ମା’ବାପା, ବିଦ୍ୟାଶ୍ରୀଙ୍କୁ କ୍ରାଇମବ୍ରାଞ୍ଚର ପଚରାଉଚରା

ଭୁବନେଶ୍ୱର,୧।୮ (ବ୍ୟୁରୋ) : ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ରହସ୍ୟଜନକ ମୃତ୍ୟୁ ମାମଲାକୁ ଗୁରୁତ୍ୱର ସହ ନେଇଛି କ୍ରାଇମବ୍ରାଞ୍ଚ। ଜିଆର୍‌ପିଠାରୁ ସମସ୍ତ ଦସ୍ତାବିଜ ନେବା ସହ ତଦନ୍ତକୁ ଜୋର୍‌ଦାର କରିଛି। ଗୁରୁବାର କ୍ରାଇମ୍‌ବ୍ରାଞ୍ଚର ୩ ଜଣିଆ ଟିମ୍‌ ଆଦିତ୍ୟଙ୍କ ୩ ସହଯୋଗୀଙ୍କୁ ପଚରାଉଚରା କରିଥିବାବେଳେ ଶୁକ୍ରବାର ଆଦିତ୍ୟ ରହୁଥିବା ପଲାସପଲ୍ଲୀସ୍ଥିତ ଭଡ଼ାଘରକୁ ଯାଇ ତଦନ୍ତ କରିଛି। ଆଦିତ୍ୟଙ୍କ ମା’, ବାପାଙ୍କ ସମେତ ସ୍ତ୍ରୀ ବିଦ୍ୟାଶ୍ରୀଙ୍କୁ ୨ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା। ବିଶେଷକରି ପାରିବାରିକ ସମ୍ପର୍କକୁ ନେଇ ବିଦ୍ୟାଶ୍ରୀଙ୍କୁ ଅଧିକ ପ୍ରଶ୍ନ ପଚରାଯାଇଥିଲା। କେଉଁ ପରିସ୍ଥିତିରେ ଓ କିଭଳି ବାହାଘର ହୋଇଥିଲା, ଘଟଣା ଦିନ ଆଦିତ୍ୟଙ୍କ ସହ ଝଗଡ଼ା ହୋଇଥିଲା କି, ଶେଷଥର କେତେବେଳେ କଥା ହୋଇଥିଲେ, ସେବାଶ୍ରମ ଟଙ୍କା ଆଦି ଅନେକ ପ୍ରସଙ୍ଗରେ ଉତ୍ତର ଚାହିଁଥିଲେ କ୍ରାଇମବ୍ରାଞ୍ଚ ଅଧିକାରୀ। ପୂର୍ବରୁ ଜିଆର୍‌ପି ଆଗରେ ବିଦ୍ୟାଶ୍ରୀ ଯେଉଁ କଥା କହିଥିଲେ ସମାନ କଥା ଦୋହରାଇଥିବା ସୂଚନା ମିଳିଛି। ଏହାପରେ କ୍ରାଇମବ୍ରାଞ୍ଚ ଟିମ୍‌ ସୁନ୍ଦରପଦାସ୍ଥିତ ସେବାଶ୍ରମକୁ ଯାଇ ମଧ୍ୟ ତଦନ୍ତ କରିଥିଲା। ସେଠାରେ ରହୁଥିବା ବୃଦ୍ଧା ଅନ୍ତେବାସୀଙ୍କୁ ଆଦିତ୍ୟଙ୍କ ବିଷୟରେ ପଚରାଉଚରା କରି ଫେରିଥିଲା।
ଆଦିତ୍ୟଙ୍କ ମୃତ୍ୟୁ ପରେ ଏକ ସୁଇସାଇଡ଼୍‌ ନୋଟ୍‌ ଲେଖାଥିବା ଏକ ଡାଏରି ଜବତ ହୋଇଥିଲା। ସେ ଲେଖିଥିଲେ ଯେ, ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି। ତେବେ ତାହାକୁ ଆଦିତ୍ୟ ଲେଖି ନ ଥିବା ଅଭିଯୋଗ ଉଠିବା ପରେ ଯାଞ୍ଚ ପାଇଁ ଷ୍ଟେଟ ହ୍ୟାଣ୍ଡ୍‌ରାଇଟିଂ ବ୍ୟୁରୋକୁ ପଠାଯାଇଥିଲା। ୭ ଜଣିଆ ଟିମ୍‌ ଯାଞ୍ଚ କରି ଉକ୍ତ ହାତଲେଖା ଆଦିତ୍ୟଙ୍କର ବୋଲି ରିପୋର୍ଟ ଦେଇଥିଲେ। ସେହିଭଳି ଆଦିତ୍ୟଙ୍କ ମୃତଦେହ ଲିଙ୍ଗରାଜ ଷ୍ଟେଶନ ନିକଟ ରେଳଧାରଣାରୁ ମିଳିଥିଲା। ଆଦିତ୍ୟ ଆତ୍ମହତ୍ୟା କରିଥିବା କଥା ମଧ୍ୟ ଉଠିଥିଲା। କିନ୍ତୁ ମୃତ୍ୟୁର ଆନୁମାନିକ ସମୟ ଭିତରେ ଚଳାଚଳ କରିଥିବା ଟ୍ରେନ୍‌ଗୁଡ଼ିକର ଲୋକୋ ପାଇଲଟ ମଧ୍ୟ କେହି ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଦେଖି ନ ଥିବା ପୂର୍ବରୁ ତଦନ୍ତବେଳେ ଜିଆର୍‌ପିକୁ କହିଥିଲେ। ଏବେ ଏହି ଦୁଇଟି ଘଟଣାକୁ କ୍ରାଇମ୍‌ବ୍ରାଞ୍ଚ ପୁଣିଥରେ ଖୋଳତାଡ଼ କରିବାକୁ ଲକ୍ଷ୍ୟ ରଖିଛି। ତେଣୁ ସେସବୁ ଟ୍ରେନର ଲୋକୋ ପାଇଲଟଙ୍କୁ ପଚରାଉଚରା କରାଯିବ। ବିଦ୍ୟାଶ୍ରୀ, ଆଦିତ୍ୟଙ୍କ ସହଯୋଗୀ ପପୁ, ବିକାଶ ଓ ପ୍ରତାପଙ୍କ କଥାରେ ତାଳମେଳ ରହୁ ନ ଥିବାରୁ ସମସ୍ତଙ୍କୁ ମୁହଁ।ମୁହିଁ ଜେରା କରାଯିବ ବୋଲି କ୍ରାଇମ୍‌ବ୍ରାଞ୍ଚ ସୂତ୍ରରୁ ଜଣାପଡ଼ିଛି। କହିବାକୁ ଗଲେ କ୍ରାଇମ୍‌ବ୍ରାଞ୍ଚ ନୂଆ ସୁରାକ ପାଇବାକୁ ଆଶା ରଖିଛି।

Share