Categories: ଜାତୀୟ

ପରୀକ୍ଷାକୁ ଡରିବା ଉଚିତ ନୁହେଁ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ସନ୍ଧ୍ୟାରେ ବୋର୍ଡ ପରୀକ୍ଷା ପୂର୍ବରୁ ଦେଶର ଛାତ୍ରୀଛାତ୍ରଙ୍କ ସହ ପରୀକ୍ଷା ପେ ଚର୍ଚ୍ଚା କରିଛନ୍ତି। ପରୀକ୍ଷା ପୂର୍ବରୁ ଆତ୍ମବିଶ୍ୱାସ ବଡାଇବା ପାଇଁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଛାତ୍ରୀଛାତ୍ରଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ପରୀକ୍ଷା କେବଳ ଭବିଷ୍ୟତ ପାଇଁ ଏକ ସୁଯୋଗ। ଛାତ୍ରୀଛାତ୍ରଙ୍କ ପାଇଁ ପରୀକ୍ଷା ଜୀବନର ଶେଷ ମାଇଲଖୁଣ୍ଟ ନୁହେଁ। ଏଣୁ ଅଭିଭାବକ ଓ ଶିକ୍ଷକ ପିଲାଙ୍କ ଉପରେ ଚାପ ସୃଷ୍ଟି କରନ୍ତୁ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ପରୀକ୍ଷାକୁ ଡରିବା ଉଚିତ ନୁହେଁ। ପରୀକ୍ଷା ଅଚାନକ ଆସି ନ ଥାଏ। ଏନେଇ ସମୟ ନିର୍ଦ୍ଧାରଣ ହୋଇଥାଏ। କଠିନ ପ୍ରଶ୍ନର ଉତ୍ତର ପ୍ରଥମେ ଦେବାକୁ ପଡେ କାରଣ ପ୍ରଥମେ କଠିନ ପ୍ରଶ୍ନର ଉତ୍ତର ଦେଲେ, ପରେ ସରଳ ପ୍ରଶ୍ନ ଆହୁରି ସରଳ ହୋଇଥାଏ। କଷ୍ଟ ଲାଗୁଥିବା ବିଷୟକୁ ବାରମ୍ବାର ଅଭ୍ୟାସ କରିବା ଉଚିତ। ଏନେଇ ଶିକ୍ଷୟତ୍ରୀ ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କୁ ଗାଇଡ କରିବାକୁ ମୋଦି ପରାମର୍ଶ ଦେଇଥିଲେ। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଭାଗ ନେବାକୁ ପ୍ରାୟ ୧୦ ଲକ୍ଷ ଛାତ୍ରୀଛାତ୍ର ପଞ୍ଜୀକରଣ କରିଥିଲେ। କରୋନା ସଂକ୍ରମଣ ଯୋଗୁ ଚଳିତ ବର୍ଷ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ କାର୍ଯ୍ୟକ୍ରମ ହୋଇଥିଲା। ଏହି ଅବସରରେ ମୋଦି ଆଇ-ପ୍ୟାଡ ଧରି କିଛି ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିଥିଲେ।

Share