ଲୋପପାଉଛି ପାରଳାର ବିଶ୍ୱପ୍ରସିଦ୍ଧ ଶିଙ୍ଗ କାମ

ପାରଳାଖେମୁଣ୍ଡି,୧୪ା୧୧(ଡି.ଏନ୍‌.ଏ.): ବିଶ୍ୱପ୍ରସିଦ୍ଧ ଶିଙ୍ଗ କାମ କହିଲେ ମନକୁ ଆସିଯାଉଥିଲା ଗଜପତି ଜିଲା ପାରଳାଖେମୁଣ୍ଡି ସହର। ସହରର ରାଜଦାଣ୍ଡ ସାହିରେ ମାଳ ମାଳ ଶିଙ୍ଗ ଦୋକାନ ସବୁ ଥିଲାବେଳେ ଏବେ ଏହି କାମରୁ ମୁହଁ ଫେରାଇ ନେଲେଣି କାରିଗର। ନା ଅଛି ସରକାରୀ ସହାୟତା ନା ମିଳୁଛି କଞ୍ଚାମାଲ। ବର୍ତ୍ତମାନ ଅସହାୟ ହୋଇ ନିଜ କୌଳିକ ବୃତ୍ତି ଛାଡ଼ି ଅନ୍ୟ ରୋଜଗାରର ପନ୍ଥା ଆପଣାଇବାକୁ ବାଧ୍ୟ ହେଲେଣି କାରିଗର।
ଗଜପତି ରାଜପ୍ରାସାଦର ବିଭିନ୍ନ କାରୁକାର୍ଯ୍ୟ ନିର୍ମାଣ ସମୟରେ ମହାରଣାମାନଙ୍କ ୧୬ ପରିବାର କଲିକତାରୁ ଆସିଥିଲେ। ପରବର୍ତ୍ତୀ ସମୟରେ ରାଜ ପରିବାରର ଆତିଥ୍ୟକୁ ଛାଡି ନ ପାରି ଏଠାରେ ହିଁ ରହିଗଲେ। ସେହି ସମୟରେ ପାରଳାଖେମୁଣ୍ଡିରେ ପ୍ରଚୁର ପରିମାଣରେ ମଇଁଷି, ଗାଈ, ଜିଆଦ ଶିଙ୍ଗ ମିଳୁଥିଲା। ଏହାକୁ ନେଇ କାରିଗରମାନେ ଶିଙ୍ଗରେ ବିଭିନ୍ନ ଆକୃତିର କଣ୍ଢେଇ, ପାନିଆ, ହାତୀ, ଚଢ଼େଇ ତିଆରି କଲେ। ଯାହା ଦେଖି ରାଜପରିବାର ମହାରଣାମାନଙ୍କୁ ଏଠାରେ ରହିବା ପାଇଁ ବଡ଼ଦାଣ୍ଡ ସାହିରେ ଘର ଦେଇଥିଲେ। ପରବର୍ତ୍ତୀ ସମୟରେ ଏମାନଙ୍କ ବଂଶ ବୃଦ୍ଧି ହୋଇ ୪୦ରୁ ଊଦ୍ଧର୍‌ବ ପରିବାର ଶିଙ୍ଗ କାମ କରି ନିଜର ଜୀବିକା ନିର୍ବାହ କରିଥିଲେ। କାଳକ୍ରମେ ଶିଙ୍ଗ ତିଆରି ଜିନିଷର ପ୍ରଚାର ପ୍ରସାର ଯୋଗୁ ରାଜ୍ୟ ତଥା ରାଜ୍ୟ ବାହାରେ ବି ଚାହିଦା ବଢ଼ିବାକୁ ଲାଗିଲା। ଦିଲ୍ଲୀରୁ ପଲ୍ଲୀ ଯାଏ ବିଭିନ୍ନ ଯାତ୍ରା ପ୍ରଦର୍ଶନୀରେ କାରିଗରମାନେ ନିଜ ହାତ ତିଆରି ଜିନିଷ ବିକ୍ରି କରି ଭଲ ରୋଜଗାର ମଧ୍ୟ କରୁଥିଲେ। ହେଲେ ଏବେ କାରିଗରମାନେ ନିଜ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡିଛି। ସରକାରୀ ସ୍ତରରେ ନା କୌଣସି ପ୍ରୋତ୍ସାହନ ମିଳୁଛି ନା କଞ୍ଚାମାଲ ମିଳୁଛି। ଏବେ କେବଳ ୭ରୁ ୮ ପରିବାର ଏହି ଶିଙ୍ଗ କାମ କରୁଛନ୍ତି।
ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ମହାରଣାମାନଙ୍କୁ ଶିଙ୍ଗରେ ବିଭିନ୍ନ ଜିନିଷ ତିଆରି କରିବା ଦେଖି ସେମାନଙ୍କୁ ପ୍ରୋତ୍ସାହନ ଦେବା ସହ ବିଭିନ୍ନ ଆନୁଷଙ୍ଗିକ ସୁବିଧା ଯୋଗାଇ ଦେଇଥିଲେ। ଏଥିଯୋଗୁ ପ୍ରାୟ ୧୦୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲାଣି ପାରଳାଖେମୁଣ୍ଡିରେ ଶିଙ୍ଗ ଜିନିଷ ସବୁ ପ୍ରସ୍ତୁତ ହେଉଥିବାବେଳେ ଚାରିଆଡେ ଏହା ପ୍ରସିଦ୍ଧ ହୋଇଛି। ଏହି କାମର ଚାହିଦାକୁ ଦେଖି ଏକ ସମବାୟ ସଂସ୍ଥା ମଧ୍ୟ ଗଢ଼ାଯାଇଥିଲା, ଯାହା କି ୧୯୪୮ ମସିହାରୁ ରାଜ୍ୟ ସରକାରଙ୍କ ହସ୍ତ ଶିଳ୍ପ ବିଭାଗ ଅଧୀନରେ ପଞ୍ଜୀକୃତ ହୋଇ କାର୍ଯ୍ୟ କରୁଛି। କିନ୍ତୁ ବର୍ତ୍ତମାନ ଶିଙ୍ଗ ନ ମିଳିବା ସହିତ ହସ୍ତ ଶିଳ୍ପ ବିଭାଗର ବେପରୁଆ ମନୋଭାବ ଯୋଗୁ ଏହି ଶିଳ୍ପ ବିଲୁପ୍ତ ହେବାକୁ ବସିଛି। ବିଶ୍ୱକର୍ମା ଶିଙ୍ଗ ସମବାୟ ସଂସ୍ଥାରେ ୫୦ କାରିଗର କାମ କରୁଥିଲେ, କିନ୍ତୁ ଏବେ ମାତ୍ର ୫, ୬ ଜଣ କାରିଗର କାମ କରୁଛନ୍ତି।
ତେବେ କଳାକାର ପେନ୍‌ସନ ପରି ଏହି କାରିଗରମାନଙ୍କୁ କାରିଗରି ପେନ୍‌ସନ ଦେବା ସହ ଏହି ଶିଳ୍ପର ଉନ୍ନତି ପାଇଁ ବିଶେଷ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି। ସରକାର ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଯୁବ ପିଢ଼ିଙ୍କୁ ରୋଜଗାର ପନ୍ଥା ଯୋଗାଇବା ପାଇଁ ପ୍ରୋତ୍ସାହନ କରୁଛନ୍ତି। ସେହିଭଳି ଶିଙ୍ଗ କାମକୁ ମଧ୍ୟ ପ୍ରୋତ୍ସାହନ ଦେଲେ ବିଲୁପ୍ତ ହେବାକୁ ଯାଉଥିବା କଳାକୁ ପୁଣି ଉଜ୍ଜୀବିତ କରାଯାଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ଗିରିଧାରୀ ପରିଚ୍ଛା

Share