ପାରାମାଉଣ୍ଟ ସେମିରେ ପ୍ରବେଶ କରିଛି। ଜାଗୃତି କ୍ରିକେଟ କ୍ଲବ ପ୍ରଥମେ ବ୍ୟାଟିଂ କରି ୧୨.୨ ଓଭରରେ ୨୬ ରନରେ ଅଲଆଉଟ ହୋଇଥିଲା। ପାରାମାଉଣ୍ଟ ପକ୍ଷରୁ ସ୍ବସ୍ତିକ ଚୌଧୁରୀ ୪, ଏସ୍‌ କେ ନକିବ୍‌ ଓ ତନୁସ୍‌ ଦେ ୨ଟି ଲେଖାଏ ଉଇକେଟ ନେଇଥିଲେ। ଜବାବରେ ପାରାମାଉଣ୍ଟ ସ୍ବାଗତ ମିଶ୍ରଙ୍କ ୨୬ ରନ୍‌ ବଳରେ ବିନା କ୍ଷତିରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ସ୍ବସ୍ତିକ ଚୌଧୁରୀଙ୍କୁ ଟାଉନ୍‌ କ୍ଲବ ସଦସ୍ୟ ଶଶୀ ଶେଖର ଗରାବଡୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ପୁରସ୍କାର ପ୍ରଦାନ କରିଥିଲେ।
ଦ୍ୱିତୀୟ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ମୁକ୍ତେଶ୍ୱର ୨୧ ଓଭରରେ ୮୨ ରନ୍‌ରେ ଅଲଆଉଟ ହୋଇଥିଲା। ଓସ୍କାର ପକ୍ଷରୁ ଅଭିନବ ରୋନକ ପାଣି ୩, ପ୍ରୟାନ୍‌ ସାମଲ ଓ ଆର୍ଯ୍ୟବୀର ଲେଙ୍କା ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ଜବାବରେ ପ୍ରୟାନ୍‌ ସାମଲଙ୍କ ୪୨ ରନ୍‌ ବଳରେ ଓସ୍କାର କ୍ଲବ ୪ ଉଇକେଟ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ସମାଜସେବୀ ଗଣେଶ ପାଲ ପ୍ରୟାନଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ। ଏହା ସହିତ ଟୁର୍ନାମେଣ୍ଟର ସେମିଫାଇନାଲ ଲାଇନ୍‌ ଅପ୍‌ ଚୂଡାନ୍ତ ହୋଇଛି। ପ୍ରଥମ ସେମିଫାଇନାଲ ଶେଖର ସ୍ପୋର୍ଟିଂ-ଟାଉନ୍‌ କ୍ଲବ୍‌ ‘ଏ’ ଓ ଦ୍ୱିତୀୟ ସେମିଫାଇନାଲ ପାରାମାଉଣ୍ଟ-ରାମେଶ୍ୱର ସ୍ପୋର୍ଟିଂ ମଧ୍ୟରେ ଖେଳାଯିବ।

Share