Categories: ଜାତୀୟ

ରେଳ ଯାତ୍ରାରେ ବରିଷ୍ଠ ନାଗରିକଙ୍କୁ ପୁଣି ମିଳିବ ରିହାତି

ନୂଆଦିଲ୍ଲୀ,୧୩।୩: କରୋନା ମହାମାରୀ ପରେ ବରିଷ୍ଠ ନାଗରିକଙ୍କୁ ରେଳ ଯାତ୍ରା ସମୟରେ ରିହାତି ମିଳିବା ବନ୍ଦ ହୋଇଯାଇଛି। ବର୍ତ୍ତମାନ କରୋନା ମହାମାରୀ ପରେ ଦେଶର ସ୍ଥିତିରେ ଅନେକ ଉନ୍ନତି ଘଟିଛି। ତେଣୁ ବରିଷ୍ଠ ନାଗରିକଙ୍କୁ ରେଳ ଭଡ଼ା ଉପରେ ରିହାତି ପ୍ରଦାନ ଦାବି ପୁଣି ଥରେ ଆରମ୍ଭ ହୋଇଛି। ସୋମବାର ସଂସଦର ଏକ ସ୍ଥାୟୀ କମିଟି ଏହାକୁ ସୁପାରିଶ କରିଛନ୍ତି। ସୂଚନାଯୋଗ୍ୟ, ଭାରତୀୟ ରେଲଓ୍ବେ ୬୦ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ପୁରୁଷଙ୍କୁ ୪୦ ପ୍ରତିଶତ ରିହାତି ପ୍ରଦାନ କରୁଥିଲା ଏବଂ ସର୍ବନିମ୍ନ ବୟସ ୫୮ବର୍ଷର ମହିଳାମାନଙ୍କୁ ୫୦ ପ୍ରତିଶତ ରିହାତି ପ୍ରଦାନ କରାଯାଉଥିଲା। ମେଲ୍‌, ଏକ୍ସପ୍ରେସ, ରାଜଧାନୀ, ଶତାବ୍ଦୀ ଏବଂ ଦୁରନ୍ତୋ ଭଳି ଟ୍ରେନର ସମସ୍ତ ଶ୍ରେଣୀର ଭଡାରେ ଏହି ରିହାତି ପ୍ରଦାନ କରାଯାଇଥିଲା। କିନ୍ତୁ କରୋନା ପରେ ୨୦୨୦ ମାର୍ଚ୍ଚ ୨୦ରୁ ଏହା ବନ୍ଦ ହୋଇଯାଇଥିଲା। ଏମ୍‌ପି ରାଧା ମୋହନ ସିଂଙ୍କ ଅଧ୍ୟକ୍ଷତାରେ ରେଳ ମନ୍ତ୍ରଣାଳୟର ସଂସଦୀୟ ସ୍ଥାୟୀ କମିଟି ଏହାକୁ ସୁପାରିଶ କରିଛି। ସୋମବାର ସଂସଦର ଉଭୟ ଗୃହରେ ଏହି ରିପୋର୍ଟ ଉପସ୍ଥାପିତ ହୋଇଥିଲା। ବରିଷ୍ଠ ନାଗରିକମାନଙ୍କୁ ଦିଆଯାଇଥିବା ରିହାତି ପୁନଃ ଆରମ୍ଭ କରାଯାଉ ବୋଲି କମିଟି କହିଛି। ଏହି ବିଷୟରେ ବିଚାର କରିବାକୁ କମିଟି ରେଳ ମନ୍ତ୍ରଣାଳୟକୁ ଅନୁରୋଧ କରିଛି।

Share