ପାର୍ଲାମେଣ୍ଟ ମୌସୁମୀ ଅଧିବେଶନ: ଜିଏସ୍‌ଟି କ୍ଷତି ଭରଣା, କେନ୍ଦ୍ରୀୟ ଅନୁଦାନ ଦାବି କରିବ ବିଜେଡି

ଭୁବନେଶ୍ୱର ୧୩।୯(ବ୍ୟୁରୋ): ସୋମବାରଠାରୁ ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। କୋଭିଡ-୧୯ ମହାମାରୀ ସମୟରେ ରାଜ୍ୟରେ ରାଜସ୍ବ ଆଦାୟ ହ୍ରାସ ପାଇଛି। ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ଦ୍ରବ୍ୟ ଓ ସେବା ଟିକସ(ଜିଏସ୍‌ଟି) କ୍ଷତିପୂରଣକୁ ଭରସା କରିଛନ୍ତି। ଅଧିବେଶନ କାଳରେ ବିଜେଡି ଜିଏସ୍‌ଟି କ୍ଷତି ଭରଣା କରିବା ପାଇଁ ଦାବି କରିବ। ଏଥିସହିତ ରାଜ୍ୟରେ ଚାଲୁ ରହିଥିବା ବିଭିନ୍ନ ରେଳ ଓ ଜାତୀୟ ରାଜପଥ ପ୍ରକଳ୍ପ ଲାଗି ଅନୁଦାନ, ଟେଲିକମ ସେବା ଇତ୍ୟାଦି ପ୍ରସଙ୍ଗକୁ ଦଳ ପକ୍ଷରୁ ଉତ୍ଥାପନ କରାଯିବ ବୋଲି ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ର କହିଛନ୍ତି। ଏହାଛଡା ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କେନ୍ଦ୍ର ଓ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ପାଇଁ ବାକି ରହିଥିବା ଅନୁଦାନ ତୁରନ୍ତ ଦେବା ନେଇ କେନ୍ଦ୍ର ଉପରେ ଚାପ ସୃଷ୍ଟି କରାଯିବ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପାର୍ଲାମେଣ୍ଟ ଅଧିବେଶନ ପୂର୍ବରୁ ପ୍ରତ୍ୟେକ ଥର ବିଜେଡି ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଥାଏ। ତେବେ କରୋନା ଯୋଗୁ ଚଳିତ ଥର ଏହି ବୈଠକ ହୋଇ ନ ଥିବା ସସ୍ମିତ କହିଛନ୍ତି।
ଅନ୍ୟପକ୍ଷରେ ରାଜ୍ୟ ସଭା ଉପାଧ୍ୟକ୍ଷ ଲାଗି ସୋମବାର ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ରାଜ୍ୟ ସଭା ସଦସ୍ୟଙ୍କୁ ଗୃହରେ ଉପସ୍ଥିତ ରହିବା ପାଇଁ ବିଜେଡି ପକ୍ଷରୁ ହ୍ବିପ ଜାରି କରାଯାଇଛି। ଏଠାରେ ସୂଚନାଯୋଗ୍ୟ, ଏନ୍‌ଡିଏ କ୍ଷରୁ ଜେଡି(ୟୁ) ଏମ୍‌ପି ହରିବଂଶ ନାରାୟଣ ସିଂହ ଏବଂ ଆର୍‌ଜେଡି ଏମ୍‌ପି ତଥା ମିଳିତ ବିରୋଧୀ ପ୍ରାର୍ଥୀ ମନୋଜ ଝାଙ୍କୁ ଉପାଧ୍ୟକ୍ଷ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି। ଜେଡି(ୟୁ) ପ୍ରାର୍ଥୀଙ୍କୁ ସମର୍ଥନ ଦେବା ସକାଶେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସେପ୍ଟେମ୍ବର ୧୦ ତାରିଖରେ ଟେଲିଫୋନ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଥିଲେ। ୨୦୧୮ରେ ବିଜେଡି ଏନ୍‌ଡିଏ ସମର୍ଥିତ ପ୍ରାର୍ଥୀ ହରିବଂଶଙ୍କୁ ସମର୍ଥନ କରିଥିଲା। ତେବେ ଚଳିତ ନିର୍ବାଚନରେ ଦଳ କେଉଁ ପ୍ରାର୍ଥୀଙ୍କୁ ସମର୍ଥନ ଦେବ ସେନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ ବୋଲି ସସ୍ମିତ କହିଛନ୍ତି।

Share