Categories: ଜାତୀୟ

ନିଜେ ଇ-ରିକ୍ସା ଚାଳକ,ବାପା ବଢ଼େଇ…ପାର୍ଲାମେଣ୍ଟରେ ହଙ୍ଗାମା କରି ଚର୍ଚ୍ଚାରେ ଲକ୍ଷ୍ନୌର ସାଗର ଶର୍ମା

ନୂଆଦିଲ୍ଲୀ,୧୩।୧୨: ପାର୍ଲାମେଣ୍ଟ ସୁରକ୍ଷାରେ ବୁଧବାର ବଡ଼ ଧରଣର ତ୍ରୁଟି ପରିଲକ୍ଷିତ ହୋଇଛି। ଦର୍ଶକ ଗ୍ୟାଲେରୀରୁ ୨ ଜଣ ଯୁବକ ଏମ୍‌ପିମାନଙ୍କ ଲାଗି ଉଦ୍ଦିଷ୍ଟ ସ୍ଥାନକୁ ଡେଇଁଥିଲେ। ପରେ ସ୍ମୋକ୍‌ ଷ୍ଟିକ୍‌ ଦ୍ୱାରା ପାର୍ଲାମେଣ୍ଟରେ ଧୁଆଁ ଛାଡ଼ିଥିଲେ। ଏହି ଦୃଶ୍ୟ ଦେଖି କିଛି ସମୟ ଲାଗି ସମସ୍ତେ ଚକିତ ହୋଇଯାଇଥିଲେ। କେବଳ ସେତିକି ନୁହେଁ ପାର୍ଲାମେଣ୍ଟ ବାହାରେ ମଧ୍ୟ ଜଣେ ଯୁବକ ଏବଂ ଯୁବତୀ ମଧ୍ୟ ସମାନ ଢ଼ଙ୍ଗରେ ସ୍ଲୋଗାନ ଦେଉଥିବା ଦେଖାଯାଇଥିଲା। ଏଯାବତ ଘଟଣାରେ ୪ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ମହାରାଷ୍ଟ୍ର ଲାତୁରର ଅମୋଲ ଶିନ୍ଦେ, ହରିୟାଣାର ନୀଲମ୍‌, ୟୁପିର ଲକ୍ଷ୍ନୌର ସାଗର ଶର୍ମା ପ୍ରମୁଖ ଅଛନ୍ତି। ପୋଲିସ ଏବେ ସମସ୍ତଙ୍କୁ ପଚରାଉଚରା କରୁଛି।

ସାଗର ଶର୍ମାଙ୍କ ବିଷୟରେ କହିଲେ ସେ ଜଣେ ଇ-ରିକ୍ସା ଚାଳକ। ଏହାପୂର୍ବରୁ ସେ ବେଙ୍ଗାଲୁରୁରେ ରହୁଥିଲେ। ସେଠାରୁ ସେ ୩ ମାସ ପୂର୍ବେ ଆସିଥିଲେ। କିଛି କାମ ନ ମିଳିବାରୁ ଇ-ରିକ୍ସା ଚଳାଇ ଗୁଜରାଣ ମେଣ୍ଟାଉଥିଲେ। ତାଙ୍କ ବାପା ଜଣେ ବଢ଼େଇ। ଘରେ ତାଙ୍କର ମାତ୍ର ୪ଜଣ ଲୋକ ଅଛନ୍ତି। ପ୍ରଥମେ ପୂରା ପରିବାର ଦିଲ୍ଲୀରେ ରହୁଥିବା ବେଳେ ୧୫ ବର୍ଷ ପୂର୍ବେ ରାମନଗରରେ ରହୁଛନ୍ତି। ଏବେ ସାଗରଙ୍କୁ ନେଇ ପରିବାରଲୋକେ ଜାଣିବା ପରେ ସମସ୍ତେ ଚିନ୍ତାରେ ବୁଡ଼ି ରହିଛନ୍ତି। ସେ ଜଣେ ସାଧାସିଧା ଯୁବକ ହୋଇଥିବା ବେଳେ ଏଭଳି କାଣ୍ଡ କେଉଁ କାରଣରୁ ଘଟାଇଛନ୍ତି ତାହାକୁ ସେମାନେ ବିଶ୍ୱାସ କରିପାରୁ ନ ଥିବା ପ୍ରକାଶ କରିଛନ୍ତି।

Share