Categories: ଜାତୀୟ

‘ସଂସଦରେ ମହିଳାଙ୍କ ପ୍ରତିନିଧିତ୍ୱ ଆଶାନୁରୂପ ନୁହେଁ’

ନୂଆଦିଲ୍ଲୀ,୨୭।୩: ରାଷ୍ଟ୍ରର ଇତିହାସ ଓ ଭାଗ୍ୟ ‘୩ପି’ ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ। ତାହା ହେଲା ନିୟମାବଳୀ, ଜନତା ଓ ସଂସଦ (ପ୍ରିନ୍ସିପଲ୍‌, ପିପୁଲ୍‌, ପାର୍ଲାମେଣ୍ଟ) ବୋଲି ଭାରତର ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା ଶନିବାର କହିଛନ୍ତି। ନିୟମାବଳୀ ଓ ମୂଳ ମୂଲ୍ୟବୋଧ ଭାରତର ସମ୍ବିଧାନରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି। ପ୍ରତିନିଧିମୂଳକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏହା ଦେଶର ଜନସାଧାରଣଙ୍କ ଇଚ୍ଛା, ଯାହା ସାର୍ବଭୌମ ଓ ସବୁଠୁ ପ୍ରଭାବଶାଳୀ। ପାର୍ଲାମେଣ୍ଟ ହେଉଛି ଜନସାଧାରଣଙ୍କ ଆସ୍ଥାର ଭଣ୍ଡାର ଏବଂ ଉକ୍ତ ସାର୍ବଭୌମ ଇଚ୍ଛାର ଅଭିବ୍ୟକ୍ତି ବୋଲି ଚନ୍ଦ୍ରା କହିଛନ୍ତି। ଏମ୍‌ପିମାନଙ୍କୁ ‘ସଂସଦ ରତ୍ନ ପୁରସ୍କାର ୨୦୨୨’ ପ୍ରଦାନ ଅବସରରେ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି। ଏମ୍‌ପିମାନଙ୍କ ଉପରେ ବଡ଼ ଦାୟିତ୍ୱ ରହିଛି। ସମସ୍ତଙ୍କୁ ସାଙ୍ଗରେ ନେଇ ଦାୟିତ୍ୱପୂର୍ଣ୍ଣ ସହକାରେ ସର୍ବସାଧାରଣଙ୍କ ଗୁରୁତ୍ୱ ଥିବା ପ୍ରସଙ୍ଗ ପାର୍ଲାମେଣ୍ଟରେ ଉଠାଇବା ଭଲ ବ୍ୟବସ୍ଥାପିକା ବୋଲି ସିଇସି କହିଥିଲେ। ପାର୍ଲାମେଣ୍ଟରେ ହଟ୍ଟଗୋଳ ଓ ବିଶୃଙ୍ଖଳିତ କାର୍ଯ୍ୟ ଯୋଗୁ ବହୁ ମୂଲ୍ୟବାନ ସମୟ ବରବାଦ ହେଉଥିବାରୁ ସେ ଚିନ୍ତାବ୍ୟକ୍ତ କରିଥିଲେ। ପାର୍ଲାମେଣ୍ଟରେ ମହିଳା ପ୍ରତିନିଧିତ୍ୱ ଆଶାନୁରୂପ ନୁହେଁ। ଅନ୍ୟପକ୍ଷରେ ବହୁସଂଖ୍ୟାରେ ମହିଳା ମତଦାନ ପାଇଁ ଆଗେଇ ଆସୁଥିବା ଚନ୍ଦ୍ରା କହିଥିଲେ। ଦେଶର ପ୍ରଥମ ଲୋକ ସଭାରେ ୧୫ ମହିଳା ଏମ୍‌ପି ଥିଲେ। ୧୭ତମ ଲୋକ ସଭାରେ ମହିଳା ସଦସ୍ୟଙ୍କ ସଂଖ୍ୟା ୭୮କୁ ବୃଦ୍ଧି ପାଇଛି। ଅର୍ଥାତ୍‌ ମହିଳାଙ୍କ ପ୍ରତିନିଧିତ୍ୱରେ ଅଗ୍ରଗତି ଅତ୍ୟନ୍ତ ମନ୍ଥର। ବାସ୍ତବରେ ପାର୍ଲାମେଣ୍ଟରେ ସବୁ ବର୍ଗଙ୍କୁ ଉପଯୁକ୍ତ ପ୍ରତିନିଧିତ୍ୱ ମିଳିବା ଆବଶ୍ୟକ ବୋଲି ସିଇସି କହିଛନ୍ତି।

Share