Categories: ଜାତୀୟ

ସମ୍ବିଧାନରେ ସ୍ବତନ୍ତ୍ର ଅଧିବେଶନକୁ ନେଇ କୌଣସି ଉଲ୍ଲେଖ ନାହିଁ

ନୂଆଦିଲ୍ଲୀ,୧୮।୯: ସଂସଦର ୫ ଦିନିଆ ସ୍ବତନ୍ତ୍ର ଅଧିବେଶନ ସୋମବାର ଆରମ୍ଭ ହେବାକୁ ଯାଉଛି। ଅଗଷ୍ଟ ୧୧ରେ ମୌସୁମୀ ଅଧିବେଶନ ଶେଷ ହେବାର କିଛି ସପ୍ତାହ ପରେ ହିଁ ସ୍ବତନ୍ତ୍ର ଅଧିବେଶନର ଘୋଷଣା କରାଯାଇଥିଲା। ସରକାର ଏହି ଅଧିବେଶନର ପ୍ରସ୍ତାବିତ ଏଜେଣ୍ଡା ଉପସ୍ଥାପନ କରିଦେଇଛନ୍ତି।

କୁହାଯାଇଥିଲା ଯେ ଅଧିବେଶନର ପ୍ରଥମ ଦିନରେ ସଂସଦର ୭୫ ବର୍ଷର ଯାତ୍ରା ରାଜ୍ୟ ସଭା ଓ ଲୋକ ସଭାରେ ଆଲୋଚନା ହେବ। ଅବଶିଷ୍ଟ ଚାରି ଦିନ ମଧ୍ୟରେ ଚାରୋଟି ବିଲ ଉପରେ ଆଲୋଚନା ହେବ। ତେବେ ବିରୋଧୀଦଳ ଅନୁଭବ କରୁଛନ୍ତି ଯେ ସରକାର କିଛି ବଡ କାର୍ଯ୍ୟ କରିପାରିବେ ଏବଂ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ସହ ଦେଶର ନାମ କେବଳ ଭାରତ କିମ୍ବା ୟୁନିଫର୍ମ ସିଭିଲ କୋଡରେ ପରିବର୍ତ୍ତନ କରାଯାଇପାରିବ। ୧୯୬୨ରେ ଭାରତ-ଚାଇନା ଯୁଦ୍ଧ ଠାରୁ ଆରମ୍ଭ କରି ଦ୍ରବ୍ୟ ଏବଂ ସେବା କର ଅର୍ଥାତ ୨୦୧୭ରେ ଜିଏସଟି ଲାଗୁ ହେବା ପର୍ଯ୍ୟନ୍ତ ୮ ଥର ସ୍ବତନ୍ତ୍ର ଅଧିବେଶନ ଡକା ଯାଇଥିଲା।
୧୯୪୭ରୁ ୨୦୨୩ ପର୍ଯ୍ୟନ୍ତ ଏକ ସ୍ବତନ୍ତ୍ର ଅଧିବେଶନକୁ ଅନେକ ଥର ଡକାଯାଇଥିଲା, କିନ୍ତୁ ଏହା ଏଷତ ଆଲୋଚନା ହୋଇ ନ ଥିଲା ଯାହା ଏଥର ହେଉଛି। କେତେବେଳେ ଏକ ସ୍ବତନ୍ତ୍ର ଅଧିବେଶନ ଡକାଯାଇଥାଏ, ବିରୋଧୀଙ୍କ ଅନୁମତି ଜରୁରୀ କି, ଏହାକୁ କେବେ ଡକାଯାଏ ଏବଂ ଏହାର ପ୍ରକ୍ରିୟା କ’ଣ ରହିଛି ଏବେ ଏହାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ବି ଉଠୁଥିବ।
ସଂସଦର ତିନୋଟି ସାଧାରଣ ଅଧିବେଶନ ବ୍ୟତୀତ ଆବଶ୍ୟକ ହେଲେ ସଂସଦର ଏକ ଅଧିବେଶନ ମଧ୍ୟ ଡକାଯାଇପାରିବ। ଯଦି ସରକାର ଏକ ନିର୍ଦ୍ଦିଷ୍ଟ ବିଷୟ ଉପରେ ଜରୁରୀ ସଂସଦ ଅଧିବେଶନ ଡାକିବାର ଆବଶ୍ୟକତା ଅନୁଭବ କରନ୍ତି, ତେବେ ଏହା ଏକ ସ୍ବତନ୍ତ୍ର ଅଧିବେଶନ ଡକାଯାଇ ପାରିବ। ଏଭଳି ପରିସ୍ଥିତିରେ ଧାରା ୮୫ (୧) ରାଷ୍ଟ୍ରପତିଙ୍କୁ ଉଭୟ ଗୃହର ଅଧିବେଶନ ଡାକିବାର ଅଧିକାର ଦେଇଥାଏ।

Share