ପରୀ ହତ୍ୟା ମାମଲା: ହାଇକୋର୍ଟରେ ଆଉ ଏକ ମିସ୍‌ କେସ୍‌

ଭୁବନେଶ୍ୱର, ୩୦।୧୨(ବ୍ୟୁରୋ): ବହୁ ଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟା ମାମଲାରେ ହାଇକୋର୍ଟରେ ଆଉ ଏକ ମିସ୍‌ କେସ୍‌ ଦାୟର ହୋଇଛି। ପରୀ ହତ୍ୟା ଘଟଣାରେ ପରିବାର ପକ୍ଷରୁ ଥାନାରେ ଦିଆଯାଇଥିବା ଏତଲାରେ ଯେଉଁମାନଙ୍କ ନାମ ରହିଛି ସେମାନଙ୍କର ପଲିଗ୍ରାଫ ଟେଷ୍ଟ କରିବାକୁ ଦାବି ହୋଇଛି। ଏଥିପାଇଁ ଭାରତୀୟ ବିକାଶ ପରିଷଦ ପକ୍ଷରୁ ବୁଧବାର ହାଇକୋର୍ଟରେ ଏକ ମିସ୍‌ କେସ୍‌ ଦାୟର କରାଯାଇଛି।
ପୂର୍ବରୁ ମଧ୍ୟ ପରିଷଦ ପକ୍ଷରୁ ଏକ ମିସ୍‌ କେସ୍‌ ଦାୟର କରାଯାଇ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କର ପଲିଗ୍ରାଫ ଟେଷ୍ଟ କରିବାକୁ ଦାବି ହୋଇଥିଲା। ବୋଥ୍ରାଙ୍କ ସମେତ ପୂର୍ବରୁ ନାବାଳିକାଙ୍କ ଡାକ୍ତରୀମାଇନା କରିଥିବା ଡାକ୍ତର ଏବଂ ପରେ ଡାକ୍ତରୀମାଇନା କରିଥିବା ଡାକ୍ତରଙ୍କ ପଲିଗ୍ରାଫ ଟେଷ୍ଟ ପାଇଁ ଦାବି କରାଯାଇଥିଲା।
ସୂଚନାଯୋଗ୍ୟ, ପରୀ ହତ୍ୟା ମାମଲାରେ ଏସଆଇଟି ମୁଖ୍ୟ ଅଭିଯୁକ୍ତ ଯଦୁପୁର ଗାଁର ସରୋଜ ସେଠୀକୁ ଗିରଫ କରିଛି। ସରୋଜ ନାବାଳିକାକୁ କିପରି ହତ୍ୟା କରିବା ପରେ ତାର ମୃତଦେହକୁ ଅଖାରେ ଭର୍ତ୍ତିକରି ଏକ ପୋଖରୀ ନିକଟରେ ପକାଇଥିଲେ ତାହାର ଡେମୋ ଦେଖାଇଥିଲା ଏସ୍‌ଆଇଟି। ସରୋଜଙ୍କୁ ତାଙ୍କ ଗାଁକୁ ନେଇ ପୂରା କ୍ରାଇମ୍‌ ସିନ ରିକ୍ରିଏଟ କରିଥିଲେ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା। ତେବେ ଏସଆଇଟି ତଦନ୍ତକୁ ଖଣ୍ଡନ କରିଛନ୍ତି ବିରୋଧୀ ଭାଜପା ଏବଂ କଂଗ୍ରେସ। ସେମାନେ ଏହାର ସିବିଆଇ ତଦନ୍ତ ଦାବି କରିବା ସହିତ ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଥିଲେ।

Share