ସଂସଦୀୟ ଗଣତନ୍ତ୍ର ଓ ଦାୟିତ୍ୱସମ୍ପନ୍ନ ବିରୋଧୀ ଦଳ

ଶକ୍ତି ପ୍ରସାଦ ଦାସ

ଧୀନତାର ୭୩ ବର୍ଷ ମଧ୍ୟରେ ଭାରତ ୧୭ଟି ଲୋକ ସଭା ନିର୍ବାଚନ ସହିତ ସମାନ ସଂଖ୍ୟକ ସରକାର ଓ ବିରୋଧୀ ଦଳ ଦେଖିଛି। ବିରୋଧୀ ଦଳଗୁଡିକ ଅନବରତ ସରକାରଙ୍କ ନୀତି ନିର୍ଦ୍ଧାରଣ ପ୍ରକ୍ରିୟାରେ ଗଠନମୂଳକ ଅବଦାନ ରଖିବା ସହିତ ଭାରତକୁ ପ୍ରଗତି ପଥରେ ଆଗେଇ ନେଇଛନ୍ତି। ଭାରତ ଭଳି ଏକ ଦଳ-ବହୁଳ, ଅଞ୍ଚଳ-ବହୁଳ ଓ ସଂସ୍କୃତି-ବହୁଳ ଗଣତନ୍ତ୍ରରେ ଶକ୍ତିଶାଳୀ ଜାତୀୟ ବିରୋଧୀ ଦଳର ଭୂମିକା ସବୁବେଳେ ଗୁରୁତ୍ୱପୂର୍ଣ୍ଣ । ସରକାର ସ୍ବଚ୍ଛ, ପ୍ରତିକ୍ରିୟାଶୀଳ ଓ ଉତ୍ତରଦାୟୀ ହେବା ସହିତ ମନମୁଖି ଶାସନରୁ ବିରତ ରହିବାପାଇଁ ଏକ ପ୍ରଭାବଶାଳୀ ବିରୋଧୀ ଦଳର ଆବଶ୍ୟକତା ଅନୁଭୂତ ହୁଏ।
ବର୍ତ୍ତମାନ ସ୍ଥିତିରେ କେନ୍ଦ୍ରରେ ଗୈରିକ ଦଳକୁ ଆହ୍ବାନ ଦେଲାଭଳି ବିରୋଧୀ ଦଳ ଭାରତରେ ଥିଲାଭଳି ଅନୁଭୂତ ହେଉନାହିଁ । କଂଗ୍ରେସର ସର୍ବଭାରତୀୟ ଉପସ୍ଥିତି ରହିଛି। ଛୋଟ ଛୋଟ ଆଞ୍ଚଳିକ ଓ ଜାତୀୟ ଦଳଗୁଡିକୁ ବିଶ୍ୱାସକୁ ନେଇ କଂଗ୍ରେସ ଏକ ଦକ୍ଷ ବିରୋଧୀ ସାମ୍ମୁଖ୍ୟ ଗଢୁ ବୋଲି ଦେଶ ପ୍ରତ୍ୟାଶା ରଖୁଥିବାବେଳେ, ସମ୍ପ୍ରତି ସେଭଳି କିଛି ଲକ୍ଷଣ ଦେଖାଯାଉ ନାହିଁ। ୨୦୧୯ ଲୋକ ସଭା ନିର୍ବାଚନରେ ବିରୋଧୀ ଦଳଗୁଡିକ ଲଜ୍ଜାଜନକ ପରାଜୟର ଗ୍ଲାନିରୁ ମୁକୁଳିବାର କୌଣସି ଲକ୍ଷଣ ଏବେ ବି ଦେଖାଉନାହାନ୍ତି । ସଂସଦରେ ପ୍ରଭାବଶାଳୀ ଭୂମିକା ଗ୍ରହଣ କରିବାକୁ କୌଣସି ଦୃଢ଼, ଦାୟିତ୍ୱବାନ ଓ ବିଶ୍ୱସନୀୟ ବିରୋଧୀ ଦଳ ନାହାନ୍ତି । କ୍ରମାଗତ ଭାବରେ ଦ୍ୱିତୀୟ ଥର ପାଇଁ କଂଗ୍ରେସ ଲୋକ ସଭାରେ ବିରୋଧୀ ଦଳର ନେତା ମାନ୍ୟତା ହରାଇଛିି। କେବଳ ସଂସଦରେ ନୁହେଁ, ସାଧାରଣ ଜନମାନସରେ ମଧ୍ୟ ବିରୋଧୀଦଳ ନେତାର ଏକ ଅଭାବ ଅନୁଭୂତ ହେଉଛି।
ଜିଏସ୍‌ଟି ଭଳି ବିଭିନ୍ନ ବିବାଦୀୟ ବିଲ୍‌ ଅନୁମୋଦନ ପାଇଁ ସମ୍ବିଧାନ ସଂଶୋଧନ କରିବାରେ, ଦେଶଦ୍ରୋହ ଭଳି ଆଇନର ଅପବ୍ୟବହାର ଇତ୍ୟାଦି ବିଷୟରେ ବିରୋଧୀ ଦଳ ସରକାରଙ୍କୁ ପ୍ରଶ୍ନ କରିବାକୁ ସକ୍ଷମ ହୋଇପାରୁ ନାହିଁ। ଯଦି ବା ପ୍ରଶ୍ନ କରୁଛି, ତାହା ସେପରି ଶକ୍ତିଶାଳୀ ହେଉନାହିଁ। ଦିଗହୀନ ଓ ଲକ୍ଷ୍ୟହୀନ ବିରୋଧୀ ଦଳ ଭାଜପା ନେତୃତ୍ୱାଧୀନ ସରକାରର ବିବାଦୀୟ ନିଷ୍ପତ୍ତିଗୁଡିକ ଉପରେ କୌଣସି ବିରୋଧାତ୍ମକ ଜନମତ ସୃଷ୍ଟି କରିବାରେ ସଫଳ ହୋଇପାରିନାହାନ୍ତି।
ନରେନ୍ଦ୍ର ମୋଦି ଭୋଟରଙ୍କ ମନରେ ତାଙ୍କର କେହି ବିକଳ୍ପ ନାହାନ୍ତି ବୋଲି ଏକ ଧାରଣା ଦୃଢୀଭୂତ କରିବାରେ ସକ୍ଷମ ହୋଇଛନ୍ତି। ମୋଦି-୧ ଶାସନକୁ ନେଇ ଅସନ୍ତୁଷ୍ଟ ଥିବା ଲୋକେ ଏବେ କହିବାକୁ ଆରମ୍ଭ କଲେଣି କି, ମୋଦିଙ୍କର କୌଣସି ବିକଳ୍ପ ନାହିଁ। ରାହୁଲ ଗାନ୍ଧୀଙ୍କ ଆନ୍ତରିକତା ଏବଂ ଦାଗହୀନ ବ୍ୟକ୍ତିତ୍ୱ ଉପରେ କାହାରି ସନ୍ଦେହ ନାହିଁ। କିନ୍ତୁ, ମୋଦିଙ୍କ ବ୍ୟକ୍ତିତ୍ୱର ବିକଳ୍ପ ଭାବରେ ଉଭା ହେବାକୁ ହେଲେ ନିଜ ପାଇଁ ଯେଉଁ ବଳିଷ୍ଠ ଛବି ନିର୍ମାଣ କରିବା କଥା, ସେଥିରେ ସଫଳ ହୋଇପାରିନାହାନ୍ତି।
ସେହିଭଳି କର୍ନାଟକ ଓ ମଧ୍ୟପ୍ରଦେଶରେ ଲୋକମତର ବିପରୀତରେ କଂଗ୍ରେସ ନେତୃତ୍ୱରେ ଗଠିତ ସରକାର ଗୋଟିଏ ପରେ ଗୋଟିଏ କ୍ଷମତାଚ୍ୟୁତ ହେବା ଏବଂ ରାଜସ୍ଥାନ ସମାନ ପ୍ରକ୍ରିୟା ମଧ୍ୟରେ ଗତି କରୁଥିବା ବିଷୟ ଆମ ସମସ୍ତଙ୍କୁ ଜଣା। ଏସବୁ ବିପର୍ଯ୍ୟୟ ପାଇଁ ଭାଜପାକୁ ଦୋଷ ଦେବା ପୂର୍ବରୁ କଂଗ୍ରେସ ଆତ୍ମଚିନ୍ତନ କରିବା କଥା। ନିଜ ଘର ସଜାଡିକରି ନ ରଖିଲେ, ବାହାର ଲୋକ ମୁଣ୍ଡ ପୂରାଇବା ସ୍ବାଭାବିକ। ଭାଜପା ତ ଚାହିଁବ ‘କଂଗ୍ରେସ ମୁକ୍ତ ଭାରତ’ ପାଇଁ। କଂଗ୍ରେସ ନିଜର କୁମ୍ଭକର୍ଣ୍ଣ ନିଦରୁ ଉଠିବାକୁ ଆଉ କେତେଦିନ ନେବ ?
୨୦୧୪ ସାଧାରଣ ନିର୍ବାଚନ ପରଠାରୁ ଏହା ମଧ୍ୟରେ ତିନିଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ, ସାତଜଣ ରାଜ୍ୟ ସଭାପତି, ଆଠଜଣ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ସହିତ ଜ୍ୟୋତିରାଦିତ୍ୟ ସିନ୍ଧିଆ, ହେମନ୍ତ ବିଶ୍ୱଶର୍ମା, ଜଗନମୋହନ ରେଡ୍ଡୀଙ୍କ ପରି ଯୁବକ ଓ ଦକ୍ଷ ନେତାମାନେ କଂଗ୍ରେସ ଛାଡିଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ସୁବିଧାବାଦୀ କାରଣରୁ ଦଳ ଛାଡିଥିବାବେଳେ ଅଧିକାଂଶ ହାଇକମାଣ୍ଡଙ୍କ ଉଦାସୀନତା ଓ ଅପାରଗତା କାରଣରୁ ଦଳ ଛାଡିଛନ୍ତି। କଥା ହେଉଛି, ଏହି ଅସନ୍ତୋଷର ସ୍ବରରୁ ଦଳ କିଛି ଶିଖିବା ଜରୁରୀ। ଦଳ ମଧ୍ୟରେ ବିତର୍କକୁ ଦ୍ୱନ୍ଦ୍ୱ ବୋଲି ଭାବିବା ଭୁଲ୍‌ ହୋଇଯାଉଛି ବୋଧହୁଏ। କଂଗ୍ରେସକୁ ନିଜର ହୃତ ଗୌରବକୁ ଫେରାଇଆଣିବାକୁ ହେଲେ ନିଜକୁ ବିକେନ୍ଦ୍ରୀକରଣ କରିବାକୁ ପଡିବ ଏବଂ ଦେଶର ସ୍ବରକୁ ଶୁଣିବାକୁ ପଡିବ।
ଦିଲ୍ଲୀ ନିର୍ବାଚନରେ ଫଳାଫଳ ଶୂନ୍ୟ ରହିବା ସହିତ ୬୬ ପ୍ରାର୍ଥୀଙ୍କ ମଧ୍ୟରୁ ୬୩ଜଣଙ୍କ ଅମାନତ ହରାଇବା ପରେ କଂଗ୍ରେସ, ତା’ର ଆଖି-କାନ ସବୁ ଖୋଲିବାକୁ ଆରମ୍ଭ କରିବା କଥା। କିନ୍ତୁ କଂଗ୍ରେସର ତଥାକଥିତ ହାଇକମାଣ୍ଡଙ୍କୁ ଏହା ନିତିଦିନିଆ କଥା ଭଳି ମନେହେଉଛି। କାରଣ, ଦଳ ଆତ୍ମଚିନ୍ତନ କଥା ଆଦୌ ଉଠାଉ ନାହିଁ । ରାହୁଲ ଗାନ୍ଧୀ କଂଗ୍ରେସ ଦଳର ସଭାପତି ପଦରୁ ଇସ୍ତଫା ଦେବାର ଗୋଟିଏ ବର୍ଷ ବିତିଗଲାଣି । ଅନୁଗତ କଂଗ୍ରେସ କର୍ମୀମାନେ ସେହିଦିନଠାରୁ ଉପରକୁ ଅନାଇ ରହିଛନ୍ତି, ସେ କେବେ ମତ ବଦଳାଇବେ। ଏହା ମଧ୍ୟରେ ଅନେକ କଂଗ୍ରେସ କର୍ମୀ ତଥାକଥିତ ବିଶ୍ୱସ୍ତ ସଂସ୍କୃତିକୁ ଛାଡି ଏକ ନୂତନ ଗତିଶୀଳ ନେତୃତ୍ୱ ପାଇଁ ଆହ୍ବାନ ଦେଲେଣି। କଂଗ୍ରେସର ଦୁର୍ଦ୍ଦିନରେ ସୋନିଆ ଗାନ୍ଧୀ ଦଳକୁ ଦୁଇ ଦୁଇଟି ନିର୍ବାଚନରେ ବିଜୟୀ କରାଇଥିବାରୁ କିଛି ଲୋକ ତାଙ୍କୁ ଏବେ ବି ସଭାପତି ପଦରେ ଦେଖିବାକୁ ଚାହୁଁଛନ୍ତି । ପ୍ରିୟଙ୍କା ଗାନ୍ଧୀଙ୍କ ବିଷୟରେ ମଧ୍ୟ ଆଲୋଚନା ହେଉଛି। ଏସବୁ ଭାଜପାକୁ କଂଗ୍ରେସ ବିରୋଧରେ ବଂଶବାଦ ନାମରେ ଆକ୍ରମଣ ଜାରି ରଖିବାକୁ ଖୋରାକ ଯୋଗାଉଛି।
ବର୍ତ୍ତମାନ ଯୁବ-ଭାରତକୁ ମେରିଟୋକ୍ରାସି ବା ପ୍ରତିଭାସମ୍ପନ୍ନ ବ୍ୟକ୍ତିଙ୍କ ଦ୍ୱାରା ଶାସନର ଭାବଧାରା ଘାରିଥିବାବେଳେ ଗାନ୍ଧୀ-ନେହେରୁ ପରିବାର ବାହାରେ ଥିବା ଦକ୍ଷ କଂଗ୍ରେସ ନେତାଙ୍କୁ ମଧ୍ୟ ଦଳର ନେତୃତ୍ୱ ଦେବା କଥା ବିଚାର ପରିସରକୁ ନେବାର ଅଛି । ମଲ୍ଲିକାର୍ଜୁନ ଖାର୍ଗେ, କ୍ୟାପ୍‌ଟେନ ଅମରିନ୍ଦର ସିଂ ଓ ଶଶି ଥରୁରଙ୍କ ଭଳି ଅଭିଜ୍ଞ ନେତା ସୁଯୋଗ ପାଇଲେ, ଦକ୍ଷତା ପ୍ରତିପାଦନ କରିପାରିବେ ବୋଲି ଆଶା କରାଯାଏ।
ଦେଶକୁ ବର୍ତ୍ତମାନ ଏପରି ଏକ ବିରୋଧୀ ଦଳ ଆବଶ୍ୟକ, ଯାହାର ରାଷ୍ଟ୍ରକୁ ଶାସନ କରିବା ଉଦ୍ଦେଶ୍ୟରେ ଭାଜପା ସହ ଲଢିବାର କ୍ଷୁଧା ଓ ଦୃଢତା ଥିବ। ପରନ୍ତୁ, ଦଳର ବରିଷ୍ଠ କର୍ମକର୍ତ୍ତା କିଛି ଯୁବ-ତୁର୍କ ନେତାଙ୍କୁ ଉଚ୍ଚାଭିଳାଷୀ ବୋଲି ଲାଞ୍ଛନା ଲଗାଉଛନ୍ତି । ଯଦି ଯୁବନେତାଙ୍କ ମଧ୍ୟରେ ମୁକାବିଲା ପାଇଁ କୌଣସି ଅଭିଳାଷ ରହିବନାହିଁ, ତେବେ ଦଳର ଭବିଷ୍ୟତ କ’ଣ ହେବ ?
କେନ୍ଦ୍ରରେ କଂଗ୍ରେସ ନେତୃତ୍ୱର ଶୂନ୍ୟତାକୁ ପୂରଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହେବା ଜରୁରୀ ହୋଇପଡିଛି। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସବୁକୁ ଦଳ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିପାରିବ ନାହିଁ। ବିନା ନିର୍ବାଚନରେ ‘କଂଗ୍ରେସ ୱାର୍କିଂ କମିଟି’ ବା ‘ସିଡବ୍ଲ୍ୟୁସି’ରେ ନୋମିନେଶନର ସଂସ୍କୃତି ଏହି ସର୍ବୋଚ୍ଚ ସଂସ୍ଥାକୁ ନଷ୍ଟ କରିଦେଲାଣି। ଗତ ପ୍ରାୟ ୨୩ବର୍ଷ ଧରି ସିଡବ୍ଲ୍ୟୁସିକୁ ଆଭ୍ୟନ୍ତରୀଣ ନିର୍ବାଚନ କରାଯାଇନାହିଁ। ସିଡବ୍ଲ୍ୟୁସିରେ ଅଧିକାଂଶ ମନୋନୀତ ସଦସ୍ୟଙ୍କର ନିଜ ଅଞ୍ଚଳରେ କୌଣସି ପ୍ରାସଙ୍ଗିକତା ନାହିଁ। ସେମାନେ ମୁଖ୍ୟତଃ ଦିଲ୍ଲୀଭିତ୍ତିକ। ତଥାପି ସେମାନେ ଦଳର କାର୍ଯ୍ୟକଳାପ ସ୍ଥିର କରିବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଛନ୍ତି । କଂଗ୍ରେସକୁ ଗୋଟିଏ ଦାୟିତ୍ୱସମ୍ପନ୍ନ ବିରୋଧୀ ଦଳ ହିସାବରେ ସଫଳ ହେବାକୁ ହେଲେ ଗଣତାନ୍ତ୍ରିକ ପଦ୍ଧତିରେ ଜଣେ ପୂର୍ଣ୍ଣକାଳୀନ ସଭାପତି ଏବଂ ସିଡବ୍ଲ୍ୟୁସିର ଆମୂଳଚୂଳ ପରିବର୍ତ୍ତନ ଆବଶ୍ୟକ।
ନିକଟରେ ସିଡବ୍ଲ୍ୟୁସିର ଜଣେ ଆଗଧାଡିର ସଦସ୍ୟ ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି କି, ଗାନ୍ଧୀ ପରିବାରର ପ୍ରେରଣାଦାୟୀ ଚରିତ୍ର ଅନ୍ୟ କାହା ପାଖରେ ନାହିଁ। ଏଥିରୁ ବୁଝାପଡୁଛି, ଦଳ ଏବେ ବି ଗାନ୍ଧୀ-ନେହେରୁ ପରିବାର ନାମରେ ରାଜନୀତି ଜାରି ରଖିବାକୁ ଚାହୁଁଛନ୍ତି। ଭଲକଥା, କିନ୍ତୁ ପ୍ରେରଣାଦାୟୀ ନେତୃତ୍ୱ ଗଢିବାର ସମୟ ଗଡି ଗଡି ଯାଉଛି। ଦୃଢ ବିରୋଧୀ ଦଳର ଅଭାବ ସରକାରଙ୍କୁ ମନମୁଖି ଓ ଏକଚ୍ଛତ୍ରବାଦୀ ଶାସନ ଆଡକୁ ପ୍ରବର୍ତ୍ତାଇବ। ତେଣୁ କଂଗ୍ରେସକୁ ବିରୋଧୀ ଦଳ ହିସାବରେ ଲୋକଙ୍କ ଆଶା ଆକାଂକ୍ଷାକୁ ସମ୍ମାନ ଦେବାର ଅଛି । ଯଦି ଏହି ‘ଗ୍ରାଣ୍ଡ ଓଲ୍ଡ ପାର୍ଟି’କୁ ବଞ୍ଚାଇ ରଖିବାର ଅଛି ତେବେ ସଂକୀର୍ଣ୍ଣ ଆତ୍ମସ୍ବାର୍ଥକୁ ପଛକୁ ଠେଲିଦେଇ ନୀତି ଆଧାରିତ ଏକ ସମନ୍ବିତ ତଥା ସୁସ୍ଥ ଜାତୀୟ ଦଳ ହିସାବରେ ସମୟର ଆହ୍ବାନକୁ ସାମ୍ନା କରିବାକୁ ହେବ।
ଲୋକେ ସବୁବେଳେ ରାଜନୈତିକ ଦଳକୁ ମୂଲ୍ୟାଙ୍କନ କରନ୍ତି। ବିଶ୍ୱାସଯୋଗ୍ୟ ଦଳକୁ ଗାଦିରେ ବସାନ୍ତି। ସେହିଭଳି କେବଳ ଶାସକ ନୁହନ୍ତି, ସମାନ ଭାବେ ବିରୋଧୀ ଦଳ ନେତାଙ୍କୁ ମନେ ରଖିଥାଆନ୍ତି। ଏଲ.କେ. ଆଡ୍‌ଭାନୀ ଓ ସୁଷମା ସ୍ବରାଜଙ୍କ ପରି କିଛି ଚମତ୍କାର ବିରୋଧୀ ଦଳ ନେତାଙ୍କ ନାମ ଆଗକୁ ଆସିଥାଏ । ଏକଦା ଏମାନେ ଦେଶର ସାଧାରଣ ଜନତାଙ୍କ ମୁହଁ ଓ ସ୍ବର ପାଲଟି ଯାଇଥିଲେ । ତେଣୁ, ଅବସାଦଗ୍ରସ୍ତ କଂଗ୍ରେସକୁ ପୁନର୍ଜୀବିତ କରିବାରେ ଦଳର ଆଗଧାଡିର ନେତୃତ୍ୱକୁ ଜଣେ ଯୁବ ପ୍ରେରଣାଦାୟୀ ନେତାଙ୍କୁ ଦଳର ମଙ୍ଗ ଧରାଇବାକୁ ହେବ । କାରଣ ଭାରତୀୟ ଗଣତନ୍ତ୍ର ପାଇଁ ଏକ ବିଭାଜିତ ଓ ଦୁର୍ବଳ ବିରୋଧୀ ଦଳ ଅଧିକ ବିପଜ୍ଜନକ ।

ଶ୍ରୀଜଗନ୍ନାଥ ବିହାର, ବରମୁଣ୍ଡା,ଭୁବନେଶ୍ୱର
ମୋ:୯୪୩୭୧୬୪୬୧୧
Email: saktiprasadd@yahoo.in