Categories: ଜାତୀୟ

ସ୍ତ୍ରୀଙ୍କୁ ଗର୍ଭବତୀ କରାଇବା ପାଇଁ ୧୫ ଦିନ ପାରୋଲ

ଯୋଧପୁର,୧୬।୪: ଗର୍ଭଧାରଣ ଲାଗି ସ୍ତ୍ରୀଙ୍କ ଆବେଦନକ୍ରମେ ରାଜସ୍ଥାନର ଆଜମେର ଜେଲ୍‌ରେ ଆଜୀବନ ସଜା କାଟୁଥିବା ସ୍ବାମୀଙ୍କୁ ଯୋଧପୁର ହାଇକୋର୍ଟ ୧୫ ଦିନିଆ ପାରୋଲରେ ଯିବା ଲାଗି ଅନୁମତି ଦେଇଛନ୍ତି। ସନ୍ତାନ ଜନ୍ମ କରିବା ଅଧିକାର ସାବ୍ୟସ୍ତ କରିବା ଲାଗି ରେଖା ନାମ୍ନୀ ମହିଳା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ସ୍ବାମୀ ନନ୍ଦଲାଲ୍‌ (୩୪)ଙ୍କୁ ପାରୋଲରେ ଛାଡ଼ିବା ପାଇଁ ନିବେଦନ କରିଥିଲେ। ମହିଳା ଜଣକ ଯେପରି ମାଆ ହୋଇପାରିବେ, ସେଥିପାଇଁ ବନ୍ଦୀଙ୍କୁ ୧୫ ଦିନ ପାରୋଲରେ ଛାଡ଼ିବା ନିମନ୍ତେ ଉଚ୍ଚ ଅଦାଲତ ଜେଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ବାମୀ ଜେଲରେ ରହିବା ଫଳରେ ସ୍ତ୍ରୀଙ୍କ ଯୌନ ତଥା ଭାବନାତ୍ମକ ଆବଶ୍ୟକତା ପ୍ରଭାବିତ ହେଉଥିବା ଜଷ୍ଟିସ ସନ୍ଦୀପ ମେହେଟ୍ଟା ଏବଂ ଫରଜନ୍ଦ ଅଲିଙ୍କ ଖଣ୍ଡପୀଠ ସ୍ବୀକାର କରିଥିଲେ। ପାରୋଲ ପ୍ରଦାନ କରିବା ପାଇଁ ଖଣ୍ଡପୀଠ ଋଗ୍‌ ବେଦ ଆଦି ହିନ୍ଦୁ ଧର୍ମଶାସ୍ତ୍ର, ଇହୁଦୀ, ଖ୍ରୀଷ୍ଟିଆନ ଏବଂ ଇସ୍‌ଲାମ ଧର୍ମଗ୍ରନ୍ଥରେ ରହିଥିବା ସିଦ୍ଧାନ୍ତଗୁଡ଼ିକର ଉଦାହରଣ ଦେଇଥିଲେ। ୧୬ଟି ସଂସ୍କାର ମଧ୍ୟରୁ ଗର୍ଭଧାରଣ କରିବା ପ୍ରଥମ ଏବଂ ଏହା ମହିଳାଙ୍କ ଅଧିକାରୀ ବୋଲି ଅଦାଲତ କହିଥିଲେ। ବଂଶରକ୍ଷା ଲାଗି ଗର୍ଭଧାରଣ କରିବାକୁ ଧର୍ମୀୟ ଦର୍ଶନ, ଭାରତୀୟ ସଂସ୍କୃତି ଓ ବିଭିନ୍ନ ଅଦାଲତ ରାୟରେ ସ୍ବୀକୃତି ଦିଆଯାଇଛି। ଏହା ବ୍ୟତୀତ ପାରୋଲରେ ଜଣେ ଅପରାଧୀଙ୍କୁ ଛାଡ଼ିବା ଉଦ୍ଦେଶ୍ୟ ହେଉଛି ମୁକ୍ତ ହେବା ପରେ ଶାନ୍ତିପୂର୍ଣ୍ଣ ଭାବେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ଲାଗି ସୁଯୋଗ ଦେବା। ଜଣେ ବନ୍ଦୀଙ୍କ ସ୍ତ୍ରୀଙ୍କର ସନ୍ତାନ ଜନ୍ମ କରିବା ଅଧିକାର ରହିଛି। ସେ କୌଣସି ଅପରାଧ କରିନାହାନ୍ତି କିମ୍ବା ତାଙ୍କୁ କୌଣସି ଦଣ୍ଡ ବିଧାନ କରାଯାଇନାହିଁ। ତେଣୁ ଗର୍ଭଧାରଣ କରିବା ଉଦ୍ଦେଶ୍ୟରେ ସ୍ତ୍ରୀଙ୍କ ସହ ମିଶିବା ଲାଗି ବନ୍ଦୀ ସ୍ବାମୀଙ୍କୁ ସୁଯୋଗ ନ ଦେବା ସ୍ତ୍ରୀଙ୍କ ଅଧିକାରକୁ ପ୍ରଭାବିତ କରିବ ବୋଲି ଖଣ୍ଡପୀଠ କହିଥିଲେ।

Share