ପାର୍ଲାମେଣ୍ଟ ବାହାରେ ନିଜକୁ ଜଳାଇବାକୁ ଚାହୁଁଥିଲେ ଅଭିଯୁକ୍ତ ସାଗର! ଡାଏରୀରେ ଲେଖିଥିଲେ ‘ବିଦାୟ ନେବାର ବେଳ…’

ନୂଆଦିଲ୍ଲୀ,୧୬।୧୨: ପାର୍ଲାମେଣ୍ଟ ସୁରକ୍ଷାରେ ତ୍ରୁଟି ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହି କ୍ରମରେ ଶନିବାର ଅଭିଯୁକ୍ତ ସାଗର ଶର୍ମା ସଦନ ବାହାରେ ନିଜକୁ ନିଆଁ ଲଗାଇବାକୁ ଯୋଜନା କରିଥିବା ଜଣାପଡ଼ିଛି। ଏଥିଲାଗି ସେ ସ୍ବତନ୍ତ୍ର ଭାବେ ଉପଲବ୍ଧ ହେଉଥିବା ଜେଲ୍‌ କିଣିଥାନ୍ତେ। ହେଲେ ଅନଲାଇନ୍‌ ପେମେଣ୍ଟ ହୋଇ ନ ପାରିବା କାରଣରୁ ଯୋଜନାକୁ ସେ କାର୍ଯ୍ୟକାରୀ କରିପାରି ନ ଥିବା ପଚରାଉଚରାରେ କହିଛନ୍ତି।

ଲକ୍ଷ୍ନୌର ଅଭିଯୁକ୍ତ ସାଗର ପଚରାଉଚରାରେ ପୋଲିସକୁ କହିଛନ୍ତି ଯେ, ପୂର୍ବରୁ ତାଙ୍କର ଭିନ୍ନ ଯୋଜନା ଥିଲା। ସେ ପାର୍ଲାମେଣ୍ଟ ବାହାରେ ନିଜ ଦେହରେ ନିଆଁ ଲଗାଇଥାନ୍ତେ। ହେଲେ କାରଣବଶତଃ ଏହି ଯୋଜନା ଭଣ୍ଡୁର ହୋଇଯାଇଥିଲା।

ଦିଲ୍ଲୀ ପୋଲିସର ସ୍ପେଶାଲ ଟିମ୍‌କୁ ସାଗର କହିଛନ୍ତି, ଯୋଜନା ମୁତାବକ ସେ ଜେଲ୍‌ ଭଳି ଜିନିଷକୁ ଅନଲାଇନ୍‌ରେ କିଣିଥାନ୍ତେ। ଏହାଦ୍ୱାରା ନିଆଁ ଲଗାଇଲେ ବି ଶରୀରକୁ କୌଣସି କ୍ଷତି ପହଞ୍ଚି ନ ଥାନ୍ତା। ହେଲେ ଅନଲାଇନ୍‌ ପେମେଣ୍ଟ ହୋଇ ନ ପାରିବାର କାରଣରୁ ଜେଲ୍‌କୁ କିଣାଯାଇପାରିଲା ନାହିଁ। ଏହି କାରଣଣୁ ପାର୍ଲାମେଣ୍ଟ ବାହାରେ ନିଜକୁ ନିଆଁ ଲଗାଇବା ଯୋଜନା ଡ୍ରପ୍‌ କରିବାକୁ ପଡ଼ିଥିଲା।

ପୂର୍ବରୁ ଲକ୍ଷ୍ନୌରେ ଥିବା ସାଗରଙ୍କ ଘରୁ ଏକ ଡ଼ାଏରୀ ମିଳିଥିଲା। ଏଥିରେ ଲେଖାଥିଲା ଯେ ଘରୁ ବିଦା ହେବାର ସମୟ ପାଖେଇ ଆସୁଛି। ଏବେ ପରିବାରଲୋକେ ଏହାକୁ ସ୍ଥାନୀୟ ପୋଲିସକୁ ଦେଇଛନ୍ତି। ୨୦୧୫ରୁ ୨୦୨୧ ଯାଏ ଏହି ଡାଏରୀରେ ଅନେକ କିଛି ଲେଖାଯାଇଛି।

କହିରଖୁଛୁ, ସାଗର ଦ୍ୱାଦଶ ପାଠପଢ଼ା ଶେଷ କରିଛନ୍ତି। ସେ ସେନାରେ ସାମିଲ ହେବାକୁ ଚାହୁଁଥିଲେ। ଏଥିଲାଗି ସେ ଚେଷ୍ଟା ମଧ୍ୟ କରିଥିଲେ ହେଁ ବିଫଳ ହୋଇଥିଲେ। ଏହାପରେ ସେ ବେଙ୍ଗାଲୁରୁ ଯାଇ କିଛି ବର୍ଷ ରହିଥିଲେ। କିଛି ମାସ ପୂର୍ବରୁ ଘରକୁ ଫେରିଥିଲେ। ନିଜର ଗୁଜରାଣ ମେଣ୍ଟାଇବାକୁ ସେ ଇ-ରିକ୍ସା ଚଳାଇବା ଆରମ୍ଭ କରିଥିଲେ।

Share