Categories: ଜାତୀୟ

ସୋମବାରଠାରୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ,୧୩।୯: ସୋମବାରଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। କରୋନା କଟକଣା ମଧ୍ୟରେ ଏହି ଅଧିବେଶନରେ କେନ୍ଦ୍ର ସରକାରଙ୍କ ୧୧ଟି ଅଧ୍ୟାଦେଶ ସମ୍ବନ୍ଧୀୟ ୨୩ଟି ନୂଆ ବିଲ ଆସିବ। ସଂସଦର ୧୮ ଦିନିଆ ଅଧିବେଶନ କାଳରେ ଅଧ୍ୟାଦେଶଗୁଡ଼ିକୁ ବିଧେୟକ ରୂପେ ପାସ କରିବା ପାଇଁ ସରକାର ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି । ୧୧ ଅଧ୍ୟାଦେଶ ମଧ୍ୟରୁ ଗୋଟିଏ ସ୍ବାସ୍ଥ୍ୟ କର୍ମୀଙ୍କ ବିରୋଧରେ ହିଂସାକୁ ରୋକିବା ଭଳି ଅଧ୍ୟାଦେଶ ରହିଛି। ଏହି ଅଧ୍ୟାଦେଶରେ କୋଭିଡ଼-୧୯ ମୁକାବିଲା ନିମନ୍ତେ ନିଯୁକ୍ତ ଡାକ୍ତର, ସ୍ବାସ୍ଥ୍ୟ କର୍ମୀଙ୍କ ବିରୋଧରେ ହିଂସାତ୍ମକ କାର୍ଯ୍ୟକଳାପ, ସେମାନଙ୍କୁ ଅସୁବିଧାରେ ପକାଇବା ଭଳି କାର୍ଯ୍ୟକୁ ଜାମିନବିହୀନ ଅପରାଧ ଭାବରେ ବିବେଚନା କରାଯାଇଛି । ଏହି ଅପରାଧ ନିମନ୍ତେ ୭ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଓ ୫ ଲକ୍ଷ ପର୍ଯ୍ୟନ୍ତ ଜରିମାନାର ବ୍ୟବସ୍ଥା ରହିଛି।

ଚଳିତ ମୌସୁମୀ ଅଧିବେଶନରେ ମୋଟ ୧୮ଟି କାର୍ଯ୍ୟଦିବସ ରହିଛି। ଏଥର ଶନିବାର ଏବଂ ରବିବାର ଛୁଟି ରହିବ ନାହିଁ। ଲୋକ ସଭା ପ୍ରଥମ ଦିନ ସକାଳ ୯ଟାରୁ ଅପରାହ୍ନ ଗୋଟାଏ ଯାଏ ବସିବ। ବାକି ଦିନ ଗୁଡିକରେ ଅପରାହ୍ନ ୩ଟାରୁ ସନ୍ଧ୍ୟା ୭ଟା ଯାଏ ବସିବ। ସେହିପରି ରାଜ୍ୟ ସଭା ପ୍ରଥମ ଦିନ ଅପରାହ୍ନ ୩ଟାରୁ ସନ୍ଧ୍ୟା ୭ଟା ବାକି ଦିନ ଗୁଡିକରେ ସକାଳ ୯ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ବସିବ। ଏହି ଅଧିବେଶନରେ କୌଣସି ପ୍ରଇଭେଟ୍‌ ବିଲ୍‌ କିମ୍ବା ବ୍ୟବସାୟିକ ବିଧେୟକ ଆସିବ ନାହିଁ।

ନିୟମ ଅନୁଯାୟୀ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ବସିଥାଏ। କିନ୍ତୁ କରୋନା ପାଇଁ ଏହି ବୈଠକ ଏଥର ଅନୁଷ୍ଠିତ ହୋଇ ନାହିଁ। ସେହିପରି ସଂସଦରେ ପ୍ରବେଶ ପୂର୍ବରୁ ସମସ୍ତ କର୍ମଚାରୀ ଏବଂ ଏମ୍‌ପିମାନେ ନିଜର ଆର୍ଟିପିସିଆର୍‌ କୋଭିଡ-୧୯ ରିପୋର୍ଟ ଦେଖାଇବେ। ଏଥିସହ ଏନଆଇସି ଦ୍ୱାରା ତିଆରି ହୋଇଥିବା ଏକ ମୋବାଇଲ ଆପ ମାଧ୍ୟମରେ ସାଂସଦମାନେ ଉପସ୍ଥାପନ ପକାଇବେ ବୋଲି ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, ସଂସଦର ମୌସୁମୀ ଅଧିବେଶନ ସେପ୍ଟେମ୍ବର ୧୪ରୁ ଆରମ୍ଭ ହୋଇ ଅକ୍ଟୋବର ୧ରେ ଶେଷ ହେବ। କରୋନା ସଙ୍କଟ ମଧ୍ୟରେ ହେବାକୁ ଥିବା ଏହି ଅଧିବେଶନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚାଲିଛି। ଏମ୍‌ପିମାନଙ୍କୁ ଲୋକ ସଭା ଓ ରାଜ୍ୟ ସଭାରେ ସାମାଜିକ ଦୂରତା ବଜାୟ ରଖିବେ। ଏଥିପାଇଁ ଦୁଇଟି ଚାମ୍ବର ଏବଂ ଏକ ଗ୍ୟାଲେରୀ ବ୍ୟବହାର କରାଯିବ।

Share