Categories: ଜାତୀୟ

କଳିଯୁଗ ଶେଷ-ସତ୍ୟଯୁଗ ଆରମ୍ଭ କହି ୨ ଝିଅଙ୍କୁ ହତ୍ୟା କଲେ ମାତାପିତା

ଚିତୋର, ୨୫।୧: ଅନ୍ଧବିଶ୍ୱାସ ଯୋଗୁ ଆନ୍ଧ୍ରପ୍ରଦେଶର ଚିତୋର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ପ୍ରିନ୍ସପଲ ଦମ୍ପତିି ସେମାନଙ୍କର ୨ ଝିଅଙ୍କୁ ଡମ୍ବେଲ୍‌ରେ ପିଟି ହତ୍ୟା କରିଛନ୍ତି। ଏଠାକାର ମଦନାପଲ୍ଲେ ଅଞ୍ଚଳରେ ରବିବାର ରାତ୍ରରେ ମାତା ପଦ୍ମଜା ଏବଂ ପିତା ପୁରୁଷୋତ୍ତମ ନାଇଡୁ ସେମାନଙ୍କର ଦୁଇ ଝିଅ ଅଲେଖ୍ୟା ଏବଂ ସାଇ ଦିବ୍ୟାଙ୍କୁ ହତ୍ୟା କରିଛନ୍ତି। ଅଲେଖ୍ୟାଙ୍କ ବୟସ ୨୭ ବର୍ଷ ଥିବାବେଳେ ସାଇ ଦିବ୍ୟାଙ୍କ ବୟସ ୨୨ ବର୍ଷ ବୋଲି ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଅଲେଖ୍ୟା ଭୋପାଳରୁ ମାଷ୍ଟର ଡିଗ୍ରୀ କରିଥିବା ବେଳେ ସାଇ ବିଦ୍ୟା ବିବିଏ କରିଥିଲେ।ଉଭୟ ମାତାପିତା ପ୍ରିନ୍ସପଲ ଭାବେ କାର୍ଯ୍ୟ କରନ୍ତି। ପାଠ ପଢ଼ି ମଧ୍ୟ ସେମାନେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଏଭଳି କାଣ୍ଡ ଭିଆଇଛନ୍ତି। ଲକ୍‌ଡାଉନ୍‌ରେ ୨ ଭଉଣୀ ଘରକୁ ଫେରିଥିଲେ। ତେବେ ଶର୍ଟ ଡାଉନ୍‌ ଏବଂ ଲକ୍‌ଡାଉନ୍‌ ସମୟରେ ମାତାପିତାଙ୍କ ସମେତ ଦୁଇ ଭଉଣୀ ଅସ୍ବାଭାବିକ ଆଚରଣ ପ୍ରଦର୍ଶନ କରୁଥିଲେ ବୋଲି ପଡୋଶୀମାନେ କହିଛନ୍ତି। ଘଟଣା ଦିନ ରାତିରେ ଘରୁ ଚିତ୍କାର ଶୁଣାଯାଇଥିଲା। ଏନେଇ ପଡୋଶୀ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୂଜା ଘରେ ଜଣେ ଭଉଣୀଙ୍କ ମୃତ ଦେହ ପଡ଼ିଥିବା ଦେଖିଥିଲେ। ସେହିପରି ଘରର ଅନ୍ୟ ସ୍ଥାନରେ ସାନ ଭଉଣୀର ମୃତ ଦେହ ପଡ଼ି ରହିଥିଲା। ମୃତଦେହକୁ ଲାଲ୍‌ କପଡ଼ାରେ ଗୁଡାଇ ରଖାଯାଇଥିଲା। ମାତା ପିତା ପୋଲିସକୁ କହିଥିଲେ ଯେ, ରବିବାର କଳିଯୁଗ ଶେଷ ହେଉଛି। ସୋମବାରଠାରୁ ସତ୍ୟଯୁଗ ଆରମ୍ଭ ହେବ। ସୋମବାର ସକାଳେ ସୂର୍ଯ୍ୟଙ୍କ ପହିଲି କିରଣରେ ତାଙ୍କ ୨ ଝିଅ ଜୀବିତ ହୋଇଯିବେ। ପୋଲିସ ମାତାପିତାଙ୍କୁ ଗିରଫ କରିବା ସହିତ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାର ତଦନ୍ତ ଜାରି ରହିଛି।

Share