Categories: ଜାତୀୟ

ପିଲାଙ୍କ ଭୁଲ ପାଇଁ ମାତାପିତା ଯିବେ ଜେଲ…

ଲକ୍ଷ୍ନୌ,୪।୧ : ପିଲାମାନଙ୍କର ଭୁଲ ପାଇଁ ଏବେ ମାତାପିତା ଜେଲରେ ରହିବେ। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ବର୍ତ୍ତମାନ ଏହି ନୂତନ ନିୟମ ଲାଗୁ ହୋଇଛି। ଯାହା ଅନୁଯାୟୀ ମାତାପିତାଙ୍କୁ ସେମାନଙ୍କ ପିଲାମାନଙ୍କ ଭୁଲ ପାଇଁ ଜେଲ ଯିବାକୁ ପଡିବ। ରାଜ୍ୟରେ ୧୮ ବର୍ଷରୁ କମ ବୟସ୍କ ପିଲାମାନଙ୍କ ଗାଡି ଚଳାଇବା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି ହୋଇଛି।

ସେମାନଙ୍କୁ ଦୁଇ ଚକିଆ ଯାନ କିମ୍ବା ଚାରି ଚକିଆ ଯାନ ଚଳାଇବାକୁ ସରକାର ବାରଣ କରିଛନ୍ତି। ଯଦି କୌଣସି ମାତାପିତା ୧୮ ବର୍ଷରୁ କମ ବୟସ୍କ ପୁଅ କିମ୍ବା ଝିଅକୁ ଗାଡି ଚଳାଇବା ପାଇଁ ଦିଅନ୍ତି, ତେବେ ସେମାନଙ୍କୁ ତିନି ବର୍ଷ ଜେଲ ଦଣ୍ଡାଦେଶ କରାଯିବା ସହିତ ୨୫,୦୦୦ଟଙ୍କା ଜରିମାନାରେ ଦଣ୍ଡିତ କରାଯିବ। ଏହି ନିର୍ଦ୍ଦେଶ ଉତ୍ତରପ୍ରଦେଶ ପରିବହନ ଟ୍ରାଫିକ କାର୍ଯ୍ୟାଳୟ ଦ୍ୱାରା ଜାରି ହୋଇଛି। ଏହା ସହିତ ଗାଡିର ଲାଇସେନ୍ସ ମଧ୍ୟ ବାତିଲ କରାଯିବ।

କିଙ୍ଗ ଜର୍ଜ ମେଡିକାଲ କଲେଜ ଏବଂ ଲୋହିଆ ହସ୍ପିଟାଲର ବିଶେଷଜ୍ଞଙ୍କ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୪୦ ରୁ ୪୫ ପ୍ରତିଶତଙ୍କର ବୟସ ହେଉଛି ୧୩ ବର୍ଷରୁ ୧୮ ବର୍ଷ ମଧ୍ୟରେ। ତେଣୁ ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି।

Share