ଦୁଇ ଦୁଇ ଥର ଭାଙ୍ଗିଛି ପାରସ୍‌ଙ୍କ ହୃଦୟ; କାରଣ ନ କହି ବ୍ରେକ୍‌ଅପ୍‌ କରିଥିଲେ ଉର୍ଫି

ବମ୍ବେ: ଟେଲିପରଦାର ଲୋକପ୍ରିୟ ଧାରାବାହିକ ମଧ୍ୟରୁ ‘ଅନୁପମା’ ଅନ୍ୟତମ। ଶୋ’ର ଷ୍ଟାରକାଷ୍ଟର ପ୍ରତିଟି ଚରିତ୍ର ଏବେ ଘରେ ଘରେ ପରିଚିତ। ଅନୁପମାଙ୍କ ପୁଅ ସମର ଭୂମିକାରେ ନଜର ଆସୁଥିଲେ ପାରସ କଲନାଓ୍ବତ। ଶୋ’ ଛାଡ଼ିବା ପରଠାରୁ ସେ ‘ଝଲକ୍‌ ଦିଖଲା ଯା’ରେ ପ୍ରତିଯୋଗୀ ପାଲଟିଛନ୍ତି। ଦିନକୁ ଦିନ ତାଙ୍କର ଲୋକପ୍ରିୟତା ବଢ଼ୁଥିବା ବେଳେ ମହିଳା ପ୍ରଶଂସକଙ୍କ ସଂଖ୍ୟା ବଢ଼ୁଛି। ହେଲେ ଲକ୍ଷ ଲକ୍ଷ ହୃଦୟ ଜିତିଥିବା ପାରସଙ୍କ ହୃଦୟ ଏକାଧିକ ଥର ଭାଙ୍ଗିଛି।

୨୪ ବର୍ଷର ପାରସ ବିଗ୍‌ ବସ୍‌ ଓଟିଟିର ପ୍ରତିଯୋଗୀ ଉର୍ଫି ଜାଭେଦଙ୍କ ପ୍ରେମରେ ପଡ଼ିଥିଲେ। ସେତେବେଳେ ଅଭିନେତା ଧାରାବାହିକ ‘ମେରି ଦୁର୍ଗା’ରେ କାମ କରୁଥିଲେ। ଶୁଟିଂସେଟ୍‌ରୁ ସେ ଉର୍ଫିଙ୍କୁ ଡେଟ୍‌ କରିବା ଆରମ୍ଭ କରିଥିଲେ। ହେଲେ ସମ୍ପର୍କ ମାତ୍ର ୯ ମାସ ଚାଲିଥିଲା। ଉର୍ଫି ବ୍ରେକ୍‌ଅପ୍‌ କରିଦେବା ପରେ ପାରସ ଭାଙ୍ଗି ପଡ଼ିଥିଲେ। ଏଥିରୁ ମୁକୁଳିବା ପାଇଁ ତାଙ୍କୁ ସମୟ ଲାଗିଥିଲା। ପୂର୍ବରୁ ଜଣଙ୍କ ସହ ସମ୍ପର୍କ ତୁଟିବା ପରେ ସେ ଉର୍ଫିଙ୍କ ପ୍ରେମରେ ଥିଲେ। ଏଣୁ ସେ ସବୁକୁ ଗ୍ରହଣ କରିପାରି ନ ଥିଲେ ପାରସ।

କ’ଣ ପାଇଁ ବ୍ରେକ୍‌ଅପ୍‌ କରୁଛନ୍ତି ତାହା କହି ନ ଥିଲେ ଉର୍ଫି। ତାହା ପାରସଙ୍କୁ ଧକ୍କା ଦେଇଥିଲା। ତଥାପି ସେ ନିଜ ହାତରେ ତାଙ୍କ ନାମର ଟାଟୁ କରିଥିଲେ। ନିଜ ପାଖରେ ପ୍ରେମିକାଙ୍କ ସ୍ମୃତି ରଖିବାକୁ ସେ ଏପରି କରିଥିଲେ।

ଉର୍ଫି ‘ବଡେ ଭୟା କି ଦୁଲ୍‌ହନିଆ’ରୁ ଆରମ୍ଭ କରିଥିବା ବେଳେ ‘ଚନ୍ଦ୍ର ନନ୍ଦିନୀ’, ‘ମେରି ଦୁର୍ଗା’, ‘ୟେ ରିସ୍ତା କ୍ୟା କେହଲାତା ହୈ’, ‘କସୌଟି ଜିନ୍ଦେଗୀ କି’,‘ ଏ ମେରେ ହମସଫର’ ଭଳି ଧାରାବାହିକରେ କାମ କରିଛନ୍ତି। ଅଭିନେତ୍ରୀ ହେବା ପୂର୍ବରୁ ଦିଲ୍ଲୀରେ ସେ ଜଣେ ସହାୟକ ଫ୍ୟାଶନ ଡିଜାଇନର ଭାବେ କାମ କରୁଥିଲେ।

Share