ସୂର୍ଯ୍ୟକୁ ଛୁଇଁଲା ପାର୍କର ପ୍ରୋବ୍‌, ମହାକାଶ ଇତିହାସରେ ପ୍ରଥମ ଘଟଣା…

ନୂଆଦିଲ୍ଲୀ, ୧୫।୧୨: ଆମେରିକାର ସ୍ପେସ ଏଜେନ୍ସି ନାସାର ମହାକାଶଯାନ ‘ପାର୍କର ସୋଲାର ପ୍ରୋବ’ ସୂର୍ଯ୍ୟଙ୍କୁ ସ୍ପର୍ଶ କରିବାର ଏକ ଅଦ୍ୱିତୀୟ କାର୍ଯ୍ୟ କରିଛି। ଏହି ସଫଳତା, ଥରେ ଅସମ୍ଭବ ବୋଲି ବିବେଚନା କରାଯାଉଥିଲା। ମାତ୍ର ଏହା ସତ୍ୟରେ ପରିଣତ ହୋଇପାରିଛି। ଆଠ ମାସ ପୂର୍ବରୁ ଅର୍ଥାତ୍‌ ଏପ୍ରିଲ ମାସରେ ମହାକାଶଯାନ ପାର୍କର ପ୍ରୋବ୍‌ ସୂର୍ଯ୍ୟ ଛୁଇଁ ମହାକାଶ ଇତିହାସରେ ରେକର୍ଡ ରଚିଥିଲା। କିନ୍ତୁ ମହାକାଶରେ ଲକ୍ଷ ଲକ୍ଷ କିଲୋମିଟର ଦୂରରେ ଅବସ୍ଥିତ ଏହି ମହାକାଶଯାନରୁ ସୂଚନା ପାଇବା ପରେ ଏହାକୁ ବିଶ୍ଲେଷଣ କରିବାକୁ ବୈଜ୍ଞାନିକମାନଙ୍କ ପାଇଁ ବହୁ ସମୟ ଲାଗିଥିଲା।

ମହାକାଶଯାନ ‘ପାର୍କର ସୋଲାର ପ୍ରୋବ’ ମାଧ୍ୟମରେ ହାସଲ ହୋଇଥିବା ଏହି ସଫଳତାକୁ ସମଗ୍ର ବିଶ୍ୱରେ ପ୍ରଶଂସା କରାଯାଉଛି। ନାସା ୧୨ ଅଗଷ୍ଟ ୨୦୧୮ ରେ ଏହାର ‘ପାର୍କର ସୋଲାର ପ୍ରୋବ’ ସ୍ପେସକ୍ରାଫ୍ଟ ଉତକ୍ଷେପଣ କରିଥିଲା। ଏହା ନାସାର ‘ଲିଭିଙ୍ଗ ଓ୍ବିଥ୍‌ ଏ ଷ୍ଟାର୍‌’ ପ୍ରୋଗ୍ରାମର ଏକ ଅଂଶ ବିଶେଷ। ଯାହା ମାଧ୍ୟମରେ ସୂର୍ଯ୍ୟ-ପୃଥିବୀ ମଧ୍ୟରେ ଥିବା ବିଭିନ୍ନ ପ୍ରଣାଳୀର ଦିଗ ସହ ଜଡିତ ସୂଚନାକୁ ବୁଝିବା ଏବଂ ତଥ୍ୟ ସଂଗ୍ରହ କରିବା ଲକ୍ଷ୍ୟ ରଖାଯାଇଛି। ନାସା କହିଛି ଯେ ‘ପାର୍କର ସୋଲାର ପ୍ରୋବ’ରୁ ଆମେ ପାଇଥିବା ସୂଚନା ସୂର୍ଯ୍ୟଙ୍କ ବିଷୟରେ ଆମର ଜ୍ଞାନକୁ ଅଧିକ ବିକଶିତ କରିବ।

ଏହି ଗୁରୁତ୍ୱପୂର୍ଣ୍ଣ ସଫଳତା ପଛରେ ହାର୍ଭାର୍ଡ ଏବଂ ସ୍ମିଥସୋନିନ ସେଣ୍ଟର ଫର ଅଷ୍ଟ୍ରୋଫିଜିକ୍ସ୍‌ର ସଦସ୍ୟଙ୍କ ଏକ ବଡ଼ ଦଳ କାର୍ଯ୍ୟ କରୁଛି। ଏହି ଦଳ ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣର ଉତ୍ପାଦନ ଏବଂ ମନିଟରିଂରେ ନିୟୋଜିତ ହୋଇଛନ୍ତି। ‘ପାର୍କର ସୋଲାର ପ୍ରୋବ’ ସୂର୍ଯ୍ୟ ବାୟୁମଣ୍ଡଳରୁ କଣିକା ସଂଗ୍ରହ କରିବା ପାଇଁ କାର୍ଯ୍ୟ କରୁଛି, ଯାହା ସୂର୍ଯ୍ୟଙ୍କ ବାୟୁମଣ୍ଡଳର ବାହ୍ୟ ପୃଷ୍ଠ ‘କରୋନା’ରେ ପହଞ୍ଚିବାରେ ସଫଳ ହୋଇ ପାରିଛି।
ମହାକାଶଯାନର କପରେ ସଂଗୃହିତ ତଥ୍ୟରୁ ଜଣାପଡିଛି ଯେ ଏପ୍ରିଲ ୨୮ରେ ପାର୍କର ସୂର୍ଯ୍ୟ ବାୟୁମଣ୍ଡଳର ବାହ୍ୟ ପୃଷ୍ଠକୁ ତିନିଥର ଅତିକ୍ରମ କରିଥିଲା।

କରୋନାର ତାପମାତ୍ରା ୧୧ ଲକ୍ଷ ଡିଗ୍ରୀ ସେଲସିୟସ (ପ୍ରାୟ ୨୦ ଲକ୍ଷ ଡିଗ୍ରୀ ଫାରେନହାଇଟ)। ଏହିପରି ଉତ୍ତାପ କିଛି ସେକେଣ୍ଡରେ ପୃଥିବୀରେ ମିଳୁଥିବା ସମସ୍ତ ପଦାର୍ଥକୁ ତରଳାଇ ଦେଇପାରେ। ତେବେ ଏହାକୁ ମହାକାଶଯାନର ସ୍ବତନ୍ତ୍ର ଉତ୍ତାପ କବଚ ଦ୍ୱାରା ସହଜରେ ଅତିକ୍ରମ କରାଯାଇ ପାରିଛି।

ଏହା ବ୍ୟତୀତ, ‘ପାର୍କର ସୋଲାର ପ୍ରୋବ’ ମହାକାଶଯାନ ସୂର୍ଯ୍ୟଙ୍କଠାରୁ ଉତ୍ପନ୍ନ ବୈଦ୍ୟୁତିକ ଚୁମ୍ବକୀୟ ବିକିରଣ ଏବଂ ଉଚ୍ଚ ଗତିର ସୌର ଝଡ଼ ବିଷୟରେ ଅଧିକ ସୂଚନା ସଂଗ୍ରହ କରିବାରେ ସାହାଯ୍ୟ କରିବ। ଏହି ଉଭୟ ପ୍ରତ୍ୟକ୍ଷ ଘଟଣାଗୁଡ଼ିକ ପୃଥିବୀ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ ଏବଂ ବେଳେବେଳେ ପାୱାର୍‌ ଗ୍ରୀଡ ଏବଂ ପୃଥିବୀରେ ରେଡିଓ ଯୋଗାଯୋଗରେ ସମସ୍ୟା ସୃଷ୍ଟି ହୋଇଥାଏ।

Share