Categories: ଜାତୀୟ

ସଂସଦ ଗୃହରେ ଛଡାଯାଇଥିବା ସ୍ମୋକ କ୍ୟାନ ‘ମେଡ ଇନ ଚାଇନା’

ନୂଆଦିଲ୍ଲୀ,୧୬।୧୨: ସଂସଦ ସୁରକ୍ଷା ତ୍ରୁଟିର ତଦନ୍ତ ଜାରି ରହିଛି। ଠିକ୍‌ ୨୨ବର୍ଷ ପରେ ସଂସଦ ଆକ୍ରମଣର ପୁର୍ତ୍ତି ଦିନ ଏପରି କାଣ୍ଡ ଭିଆଇଥିବା ୬ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଏହି ମାମଲାର ମାଷ୍ଟରମାଇଣ୍ଡ ଲଳିତ ଝାଙ୍କୁ ପୋଲିସ ଶୁକ୍ରବାର ୭ଦିନିଆ ରିମାଣ୍ଡରେ ନେଇଛି। ଏଥିସହ ତାଙ୍କୁ ପଟିଆଲା ହାଉସ କୋର୍ଟରେ ହାଜର କରାଯାଇଛି। କୋର୍ଟରେ ପୋଲିସ କହିଛି କି, ଲଳିତ ସ୍ବୀକାର କରିଛନ୍ତି କି ସଂସଦରେ ଏପରି କାଣ୍ଡ ଘଟେଇବା ପାଇଁ ୬ଅଭିଯୁକ୍ତ ବହୁବାର ଦିଲ୍ଲୀ ଆସିବା ସହ ଥରେ ଦି ଥର ପରସ୍ପର ସହ ସାକ୍ଷାତ କରିଛନ୍ତି। ଏକ ଜାତୀୟ ଗଣମାଧମର ରିପୋର୍ଟ ଅନୁସାରେ, ଡିସେମ୍ବର ୧୩ରେ ଘଟିଥିବା ଏହି ଘଟଣାର ନାଟ୍ୟ ରୂପାନ୍ତର ପାଇଁ ପୋଲିସ ସଂସଦର ଅନୁମତି ମାଗିଛି।

ଦିଲ୍ଲୀ ପୋଲିସ ଲଳିତଙ୍କ ସମେତ ୫ଅଭିଯୁକ୍ତଙ୍କୁ ପଚରାଉଚରା କରି ଘଟଣାର ଖିଅ କାଢିବାକୁ ଚେଷ୍ଟା କରୁଛି। ତେବେ ଏଥିରେ ଅନେକ ତଥ୍ୟ ସାମ୍ନାକୁ ଆସୁଛି। ଜଣାପଡିଛି କି , କାନଷ୍ଟେର ସ୍ମୋକ ଗ୍ୟାସକୁ ଲୁଚାଇ ନେବା ପାଇଁ ଜୋତା ଭିତରେ ସ୍ଥାନ ରଖାଯାଇଥିଲା। ତେବେ ସ୍ମୋକ କ୍ୟାନ ଯେପରି ଜୋତାରେ ଠିକ୍‌ ଭାବେ ଫିଟ୍‌ ରହିବ ସେଥିପାଇଁ ରବରର କଭର ଦିଆଯାଇଥିଲା। ଏହି ସ୍ମୋକ କ୍ୟାନଗୁଡିକ ଚାଇନାରେ ପ୍ରସ୍ତୁତ ହୋଇଥିବା ଜଣାପଡିଛି। ଏହାକୁ ନିବୁଜ ଗୃହ କିମ୍ବା ଘର ଭିତରେ ବ୍ୟବହାର ପାଇଁ ବାରଣ କରାଯାଇଛି।
ଏଫଆଇଆରରେ ପୋଲିସ କହିଛି କି, ଏହି କାଣ୍ଡରେ ବିଦେଶ ଶକ୍ତିର ହାତ ଥିବା ଅନୁମାନ କରାଯାଉଛି। ସେହିପରି ଜୋତାରେ ସ୍ମୋକ ଗ୍ୟାସ ଫିଟିଙ୍ଗ କରିଥିବା ଅଭିଯୁକ୍ତଙ୍କୁ ଖୋଜା ଚାଲିଛି।

Share