Categories: ଜାତୀୟ

ପାର୍ଲାମେଣ୍ଟ ଅଧା ସମୟ ଚାଲିନାହିଁ

ନୂଆଦିଲ୍ଲୀ,୧୩।୮(ପି.ଟି.): ମୌସୁମୀ ଅଧିବେଶନରେ ପାର୍ଲାମେଣ୍ଟ ଧାର୍ଯ୍ୟ ସମୟର ଅଧା ମଧ୍ୟ ଚାଲି ନ ଥିଲା। ଲୋକ ସଭା ଧାର୍ଯ୍ୟ ସମୟର ମାତ୍ର ୪୩ ପ୍ରତିଶତ ଚାଲିଥିବାବେଳେ ରାଜ୍ୟ ସଭା ୫୫ ପ୍ରତିଶତ ଚାଲିଥିଲା। ତେବେ ସ୍ବଳ୍ପ ସମୟରେ ଅଧିକ ବିଧେୟକ ଅନୁମୋଦନ ଲାଭ କରିଥିଲା। ଏହି ସମୟ ମଧ୍ୟରେ ମୋଟ ୨୩ଟି ବିଲ୍‌ ଗୃହୀତ ହୋଇଥିବା ପିଆର୍‌ଏସ୍‌ ଲେଜିସ୍‌ଲେଟିଭ୍‌ ରିସର୍ଚ୍ଚ ତଥ୍ୟରୁ ଜଣାପଡ଼ିଛି। ତଥ୍ୟ ଅନୁଯାୟୀ ଲୋକ ସଭାରେ ୧୭ଟି କାର୍ଯ୍ୟଦିବସରେ ମୋଟ ୪୪ ଘଣ୍ଟା ୧୫ ମିନିଟ ପାଇଁ ଚାଲିଥିଲା। ସରକାରଙ୍କ ବିରୋଧରେ ବିରୋଧୀ ମେଣ୍ଟ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ୧୯ ଘଣ୍ଟା ୫୯ ମିନିଟ ଆଲୋଚନା ହୋଇଥିଲା ଓ ସମୁଦାୟ ୬୦ ସଦସ୍ୟ ଏଥିରେ ଭାଗ ନେଇଥିଲେ। ବିରୋଧୀଙ୍କ କକ୍ଷତ୍ୟାଗ ମଧ୍ୟରେ ବାଚନିକ ଭୋଟରେ ଅନାସ୍ଥା ପ୍ରସ୍ତାବ କାଟ୍‌ ଖାଇଥିଲା। ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳ ସରକାର (ସଂଶୋଧନ) ବିଲ୍‌, ଡିଜିଟାଲ ପର୍ସନାଲ ଡେଟା ପ୍ରୋଟେକ୍‌ଶନ ବିଲ୍‌, ଜଙ୍ଗଲ (ସଂରକ୍ଷଣ) ସଂଶୋଧନ ବିଲ୍‌, ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ବିଲ୍‌ ସମେତ ମୋଟ ୨୩ ବିଲ୍‌ ଗୃହୀତ ହୋଇଥିଲା। ୫୬ ପ୍ରତିଶତ ବିଲ୍‌ ଉଭୟ ଗୃହର ଅନୁମୋଦନ ଲାଭ କରିଥିଲା। ପ୍ରାୟତଃ ବିଲ୍‌ ଆଗତ ହେବାର ୮ ଦିନ ମଧ୍ୟରେ ଗୃହୀତ ହୋଇଥିଲା। ଆଗତ ବିଲ୍‌ ମଧ୍ୟରୁ ୩ଟିକୁ କମିଟିର ଅନୁଧ୍ୟାନ ପାଇଁ ପଠାଯାଇଥିଲା। ପାସ୍‌ ହୋଇଥିବା ୨୩ ବିଲ୍‌ ମଧ୍ୟରୁ ୭ଟିକୁ ଷ୍ଟାଣ୍ଡିଂ କମିଟି ଅନୁଧ୍ୟାନ କରିଥିଲା ବୋଲି ପିଆର୍‌ଏସ୍‌ କହିଛି। ଦିଲ୍ଲୀ ସେବା ବିଲ୍‌ ଉପରେ ଲୋକ ସଭାରେ ସର୍ବାଧିକ ୪ ଘଣ୍ଟା ୫୪ ମିନିଟ ଏବଂ ରାଜ୍ୟ ସଭାରେ ୮ ଘଣ୍ଟା ଆଲୋଚନା ହୋଇଥିଲା। ଡିଜିଟାଲ ଡେଟା ସୁରକ୍ଷା ବିଲ୍‌ ଲୋକ ସଭାରେ ୫୬ ମିନିଟ ଏବଂ ରାଜ୍ୟ ସଭାରେ ଘଣ୍ଟାଏରୁ ଅଧିକ ସମୟ ଆଲୋଚନା ହୋଇଥିଲା। ସିଜିଏସ୍‌ଟି ଏବଂ ଆଇଜିଏସ୍‌ଟି ସଂଶୋଧନ ବିଲ୍‌ ମାତ୍ର ୨ ମିନିଟରେ ଲୋକ ସଭାରେ ଗୃହୀତ ହୋଇଥିବାବେଳେ ନ୍ୟାଶନାଲ ନର୍ସିଂ ଆଣ୍ଡ ମିଡ୍‌ଓ୍ବାଇଫେରି କମିଶନ ଏବଂ ନ୍ୟାଶନାଲ ଡେଣ୍ଟାଲ କମିଶନ ଗଠନ ଲାଗି ଅଣାଯାଇଥିବା ବିଲ୍‌ ୩ ମିନିଟରେ ଗୃହୀତ ହୋଇଥିଲା। ରାଜ୍ୟ ସଭାରେ କ୍ରମାଗତ ୩ ଦିନରେ ୧୦ ବିଲ୍‌କୁ ଅନୁମୋଦନ ମିଳିଥିଲା।

Share