ପାରଳା ମୁଖ୍ୟରାସ୍ତା ଜବରଦଖଲ ଉଚ୍ଛେଦ

ପାରଳାଖେମୁଣ୍ଡି, ୧୯।୪(ଡି.ଏନ୍‌.ଏ.): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ମୁଖ୍ୟ ରାସ୍ତାର ଦୁଇ ପାର୍ଶ୍ୱକୁ ଲାଗି ରହିଥିବା ସ୍ଥାନଗୁଡିକରେ ଜବରଦଖଲ ଉଚ୍ଛେଦ କରାଯାଇଛି ।
ସୂଚନାଯୋଗ୍ୟ, ବହୁ ବର୍ଷ ହେଲା ଏଠାରେ ଜବରଦଖଲକାରୀମାନେ ରାସ୍ତା ଉପରେ ଥିବା ନାଳ ନିକଟରେ ଅସ୍ଥାୟୀ ଭାବେ ଦୋକାନ ଗୃହ ଗଢ଼ିତୋଳିବା ସହ ବହୁ ଲୋକ ରହିଆସୁଥିଲେ। କରୋନାର ଦ୍ୱିତୀୟ ଲହରରେ ଗଜପତିରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପୌରପରିଷଦର ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ଓ ପାରଳା ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଜବରଦଖଲ ଉଚ୍ଛେଦ ହୋଇଛି। ପୌରଯନ୍ତ୍ରୀ ସଞ୍ଜିବ ଚମ୍ପତ୍ତି, କନିଷ୍ଠ ଯନ୍ତ୍ରୀ ଡି. ଯୁଧିଷ୍ଠିର, ମଧୁସ୍ମିତା ଦାସ ଓ ପାରଳା ଥାନାର ବିଭିନ୍ନ ପୋଲିସ କର୍ମଚାରୀ ପ୍ରମୁଖଙ୍କ ସହ ପୌରପରିଷଦର କର୍ମଚାରୀଗଣ ଉପସ୍ଥିତ ରହି କାର୍ଯ୍ୟକୁ ସମ୍ପାଦନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସହରର ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି ।