Categories: ଜାତୀୟ

ସଂସଦ ସୁରକ୍ଷାରେ ତ୍ରୁଟି: ଆଉ ପରିଦର୍ଶକଙ୍କୁ ମିଳିବନି ପାସ୍, ବିମାନ ବନ୍ଦର ପରି ହେବ ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ,୧୩ା୧୨: ପରିଦର୍ଶକଙ୍କ ପାଇଁ ବନ୍ଦ ହେଲା ପାର୍ଲାମେଣ୍ଟ ଦ୍ୱାର। ବୁଧବାର ସଂସଦରେ ଏକ ବଡ଼ ସୁରକ୍ଷା ତ୍ରୁଟି ପରେ ଏହି ନିଷ୍ପତ୍ତି ନେଇଛନ୍ତି ଲୋକସଭା ପରିଚାଳନା ସଚିବ। ଏନେଇ ସେ କେନ୍ଦ୍ର ଗୃହ ମନ୍ତ୍ରାଳାୟକୁ ଏକ ଚିଠି ଲେଖି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିବା ସହିତ ପରବର୍ତ୍ତୀ ନିଷ୍ପତି ପର୍ଯ୍ୟନ୍ତ ପରିଦର୍ଶକଙ୍କୁ ପାସ୍ ଦେବାକୁ ମନା କରିଛନ୍ତି।

ଏହା ପୂର୍ବରୁ ଲୋକସଭା ବାଚସ୍ପତି ଓମ ବିର୍ଲା ବିଭିନ୍ନ ଦଳର ନେତା ମାନଙ୍କ ସହିତ ଆଲୋଚନା କରିଥିଲେ। ଏହି ସମୟରେ ବିରୋଧୀ ଦଳର ନେତାମାନେ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଥିବା ବେଳେ ସେ ଏଥିରେ ସହମତ ହୋଇଥିଲେ ଏବଂ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବା ନେଇ ଆଶ୍ୱାସନା ଦେଇଥିଲେ।

ଏହି ଘଟଣା ପରେ ଏମପି, କର୍ମଚାରୀ ଏବଂ ଗଣମାଧ୍ୟମକୁ ପୃଥକ ପ୍ରବେଶ ଦ୍ୱାର ଦିଆଯିବା ସହିତ ସୁରକ୍ଷା ପ୍ରୋଟୋକଲଗୁଡ଼ିକର ପୁନଃ ପ୍ରସ୍ତୁତ କରାଯାଇଛି। ପରେ ଯେଉଁ ସମୟରେ ପରିଦର୍ଶକମାନଙ୍କୁ ଅନୁମତି ମିଳିବ ସେତେବେଳେ ସେମାନେ ଚତୁର୍ଥ ଫାଟକରୁ ପ୍ରବେଶ କରିବେ। ତେବେ ବର୍ତମାନ ପାଇଁ ଏହି ସୁବିଧା ବନ୍ଦ ରହିବ।

ଏହା ସହିତ ଆଗକୁ ଭିଜିଟର ଗ୍ୟାଲେରୀରେ କାଚ ଲାଗିବ, ଯାହା ଦ୍ୱାରା ସେମାନେ ତଳକୁ ଡେଇଁ ପାରିବେ ନାହିଁ। ବିମାନ ବନ୍ଦର ପରି ବଡି ସ୍କାନର ଏବେ ସଂସଦରେ ମଧ୍ୟ ଲଗାଯିବ। ସେହିପରି ସଂସଦ ଭିତରେ ସୁରକ୍ଷାକର୍ମୀଙ୍କ ସଂଖ୍ୟା ବୃଦ୍ଧି କରାଯିବ।

Share