ସନ୍ତାନ ପାଇଁ ଦେବତାତୁଲ୍ୟ ମାତାପିତା। ସେମାନଙ୍କ ସୁଚିନ୍ତିତ ଲାଳନପାଳନରେ ଶିଶୁ ହୁଏ ସୁନାଗରିକ। ସୁନାଗରିକ ଦ୍ୱାରା ହିଁ ଦେଶ ହୁଏ ସମୃଦ୍ଧ। ମାତାପିତାଙ୍କ ଅଭିଜ୍ଞତା ଆଧାରରେ ଶିଶୁର ପାରସ୍ପରିକ ବହୁବିଧ ବିକାଶ ସମ୍ଭବ ହୋଇଥାଏ। ଭାରତୀୟ ସଂସ୍କୃତିରେ ଅତି ପ୍ରାଚୀନ କାଳରୁ ମାତାପିତାମାନେ ସନ୍ତାନଙ୍କ ମାଧ୍ୟମରେ ରାଷ୍ଟ୍ରଗଠନର ଚିନ୍ତା କରିଆସୁଛନ୍ତି। ପ୍ରକୃତ ପକ୍ଷେ ସନ୍ତାନଙ୍କ କ୍ଷେତ୍ରରେ ମାତାପିତାଙ୍କ ସ୍ଥାନ କେହି ଗ୍ରହଣ କରିପାରିବେ ନାହିଁ।
ସନ୍ତାନର ବିକାଶ ମାଧ୍ୟମରେ ଉନ୍ନତ ରାଷ୍ଟ୍ରଗଠନର ସ୍ବପ୍ନକୁ ସତ୍ୟରେ ପରିଣତ କରୁଥିବା ମାତାପିତାଙ୍କ ପ୍ରତି ଦାୟିତ୍ୱବୋଧ ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଜୁଲାଇ ମାସର ଚତୁର୍ଥ ରବିବାରକୁ ଜାତୀୟ ମାତୃପିତୃ ଦିବସ ଭାବେ ପାଳନ କରାଯାଇଥାଏ। ୧୯୯୪ରେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ ଏନେଇ ଆଇନ ପ୍ରଣୟନ କରିବା ସହିତ ଏକ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଥିଲେ। ସେବେଠାରୁ ପ୍ରତିବର୍ଷ ଜାତୀୟ ମାତୃପିତୃ ଦିବସ ପାଳିତ ହୋଇ ଆସୁଛି। ଅନାବିଳ ସ୍ନେହ, ଅସୀମ ତ୍ୟାଗ ଦ୍ୱାରା ସନ୍ତାନକୁ ଗଢିତୋଳିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ମାତାପିତାଙ୍କୁ ପରିଣତ ବୟସରେ ସେବା ଓ ସୁରକ୍ଷା ଯୋଗାଇଦେବା ଆମର କର୍ତ୍ତବ୍ୟ।