Categories: ଖେଳ

ଖେଳାଳି ଭାବେ ଗଢ଼ିବାରେ ମା’ ବାପାଙ୍କ ବଡ଼ ଭୂମିକା ରହିଛି: ସୁଖଜିତ

ନୂଆଦିଲ୍ଲୀ,୧ା୧୦: ଏସିଆନ ଗେମ୍ସରେ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ରେକର୍ଡ ବିଜୟ ପରେ ଭାରତୀୟ ହକି ଖେଳାଳି ସୁଖଜିତ ସିଂ ମା’ବାପାଙ୍କ ପ୍ରଶଂସା କରିଛନ୍ତି। ‘ହକି ତେ ଚର୍ଚ୍ଚା’ ଶୀର୍ଷକ ଏକ କାର୍ଯ୍ୟକ୍ରମରେ ଭାଗ ନେଇ ସୁଖଜିତ ତାଙ୍କୁ ଜଣେ ହକି ଖେଳାଳି ଭାବେ ଗଢ଼ିବାରେ ମା’ବାପାଙ୍କ ବଡ଼ ଭୂମିକା ରହିଛି ବୋଲି କହିଛନ୍ତି।

ବାପାଙ୍କ ଏକ ବଡ଼ ହକି ଷ୍ଟିକ୍‌ ରହିଥିଲା। ତାହାକୁ କାଟି ସେ ତାଙ୍କୁ ଦେଇଥିଲେ, ସେତେବେଳକୁ ସୁଖଜିତଙ୍କୁ ଚାରି କିମ୍ବା ପାଞ୍ଚ ବର୍ଷ ବୟସ ହୋଇଥିଲା। ବାପା କର୍ମକ୍ଷେତ୍ରରୁ ଫେରିବା ପରେ ମୋତେ ନିୟମିତ ପଡ଼ିଆକୁ ନେଇ ହକି ଖେଳ ଶିଖାଉଥିଲେ।

ସୁଖଜିତ୍‌ କହିଛନ୍ତି, ଏକଦା ବ୍ୟାକ୍‌ ଇଞ୍ଜୁରି ପାଇଁ ତାଙ୍କୁ ସଂଘର୍ଷ କରିବାକୁ ପଡ଼ିଥିଲା। ସେ ପୁଣି ଚାଲିପାରିବେ କି ନାହିଁ ସେ ନେଇ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ସେତିକିବେଳେ ବାପା ଉତ୍ସାହିତ କରିବା ସହ ମନରେ ଆତ୍ମବିଶ୍ୱାସ ସୃଷ୍ଟି କରିଥିଲେ। ଅଞ୍ଚଳରେ ଫିଜିଓ ନ ଥିଲେ। ଏହି ସମୟରେ ସେ ମୋ ପାଇଁ ବଡ଼ ସାହାରା ପାଲଟି ଥିଲେ। ବାପା ନିୟମିତ ମାଲିସ କରିବା ଦ୍ୱାରା ମୁଁ ଶୀଘ୍ର ଆରୋଗ୍ୟ ଲାଭ କରିଥିଲି।

ସୁଖଜିତ ଭାରତୀୟ ଦଳ ପାଇଁ ଫରଓ୍ବାର୍ଡ ପୋଜିଶନରେ ଖେଳିଥାନ୍ତି। ବର୍ତ୍ତମାନ ସେ ଏସିଆନ ଗେମ୍ସ ଖେଳୁଥିବା ଦଳର ସଦସ୍ୟ ରହିଛନ୍ତି। ତାଙ୍କ ପିତା ଅଜିତ ସିଂ ଜଣେ ପୂର୍ବତନ ହକି ଖେଳାଳି। ସୁଖଜିତ୍‌ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ୪୩ ମ୍ୟାଚ ଖେଳି ୧୩ ଗୋଲ୍‌ ସ୍କୋର କରିସାରିଛନ୍ତି। ଭାରତୀୟ ଦଳ ଅନ୍ତିମ ଲିଗ୍‌ ମ୍ୟାଚ ସୋମବାର ବାଂଲାଦେଶ ବିପକ୍ଷରେ ଖେଳିବ।

Share