କୋକସରା, ୧୪।୧୦ (ଡି.ଏନ.ଏ.) – କଳାହାଣ୍ଡି ଜିଲା କୋକସରା ବ୍ଲକ କାଉଡୋଲା ପଞ୍ଚାୟତ ଅନ୍ତର୍ଗତ କାଉଡୋଲା ଗ୍ରାମର ଡମ୍ବରୁଧର କର ଓ ଡାଲିମ୍ବ କରଙ୍କ ପୁଅ ମୁକେଶ। ପାଞ୍ଚବର୍ଷ ତଳେ ପୁଅ ଜନ୍ମ ପରେ ଘରେ ଖୁସିର ଲହରି ଖେଳିଯାଇଥିଲା। ହେଲେ ପୁଅର ବୟସ ବଢିବା ସହ ସବୁ ଖୁସି ଯେମିତି ମିଳେଇଗଲା। ଶାରୀରିକ ବୃଦ୍ଧି ହେଲେ ମଧ୍ୟ ମୁକେଶ କଥାବାର୍ତ୍ତା କରି ପାରିଲେନି। ଚଲାବୁଲା କରି ନ ପାରି ସବୁବେଳେ ଶେଯରେ ଶୋଇ ରହିଲେ। ଗରିବ ବାପମା’ଙ୍କ ମୁଣ୍ଡରେ ଚଡ଼କ ପଡ଼ିଲା। ମୂଲମଜୁରି ଲାଗି ପରିବାର ଚଳାଉଥିବା ଡମ୍ବରୁଧର ପୁଅକୁ ନେଇ ସ୍ଥାନୀୟ ଡାକ୍ତରଖାନାରେ ଦେଖାଇଥିଲେ। ହେଲେ ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିଲାନି। ସେହିଦିନୁ ମୁକେଶ ଘରେ ପଡି ରହିଛନ୍ତି। ଯେଉଁ ବୟସରେ ପିଲା ଧଁାଦୌଡ କରିବା କଥା ସେତିକି ବେଳେ ସେ ଘରେ ଗୋଟିଏ ଜାଗାରେ ପଡି ରହିଛନ୍ତି। ଆର୍ଥିକ ଦୁଃସ୍ଥିତି ଯୋଗୁ ପୁଅର ଚିକିତ୍ସା କରାଇ ପାରୁ ନାହାନ୍ତି ଡମ୍ବରୁଧର। ତାଙ୍କ ଆର୍ଥିକ ସ୍ଥିତି ଅତ୍ୟନ୍ତ ଦୁର୍ବଳ। ଜମିବାଡି କିଛି ନାହିଁ। ଭଙ୍ଗା ଘରେ ରହୁଥିଲେ ବି ଆବାସ ଯୋଜନାରେ ଘର ମିଳିନାହିଁ। ସ୍ଥାନୀୟ ସରପଞ୍ଚଙ୍କୁ ବାରମ୍ବାର କହିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ସରକାର ଭିନ୍ନକ୍ଷମମାନଙ୍କ ଉନ୍ନତି କଳ୍ପେ ବିଭନ୍ନ ଯୋଜନା କରିଛନ୍ତି। ଭିନ୍ନକ୍ଷମ ପ୍ରମାଣ ପତ୍ର ଥିଲେ ବି ମୁକେଶ କୌଣସି ସୁବିଧା ପାଇ ପାରିନାହାନ୍ତି। ଭିନ୍ନକ୍ଷମଙ୍କ ଗୃହ ନିର୍ମାଣ ପାଇଁ ଆବାସ ଯୋଜନାର ବ୍ୟବସ୍ଥା ଥିଲେ ହେଁ ଡମ୍ବରୁଧର ସେଥିରୁ ବଞ୍ଚିତ ରହିଛନ୍ତି। ଏନେଇ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ ବେହେରାଙ୍କୁ ପଚାରିବାରୁ ଆମ ପାଖରେ ଖବର ନ ଥିଲା। ମେଡିକାଲ ଟିମ୍ ପଠାଇ ମୁକେଶଙ୍କ ଚିକିତ୍ସାର ବ୍ୟବସ୍ଥା କରାଯିବ। ଭତ୍ତା ପାଇଁ ଅବିଳମ୍ବେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।