୬ଘଣ୍ଟା ପରେ ପୋଖରୀରୁ ଉଦ୍ଧାର ହେଲା ପରେଶଙ୍କ ମୃତଦେହ

ସିମୁଳିଆ,୩୦।୩(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମଇତାପୁର ପଞ୍ଚାୟତ ଅଧିନ ସିମୁଳିଆ ଗାଁର କୁନା ନାଥଙ୍କ ପୁତ୍ର ପରେଶ(୧୩)ଙ୍କୁ ଗୁରୁବାର ପୂର୍ବାହ୍ନ ୧୦ଟାରେ ଘର ନିକଟସ୍ଥ ପୋଖରୀରେ ବୁଡ଼ିଯାଇଥିଲେ। ଘଟଣାସ୍ଥଳରେ ଅଡା ଓ ସୋର ଦମକଳ ବାହିନୀ ପହଞ୍ଚି ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ହେଲେ ଦୀର୍ଘ ୬ଘଣ୍ଟା ଧରି ପୋଖରୀରେ ଖୋଜାଖୋଜି କରିବା ପରେ ପ୍ରାୟ ୩୦ଫୁଟ ପାଣି ତଳୁ ପରେଶଙ୍କ ମୃତଦେହ ଉଦ୍ଧାର ହୋଇଛି। ଅଡା ଦମକଳ ବାହିନୀର ବୁଡାଳି ଅଜିତ ସାହୁ ଅକ୍ସିଜେନ ସିଲିଣ୍ଡର ସହୟତାରେ ପାଣିରେ ବୁଡ଼ି ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ତେବେ ଅପରାହ୍ନ ୫ଟାରେ ଏହି ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ସୋର ଓ ଅଡା ଦମକଳ ବାହିନୀର ଅଧିକାରୀ ଯମୁନା ପ୍ରସାଦ ମହାନ୍ତ ଓ ହାଡିବନ୍ଧୁ ସିଂଙ୍କ ନେତୃତ୍ୱରେ ୨୦ଜଣିଆ ଟିମ୍‌ ଏଥିରେ ନିୟୋଜିତ ଥିଲେ। ସୂଚନାଯୋଗ୍ୟ, ଗୁରୁବାର ସକାଳେ ପରେଶଙ୍କ ପରିବାରଲୋକେ ନିଜ ବାଡିର ଚାରିପଟେ ବାଡ ଘେରୁଥିବା ବେଳେ ସେ ତାଙ୍କ ସହିତ ବାଡିକୁ ଆସିଥିଲେ। ପରେ ଶୌଚ ହେବା ପାଇଁ ସେ ନିକଟସ୍ଥ ପୋଖରୀକୁ ଯାଇଥିବା ବେଳେ ତାଙ୍କ ଗୋଡ ଖସିଯାଇଥିଲା। ଅନ୍ୟପଟେ ଗତ ୧୦ବର୍ଷ ପୂର୍ବେ ପରେଶଙ୍କ ବଡ଼ ଭାଇ ମଧ୍ୟ ଏହି ରାମନବମୀ ଦିନରେ କଟକର ଏକ ପୋଖରୀରେ ବୁଡ଼ି ପ୍ରାଣ ହରାଇଥିଲେ।