ରିଶି କପୁରଙ୍କ ଅଧା ଫିଲ୍ମକୁ ପୂରଣ କରିବେ ପରେଶ

ମୁମ୍ବାଇ: ପାଖାପାଖି ୨ ବର୍ଷ କ୍ୟାନସର ସହ ଲଢିବା ପରେ ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଥିଲେ ବଲିଉଡ୍‌ର ବରିଷ୍ଠ ଅଭିନେତା ରିଶି କପୁର । ୨୦୨୦ରେ ତାଙ୍କର ପରଲୋକ ବଲିଉଡ୍‌ରେ ସୃଷ୍ଟି କରିଥିଲା ଏକ ଅପୂରଣୀୟ କ୍ଷତି । ହେଲେ ପରଲୋକ ପୂର୍ବରୁ ସେ କିଛି ଫିଲ୍ମରେ ଅଭିନୟ କରୁଥିବା ବେଳେ ଏବେ ପର୍ଯ୍ୟନ୍ତ ଏହା ଅଧାରେ ରହିଯାଇଛି । ଆଉ ଅଳ୍ପ ସମୟ ମଧ୍ୟରେ ଏହାର ଶୁଟିଂ ସରିବାକୁ ଥିଲେ ମଧ୍ୟ ସମୟକ୍ରମେ ଏହା ହୋଇପାରି ନ ଥିଲା । ଏବେ ଏହି ଅଧାକାମକୁ ପୂରଣ କରିବାକୁ ରାଜି ହୋଇଛନ୍ତି ବଲିଉଡ୍‌ର ଆଉ ଜଣେ ବରିଷ୍ଠ କଳାକାର ପରେଶ ରାୱଲ । ‘ଶର୍ମା ଜି ନମକିନ’ ଫିଲ୍ମର ଶେଷ କିଛି ଭାଗ ଏବେ ପରେଶ ରାୱଲଙ୍କୁ ନେଇ ଶୁଟିଂ କରାଯିବ ବୋଲି ଜଣାପଡିଛି । ଏହି ଫିଲ୍ମ ରିଶି କପୁରଙ୍କ ଜନ୍ମଦିନ ଅର୍ଥାତ୍ ସେପ୍ଟେମ୍ବର ୪ରେ ରିଲିଜ୍ ହେବାର ଯୋଜନା କରାଯାଇଛି । ଫିଲ୍ମର ନିର୍ମାତା କୁହନ୍ତି ଏହାକୁ ପୁରା କରିବାକୁ କିଛି ବିଶେଷ ଧରଣର ଟେକ୍‌ନିକ୍‌ର ସହାୟତା ନିଆଯିବ । ଫଳରେ ଏହାର ଷ୍ଟୋରୀ ଲାଇନ ଉପରେ ଯେମିତି କୌଣସି ପ୍ରଭାବ ନ ପଡିବ । ଫିଲ୍ମ ପ୍ରାୟ ୯୯ ପ୍ରତିଶତ ଶୁଟିଂ ସରିଥିବା ବେଳେ ମାତ୍ର ୪ ଦିନର ଶୁଟିଂ ବାକି ଥିଲା । ଏବେ ଏହାକୁ ପୂରଣ କରାଯାଇ ରିଲିଜ୍ ପାଇଁ ପ୍ରସ୍ତୁତ କରାଯିବ ।

Share