Categories: ଖେଳ

ପ୍ୟାରିସ୍‌ ପାରାଲିମ୍ପିକ୍ସ: ଗୋଟିଏ ଦିନରେ ଭାରତକୁ ଚାରି ପଦକ

ଚାଟେରକ୍ସ, ୩୦।୮: ପ୍ୟାରିସ୍‌ରେ ଚାଲିଥିବା ପାରାଲିମ୍ପିକ୍ସର ଦ୍ୱିତୀୟ ଦିବସରେ ଭାରତକୁ ୪ଟି ପଦକ ମିଳିଛି। ମହିଳା ଶୁଟିଂ ତାରକା ଅଭନି ଲେଖରା ଦେଶ ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ଜିତି ଥିବାବେଳେ ରୌପ୍ୟ ପଦକ ହାସଲ କରିଛନ୍ତି ଅନ୍ୟତମ ପୁରୁଷ ଶୁଟର ମନୀଷ ନରଓ୍ବାଲ। ସେହିପରି ମହିଳା ଶୁଟର ମୋନା ଅଗ୍ରଓ୍ବାଲ ଓ ଆଥଲେଟ୍‌ ପ୍ରୀତି ପାଲ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

ଟୋକିଓ ଗେମ୍ସ ଗୋଲ୍ଡ ମେଡାଲିଷ୍ଟ ଶୁଟର ମନୀଷ ନରଓ୍ବାଲ ପ୍ୟାରିସ୍‌ ପାରାଲିମ୍ପିକ୍ସରେ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ସେହିପରି ଆଥ୍‌ଲେଟିକ୍ସ ଟି୩୫ ବର୍ଗ ୧୦୦ ମିଟର ଇଭେଣ୍ଟରେ ପ୍ରୀତି ପାଲ ବ୍ରୋଞ୍ଜ ପଦକ ପାଇଛନ୍ତି। ଶୁକ୍ରବାର ଅନୁଷ୍ଠିତ ପୁରୁଷ ୧୦ ମିଟର ଏୟାର ପିସ୍ତଲ (ଏସ୍‌ଏଚ୍‌୧) ଇଭେଣ୍ଟରେ ମନୀଷ ଏହି ସଫଳତା ପାଇଛନ୍ତି। ଟୋକିଓରେ ୫୦ ମିଟର ପିସ୍ତଲ ଇଭେଣ୍ଟରେ ସ୍ବର୍ଣ୍ଣ ଜିତିଥିବା ୨୨ ବର୍ଷୀୟ ନରଓ୍ବାଲ ଏଠାରେ ଭଲ ପ୍ରଦର୍ଶନ କରି ଅନେକ ସମୟ ପର୍ଯ୍ୟନ୍ତ ଅଗ୍ରଣୀ ରହିଥିଲେ ମଧ୍ୟ ଶେଷ ଭାଗରେ କ୍ରମାଗତ ଦୁର୍ବଳ ସ୍କୋର କରି ଦ୍ୱିତୀୟକୁ ଖସି ଆସିଥିଲେ। ଦକ୍ଷିଣ କୋରିଆର ଭେଟେରାନ ଶୁଟର ଜୋ ଜୋଙ୍ଗଡୁ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଭାରତୀୟ ପିସ୍ତଲ ଶୁଟର ଶିବା ନରଓ୍ବାଲଙ୍କ ସାନଭାଇ ମନୀଷ ୨୩୪.୯ ପଏଣ୍ଟରେ ରହିଥିବାବେଳେ ଜୋଙ୍ଗଡୁ ୨୩୭.୪ ପଏଣ୍ଟ ସ୍କୋର କରିଥିଲେ। ଚାଇନାର ୟାଙ୍ଗ୍‌ ଚାଓ ୨୧୪.୩ ପଏଣ୍ଟ ସହିତ ବ୍ରୋଞ୍ଜ ପଦକ ପାଇଥିଲେ।

୧୦୦ ମିଟରରେ ପ୍ରୀତି ୧୪.୨୧ ସେକେଣ୍ଡ ସମୟ ନେଇ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହା ଥିଲା ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ଟାଇମିଂ। ପ୍ୟାରିସ୍‌ ପାରା ଆଥ୍‌ଲେଟିକ୍ସରେ ଭାରତର ଏହା ହେଉଛି ପ୍ରଥମ ପଦକ। ଚାଇନାର ଝୋଉ ଜିଆ (୧୩.୫୮) ଓ ଗୁଓ କ୍ୱିଆନକ୍ୱିଆନ (୧୩.୭୪) ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିଛନ୍ତି।

Share