ନୂଆଦିଲ୍ଲୀ,୩୧।୧୦: ନୂଆ ପାର୍ଲାମେଣ୍ଟ ବିଲ୍ଡିଂର କେତେକ ନିର୍ମାଣ କାର୍ଯ୍ୟ ସମୟସୀମା ପୂର୍ବରୁ ଶେଷ ହୋଇ ନ ପାରେ। ସେଥିପାଇଁ ଆଗାମୀ ଶୀତ ଅଧିବେଶନ ପୁରୁଣା ବିଲ୍ଡିଂରେ ଅନୁଷ୍ଠିତ ହେବା ସମ୍ଭାବନା ରହିଥିବା ଏକ ସୂତ୍ରରୁ ଜଣାପଡ଼ିଛି। ପାର୍ଲାମେଣ୍ଟର ଶୀତ ଅଧିବେଶନ ସାଧାରଣତଃ ନଭେମ୍ବର ତୃତୀୟ ସପ୍ତାହରେ ଆରମ୍ଭ ହୋଇଥାଏ। ଏହା ପୂର୍ବରୁ ନୂଆ ବିଲ୍ଡିଂ କାର୍ଯ୍ୟ ଶେଷ ହୋଇଯିବ ବୋଲି ସରକାର ଲକ୍ଷ୍ୟ ରଖିଥିଲେ। ଧାର୍ଯ୍ୟ ସମୟ ମଧ୍ୟରେ କାର୍ଯ୍ୟ ଶେଷ କରିବା ଲାଗି ଦିନରାତି କାମ ଚାଲିଛି। ଏହା ସତ୍ତ୍ୱେ ସମୟସୀମା ମଧ୍ୟରେ ସମସ୍ତ କାର୍ଯ୍ୟ ଶେଷ ହୋଇ ନ ପାରେ ବୋଲି କୁହାଯାଇଛି। ବିଲ୍ଡିଂର ସିଭିଲ କାମ ଶେଷ ହୋଇଥିବା ବେଳେ ଇଲେକ୍ଟ୍ରିକାଲ ଓ ଅନ୍ୟାନ୍ୟ କେତେକ କାର୍ଯ୍ୟ ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ଜାରି ରହିବ। ଏଥିସହିତ ଆସବାବପତ୍ର, କାର୍ପେଟ, ଓ୍ବାଲ ମୁରାଲ ଓ ଅନ୍ୟାନ୍ୟ ଉପକରଣ କାର୍ଯ୍ୟ ମଧ୍ୟ ଜାରି ରହିଛି। ତେଣୁ ଶୀତ ଅଧିବେଶନ ପୁରୁଣା ବିଲ୍ଡିଂରେ ଅନୁଷ୍ଠିତ ହେବାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ଉକ୍ତ ସୂତ୍ରରୁ କୁହାଯାଇଛି।