ଅଭିଭାବକଙ୍କ ଚିନ୍ତା

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ୨୯ ଅଗଷ୍ଟରେ ‘ଅନ୍‌ଲକ୍‌-୪’ ପାଇଁ ନିୟମାବଳୀ ଘୋଷଣା କରିଥିଲା। ସେଥିରେ ଦର୍ଶାଯାଇଥିଲା ଯେ, ୨୧ ସେପ୍ଟେମ୍ବରରେ ସ୍କୁଲଗୁଡ଼ିକୁ ଆଂଶିକ ଖୋଲିବା ସକାଶେ ଅନୁମତି ଦିଆଗଲା। ଶିକ୍ଷକମାନଙ୍କ ତତ୍ତ୍ୱାବଧାନରେ କଣ୍ଟେନ୍‌ମେଣ୍ଟ ଜୋନ୍‌ ବାହାରେ ଥିବା ସ୍କୁଲଗୁଡ଼ିକ ଖୋଲାଯାଇପାରିବ, ଯେଉଁଥିରେ ନବମରୁ ଦ୍ୱାଦଶ ଶ୍ରେଣୀ ଯାଏ ପିଲାମାନେ ସ୍ବଇଚ୍ଛାରେ ପଢ଼ିବାକୁ ଯାଇପାରିବେ ବୋଲି ଗାଇଡ୍‌ଲାଇନ୍‌ରେ ସ୍ପଷ୍ଟ କରାଯାଇଥିଲା। ତେବେ ସେହିଦିନ ଉପସ୍ଥିତ ହେବା ପରେ ଦେଖାଯାଇଛି ଯେ, ଦେଶର ୮ଟି ରାଜ୍ୟ ଆସାମ, ମେଘାଳୟ, ନାଗାଲାଣ୍ଡ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ଜମ୍ମୁ ଓ କଶ୍ମୀର, ହରିୟାଣା ଏବଂ ହିମାଚଳ ପ୍ରଦେଶରେ ସ୍କୁଲ ଖୋଲିଛି। କିନ୍ତୁ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ଅତ୍ୟନ୍ତ ନଗଣ୍ୟ ରହିଛି। ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ଅମଙ୍ଗ ହେଉଥିବା ଏଥିରୁ ବୁଝିବାକୁ ହେବ। ଏଭଳିସ୍ଥଳେ ଓଡ଼ିଶା ସରକାର ଦୁର୍ଗାପୂଜା ପରେ ସ୍କୁଲ ପୁନଃ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଥିବାରୁ ଅଭିଭାବକ ଓ ଶିକ୍ଷକ ମହଲରେ ଏହାକୁ ସ୍ବାଗତ କରାଯାଇଛି। ଦେଖିବାକୁ ଗଲେ ଏବେ ଓଡ଼ିଶାରେ କୋଭିଡ୍‌-୧୯ ସଂକ୍ରମଣ ଯେଭଳି ବଢ଼ିଚାଲିଛି, ସେହି ସମୟରେ ପିଲାମାନଙ୍କୁ ବିଦ୍ୟାଳୟ ଛାଡ଼ିବା ଠିକ୍‌ ନୁହେଁ ବୋଲି ସମସ୍ତେ ହୃଦ୍‌ବୋଧ କଲେଣି। ଗତ ୪ ଦିନର ତଥ୍ୟ ଦେଖିଲେ ଓଡ଼ିଶାରେ ସଂକ୍ରମଣ ସଂଖ୍ୟା ୪ ହଜାର ଉପରେ ରହିଛି। ସେଥିପାଇଁ ଅଭିଭାବକମାନେ କହୁଛନ୍ତି ଯେ, କୋଭିଡ୍‌-୧୯ ଲାଗି ଟିକା ନ ବାହାରିବା ଯାଏ କିମ୍ବା ଓଡ଼ିଶା କୋଭିଡ୍‌ମୁକ୍ତ ନ ହେବା ଯାଏ ସେମାନେ ସେମାନଙ୍କ ପିଲାମାନଙ୍କୁ ସ୍କୁଲ ଛାଡ଼ିବେ ନାହିଁ।
ଅଭିଭାବକଙ୍କ ଚିନ୍ତାକୁ ଏଠାରେ ଗୁରୁତ୍ୱ ଦିଆଯିବା ଉଚିତ। ଯେତେବେଳେ ମଧ୍ୟବୟସ୍କ ଓ ବରିଷ୍ଠ ଲୋକମାନେ କୋଭିଡ୍‌ ନିୟମ ଠିକ୍‌ ଭାବେ ପାଳନ କରିପାରୁନାହାନ୍ତି, ସେତେବେଳେ ସ୍କୁଲରେ ପିଲାମାନଙ୍କୁ କିଏ ଜଗିବେ। ସେମାନେ ପାଖାପାଖି ବସିବେ, ଖାଇବେ, ଖେଳିବେ, ପ୍ରାର୍ଥନା କରିବେ ଓ ପାଠାଗାର ଯିବା ଆଦି ପ୍ରତିଟି କାର୍ଯ୍ୟ ମିଳିମିଶି କରିଥାଆନ୍ତି। ପିଲାମାନେ ଠିକ୍‌ ଭାବେ ମାସ୍କ ପିନ୍ଧିଲେ କି ନାହିଁ, ଶାରୀରିକ ଦୂରତା ବଜାୟ ରଖୁଛନ୍ତି କି ନାହିଁ ସେଗୁଡ଼ିକ ତଦାରଖ କରିବା ଶିକ୍ଷୟିତ୍ରୀଶିକ୍ଷକ ବା ସ୍କୁଲର କର୍ମଚାରୀଙ୍କ ଦ୍ୱାରା ସମ୍ଭବ ହୋଇପାରିବ ନାହିଁ। ଏମିତିକି ହୋଇପାରେ ସ୍କୁଲ କର୍ମଚାରୀଙ୍କ ଦ୍ୱାରା ପିଲାମାନେ ସଂକ୍ରମିତ ହୋଇପାରନ୍ତି କିମ୍ବା ଛାତ୍ରୀଛାତ୍ରଙ୍କ ଦ୍ୱାରା ସ୍କୁଲ କର୍ମଚାରୀମାନେ ଆକ୍ରାନ୍ତ ହୋଇପାରନ୍ତି। ତେବେ ବହୁ ସଂଖ୍ୟକ ପିଲା ଏକସଙ୍ଗେ ସଂକ୍ରମିତ ହେଲେ ‘ନେଡ଼ିଗୁଡ଼ କହୁଣିକୁ ବୋହିଯିବ’। ଏବେ ଆମେରିକାରେ ସେଭଳି ସ୍ଥିତି ପରିଲକ୍ଷିତ ହୋଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଏକଜିଦିଆ ନିଷ୍ପତ୍ତି ଯୋଗୁ ତାଙ୍କ ଦଳ ଦ୍ୱାରା ଶାସିତ ଅନେକ ରାଜ୍ୟରେ ସ୍କୁଲ ଓ କଲେଜ ଖୋଲି ଦିଆଗଲା। ତତ୍‌କ୍ଷଣାତ୍‌ ଏହିସବୁ ଶିକ୍ଷାନୁଷ୍ଠାନରେ କୋଭିଡ୍‌ ପଜିଟିଭ୍‌ ପିଲାଙ୍କ ସଂଖ୍ୟା ଅତ୍ୟଧିକ ମାତ୍ରାରେ ବୃଦ୍ଧି ପାଇଗଲା। ଆମେରିକାରେ ହୋଇଥିବା ଏକ ସର୍ଭେ ଅନୁଯାୟୀ ଅଧିକାଂଶ ଶିକ୍ଷୟିତ୍ରୀଶିକ୍ଷକ ସ୍କୁଲ ଖୋଲିବା ବିରୋଧରେ ମତ ଦେଇଛନ୍ତି। ତଥାପି ସରକାରଙ୍କ ଭୁଲ୍‌ ନିଷ୍ପତ୍ତି ଯୋଗୁ ଅନେକ ଛାତ୍ରୀଛାତ୍ରଙ୍କ ମୃତ୍ୟୁ ଘଟିଯାଇଛି। ଭାରତରେ ବିଦ୍ୟାଳୟଗୁଡ଼ିକୁ ପୁନଃ ଖୋଲି ଦିଆଗଲେ ଦେଶର ଛାତ୍ରୀଛାତ୍ରଙ୍କ ସଂଖ୍ୟା ଦୃଷ୍ଟିରୁ ଏହା ବଡ଼ ବିପଦ ସୃଷ୍ଟି କରିବ।
୨୦୨୦ ମାର୍ଚ୍ଚ ଅଧାଅଧି ବେଳକୁ କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖାଯାଇ ସ୍କୁଲଗୁଡ଼ିକୁ ବନ୍ଦ ରଖାଯାଇଛି। ପ୍ରାୟ ପ୍ରତ୍ୟେକ ସ୍କୁଲରେ ଅନ୍‌ଲାଇନ୍‌ କ୍ଲାସ କରାଯାଉଛି। ଏହା ମଧ୍ୟ ସ୍ବୀକାରଯୋଗ୍ୟ ଯେ ଅନେକ ଗରିବ ପରିବାରର ପିଲାମାନେ ପାଠପଢ଼ା ପାଇଁ ଆବଶ୍ୟକ ସାଧନ ଯଥା କମ୍ପ୍ୟୁଟର ଓ ଇଣ୍ଟରନେଟ୍‌ ସଂଯୋଗ ନ ଥିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଇତିମଧ୍ୟରେ ପାଠ୍ୟକ୍ରମ ୩୦ ପ୍ରତିଶତ ହ୍ରାସ କରିଦିଆଯାଇଛି। ତେବେ ଶ୍ରେଣୀ କକ୍ଷରେ ପଢ଼ାଯାଇ ଆସୁଥିବା ଭଳି ଅନ୍‌ଲାଇନ୍‌ ଶିକ୍ଷା ସମକକ୍ଷ ହୋଇପାରୁ ନାହିଁ। ତଥାପି ମହାମାରୀକୁ ଦୃଷ୍ଟିରେ ରଖାଯାଇ ପଦକ୍ଷେପ ନିଆଯିବାର ଆବଶ୍ୟକତା ସୃଷ୍ଟି ହୋଇଛି। ଏଥିସହିତ କୋଭିଡ୍‌ ଯୋଗୁ ଶିକ୍ଷା ବ୍ୟବସ୍ଥାରେ ଘଟିଥିବା ପରିବର୍ତ୍ତନ ଯଥା ପାଠ୍ୟକ୍ରମ ହ୍ରାସ କରାଯାଇଥିବା ଭଳି ନିଷ୍ପତ୍ତି ଭବିଷ୍ୟତରେ ଭାରତୀୟ ଶିକ୍ଷା ବ୍ୟବସ୍ଥା ଉପରେ ଦୀର୍ଘମିଆଦୀ ପ୍ରଭାବ ପକାଇପାରେ।
ଏବେ ବିଶ୍ୱବ୍ୟାପୀ କୋଭିଡ୍‌-୧୯ ତା’ର ଉପସ୍ଥିତି ସୁଦୃଢ଼ କରିଥିବାରୁ ପ୍ରତ୍ୟେକଙ୍କୁ ଏହି ବିଷମ ସମୟରେ ତା’ ସହିତ ରହି ଚଳିବାକୁ ପଡ଼ିବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ତେଣୁ ସାର୍ବଜନୀନ ଟିକା ନ ବାହାରିବା ଯାଏ ସମସ୍ତଙ୍କୁ ସଜାଗ ହେବାକୁ ପଡ଼ିବ। ଏଭଳି ପରିପ୍ରେକ୍ଷୀରେ ଭାରତ ବିଶେଷକରି ଓଡ଼ିଶାର ସ୍ଥିତି ଦେଖିଲେ ସଂକ୍ରମଣ ଦିନକୁ ଦିନ ଡେଇଁ ଚାଲୁଥିବାରୁ ସ୍କୁଲଗୁଡ଼ିକୁ ଆସନ୍ତାବର୍ଷ ମାର୍ଚ୍ଚ ଯାଏ ବନ୍ଦ ରଖିବା ଲାଗି ଘୋଷଣା ହେବା ଦରକାର।
ଏଠରେ ଉଲ୍ଲେଖଯୋଗ୍ୟ ଯେ, ୨୨ ସେପ୍ଟେମ୍ବର ୨୦୨୦ରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ତାଙ୍କ ଦେଶବାସୀଙ୍କୁ ଅନୁରୋଧ କରି କହିଛନ୍ତି ଯେ, ଆଗାମୀ ୬ ମାସ ପାଇଁ ଘରେ ରହି କାର୍ଯ୍ୟ କରନ୍ତୁ। ସମସ୍ତେ ଏହି ନିବେଦନକୁ ମାନିଲେ କରୋନାକୁ ରୋକି ହେବ ବୋଲି ପ୍ରଧାନମନ୍ତ୍ରୀ ଜନସନ୍‌ କହିଛନ୍ତି। ଅତଏବ ଭାରତରେ ସ୍କୁଲ ଖୋଲିବା ନେଇ ଦ୍ୱନ୍ଦ୍ୱ ଦୂର କରାଯାଇ ସ୍ପଷ୍ଟ ନୟମାବଳୀ ପ୍ରକାଶ ପାଇବା ଜରୁରୀ ହୋଇପଡ଼ିଲାଣି। ତାହାହେଲେ ଅଭିଭାବକ ଓ ସେମାନଙ୍କ ପିଲାମାନେ ଚିନ୍ତାମୁକ୍ତ ହେବେ। ଛାତ୍ରୀଛାତ୍ର ନିଜ ତରିକାରେ ଯେଭଳି ଘରେ ରହି ପଢ଼ି ଆସୁଛନ୍ତି ସେଥିରେ ମନକୁ ସ୍ଥିର କରିନେବେ। କାରଣ ସେମାନଙ୍କ ଶାରୀରିକ ସୁରକ୍ଷା ସବୁଠାରୁ ଆଗରେ ରହିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କୁହାଯାଏ ଜ୍ଞାନ ଅର୍ଜନ କରିବାର କୌଣସି ନିର୍ଦ୍ଦିଷ୍ଟ ବୟସ ନ ଥାଏ। ସେଥିପାଇଁ ତ ୮୧ ବର୍ଷ ବୟସରେ ବି ପୁଣି ଥରେ ପାଠ ପଢ଼ିବା...

ଓଲଟ ଗତି

ଜଣେ ବିଦେଶୀ ପର୍ଯ୍ୟଟକ ସକାଳୁ ସହରର ଏକ ଲଜିଂରୁ ରେଳଷ୍ଟେଶନକୁ ଚାଲିଚାଲି ଯାଉଥିଲେ ଓ ଦୁଇଟି ଓଜନିଆ ବ୍ୟାଗ୍‌ ଧରିଥିବାରୁ ଥକିପଡୁଥିଲେ। ସେହି ରାସ୍ତା ଦେଇ...

ମାକ୍ସୱେଲ୍‌ଙ୍କ ତରଙ୍ଗ ଓ ଆଲୋକ

ବ୍ରିଟିଶ ଗବେଷକ ସାର୍‌ ଆଇଜାକ୍‌ ନ୍ୟୁଟନ୍‌ ଆମ ଆଖପାଖରେ ଥିବା ବସ୍ତୁଗୁଡ଼ିକର ଗତିକୁ ନିର୍ଦ୍ଦିଷ୍ଟ ରୂପେ ମାପିବା ପାଇଁ ଗତିଶୀଳ ବସ୍ତୁର ଗତି ପଛରେ ନିହିତ...

ମୁଦ୍ରାସ୍ଫୀତି ଓ ଜଳବାୟୁ ସଙ୍କଟ

ବର୍ଷେ ଦୁଇ ବର୍ଷ ହେଲା ବୈଶ୍ୱିକ ମୁଦ୍ରାସ୍ଫୀତି ଯୋଗୁ ଖାଦ୍ୟ, ଶକ୍ତି ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଜିନିଷଗୁଡ଼ିକର ଅହେତୁକ ମୂଲ୍ୟ ବୃଦ୍ଧି ଘଟିଛି। ଫଳରେ ସାରା...

ବିବାହରେ ଅତିଥି

ବର୍ଷା ଋତୁ ନିଜର ଦାୟିତ୍ୱହୀନତା ପାଇଁ କୁଖ୍ୟାତ। ପାଣିପାଗ ବିଭାଗର ପୂର୍ବାନୁମାନ ସତ୍ତ୍ୱେ ବର୍ଷା ସମ୍ପୂର୍ଣ୍ଣ ନିଜ ଇଚ୍ଛାରେ ଚଳପ୍ରଚଳ। କେତେବେଳେ ସେ ଠିକ୍‌ ସମୟରେ...

ବୋଉ

ମୁଁ ଜାଣିପାରେନି ସକାଳ ହେଲେ ବୋଉ ଉଠିବ ନା ବୋଉ ଉଠିବ ବୋଲି ସକାଳ ହୁଏ। ମୁଁ ଜାଣିପାରେନି ବୋଉକୁ ହିସାବପତ୍ର ଆସେ କି ନାହିଁ,...

ସଗୁଣ, ନିର୍ଗୁଣ ଓ ବିଜ୍ଞାନ

ଅଧିକାଂଶ ଧାର୍ମିକ ଲୋକ ବିଜ୍ଞାନ ପ୍ରତି ଈର୍ଷାଭାବ ପୋଷଣ କରିଥାନ୍ତିି। କିନ୍ତୁ ସିଦ୍ଧାନ୍ତକୁ ଆଧାର କରି ବିଜ୍ଞାନ ଧର୍ମକୁ ଟପିଯାଇଛି। ମନ୍ତ୍ର କିମ୍ବା ଯାଦୁଶକ୍ତି ପରିବର୍ତ୍ତେ...

ହଉ କିଛି ନୂଆ

ରାଜନୈତିକ ଦୃଷ୍ଟିକୋଣରୁ ୨୦୨୪ ଓଡ଼ିଶା ପାଇଁ ଥିଲା ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ। ବିଜୁ ଜନତା ଦଳ(ବିଜେଡି)ର ୨୪ ବର୍ଷ ଶାସନର ଅବସାନ ଘଟିଥିଲା। ଲୋକଙ୍କର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri