ଶିକ୍ଷକଙ୍କ ଆନ୍ଦୋଳନକୁ ସମର୍ଥନ କରି ଅଭିଭାବକଙ୍କ ଧାରଣା

ବାଲିଗୁଡ଼ା,୧୮।୯(ସଞ୍ଜୟ କୁମାର ପାଣିଗ୍ରାହୀ): ଶିକ୍ଷକଙ୍କ ଆନ୍ଦୋଳନ ସୋମବାର ୧୦ ଦିନରେ ପହଞ୍ଚିଛି। ଆନ୍ଦୋଳନ ଯୋଗୁ କନ୍ଧମାଳ ଜିଲାରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି । ଇତି ମଧ୍ୟରେ ଶିକ୍ଷକଙ୍କ ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଶିକ୍ଷକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଶିକ୍ଷକଙ୍କୁ ସମର୍ଥନ କରି ରାସ୍ତାକୁ ଓହ୍ଲାଇଛନ୍ତି ବାଲିଗୁଡ଼ା ବ୍ଲକର ଅଭିଭାବକ ସଂଘ। ୩ ଦଫା ଦାବି ପୂରଣ ନ ହେଲେ ଅଭିଭାବକ ଏବଂ ଶିକ୍ଷକ ମିଶି ଆନ୍ଦୋଳନକୁ ଆହୁରି ଜୋର୍‌ଦାର କରିବେ ବୋଲି ଚେତାବନୀ ଦିଆଯାଇଛି।

ଆନ୍ଦୋଳନରେ କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକରେ ୫ଶହରୁ ଊର୍ଦ୍ଧ୍ୱ ପ୍ରାଥମିକ ଶିକ୍ଷକ ସାମିଲ ହୋଇଛନ୍ତି। ଜିଲାରେ ୧ ହାଜର ୬ ଶହ ସ୍କୁଲରେ ତାଲା ପଡିଛି । ବିଦ୍ୟାଳୟର ଅଭିଭାବକ ସଂଘ ପକ୍ଷରୁ ଲତା ମଲ୍ଲିକ, ଧବଳେଶର ନାୟକ, ବିରାଜ ନାୟକ, ପ୍ରତିଭା ପ୍ରଧାନ, ନରସିଂହ ଦିଗାଲ, ଶିବ ଦିଗାଲ, ଅର୍ଜୁନ ମଲ୍ଲିକ, ମାଳତୀ ମଲ୍ଲିକ ସମେତ ୩୦ରୁ ଊର୍ଦ୍ଧ୍ୱ ଅଭିଭାବକ ପ୍ରାଥମିକ ସ୍କୁଲ ଆଗରେ ଧାରଣା ଦେଇଛନ୍ତି। ସରକାର ଆଲୋଚନା ନ କରି ସମାଧାନର ବାଟ ବାହାର ନ କଲେ ଆନ୍ଦୋଳନ ତୀବ୍ରତର କରିବାକୁ ମହାସଂଘ ପକ୍ଷରୁ ଚନ୍ଦ୍ରଭାନୁ ଭୋଇ, ସୁରେନ ଦାସ, ସନାତନ ପରିଚ୍ଛା, ପ୍ରକାଶ ମହାରଣା, ଦିବାକର ବେହେରା, ପୀତବାସ ନାୟକ, ସୁଦୀପ୍ତା ମହାପାତ୍ର, ଇପ୍ସିତା ସାମନ୍ତରାୟ, ମନୋଜ ନାୟକ, ସଞ୍ଜୀବ ପଟ୍ଟନାୟକ, କୀର୍ତ୍ତି କୁମାର ବରାଳ, ରଞ୍ଜନ ପାଣିଗ୍ରାହୀ, ସୁରେଶ କୁମାର ଦାସ, ପ୍ରମୁଖ ଚେତାବନୀ ଦେଇଛନ୍ତି।