ଫିଟୁଛି ପରୀ ମୃତ୍ୟୁ ଗୁମର: ବଳାତ୍କାର ପରେ କରାଯାଇଛି ହତ୍ୟା

ଭୁବନେଶ୍ୱର,୧୬।୧୨(ବ୍ୟୁରେ): ନୟାଗଡ଼ର ବହୁ ଚର୍ଚ୍ଚିତ ଶିଶୁ କନ୍ୟା ପରୀ ହତ୍ୟା ମାମଲାକୁ ନେଇ ଏସ୍‌ଆଇଟି ପକ୍ଷରୁ ବୁଧବାର ରିପୋର୍ଟ ଦାଖଲ ହୋଇଛି। ଏହି ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ ଥିବା ଜଣାପଡ଼ିଛି। ପରୀକୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ନେଇ ରିପୋର୍ଟରେ ଦର୍ଶାଯାଇଛି। ହତ୍ୟା ପୂର୍ବରୁ ପରୀ ସହ ବଳାତ୍କାର କରାଯାଇଥିବା ରିପୋର୍ଟ କହୁଛି। ଆସନ୍ତା ୨୪ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ତେବେ ଅନ୍ୟପଟେ ଯଦି ପରୀର ବଳାତ୍କାର ହୋଇଛି ତେବେ ଅଭିଯୁକ୍ତ କିଏ ବୋଲି ପ୍ରଶ୍ନ ଉଠୁଛି । ଯେଉଁ ଘଟଣାକୁ ନେଇ ଏତେ ଚର୍ଚ୍ଚା ଲାଗି ରହିଥିଲା ତେବେ ସେହି ଘଟଣାର ପ୍ରକୃତ ଅଭିଯୁକ୍ତ କିଏ ମନକୁ ଆସୁଥିବା ବେଳେ ପରୀ ଗାଁର ଜଣେ ଯୁବକଙ୍କୁ ସନ୍ଦେହ କରାଯାଉଛି।
ସୂଚନାଯୋଗ୍ୟ, ୪ ମାସ ତଳେ ୫ ବର୍ଷର ଝିଅ ପରୀକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ମାତ୍ର ଅଭିଯୁକ୍ତ ଧରା ନ ପଡ଼ିବାରୁ କିଛିଦିନ ତଳେ ବିଧାନସଭା ଆଗରେ ପରୀର ମା’ ବାପା ଆତ୍ମାହୁତି ଉଦ୍ୟମ କରିଥିଲେ। ଏଥି ସହ ସେମାନେ ମନ୍ତ୍ରୀ ଅରୁଣ ସାହୁ ଓ ତାଙ୍କ ସହଯୋଗୀ ବାବୁଲିଙ୍କୁ ଏଥିପାଇଁ ଦାୟୀ କରିଥିଲେ। ମାମଲା ଜୋର୍‌ ଧରିବା ପରେ ମୁଖ୍ୟମନ୍ତ୍ରୀ ଶେଷରେ କ୍ରାଇମବ୍ରାଞ୍ଚ ଏସ୍‌ଆଇଟି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏସ୍‌ଆଇଟ ବୁଧବାର ତାହାର ରିପୋଟ ଦାଖଲ କରିଛି।

Share