Categories: ଜାତୀୟ

ଆଜୀବନ କାରାଦଣ୍ଡ ଭୋଗୁଥିବା ଦମ୍ପତିଙ୍କ ଆଇଭିଏଫ ପାଇଁ ପାରୋଲ ଆବେଦନ: ସହାନୁଭୂତି ପୂର୍ବକ ବିଚାର ଲାଗି ହାଇକୋର୍ଟଙ୍କୁ କହିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୪।୨ : ରାଜସ୍ଥାନ ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦମ୍ପତି ସନ୍ତାନ ଜନ୍ମ ପାଇଁ ଆଇଭିଏଫ କରିବା ପାଇଁ ପାରୋଲ ମାଗିଛନ୍ତି। ଏ ସମ୍ପର୍କରେ ଏହି ଦମ୍ପତି ରାଜସ୍ଥାନ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ହାଇକୋର୍ଟ ଦମ୍ପତିଙ୍କ ଏହି ଆବେଦନକୁ ଖାରଜ କରି ଦେଇଥିଲେ।ଏହି ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ରାଜସ୍ଥାନ କର୍ତ୍ତୃପକ୍ଷଙ୍କୁ ଦମ୍ପତିଙ୍କ ପାରୋଲକୁ ସହାନୁଭୂତି ସହ ବିଚାର କରିବାକୁ କହିଛନ୍ତି।

ଜଷ୍ଟିସ ସୂର୍ଯ୍ୟ କାନ୍ତ ଏବଂ ଜେ.କେ ମାହେଶ୍ୱରୀଙ୍କର ନେତୃତ୍ୱରେ ଗଠିତ ଏକ ଖଣ୍ଡପୀଠ କହିଛନ୍ତି ଯେ, ଆବେଦନକାରୀ ମହିଳାଙ୍କର ପରୋଲ ଅଧିକାର ରହିଛି। କାରଣ ୪୫ ବର୍ଷୀୟା ମହିଳା ଗର୍ଭବତୀ ହେବା ପାଇଁ ଚିକିତ୍ସା ଆବଶ୍ୟକ କରିଥାନ୍ତି। ଆବେଦନକାରୀମାନେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି ଏବଂ ବର୍ତ୍ତମାନ ଜୟପୁରର ଦୁର୍ଗାପୁରା, ଓପନ ଏୟାର କ୍ୟାମ୍ପରେ ରହିଛନ୍ତି। ଯେଉଁଠାରେ ସେମାନେ କ୍ୱାର୍ଟରରେ ଏକାଠି ରହୁଛନ୍ତି। ତେବେ ମହିଳା ଉଦୟପୁରର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାରୁ ଅଧିକାରୀମାନେ ଦୁହିଁଙ୍କୁ ସେଠାରେ ଥିବା ଏକ ଜେଲକୁ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତ ଅଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଏହି ଦମ୍ପତିଙ୍କ ପାରୋଲ ଆବେଦନକୁ ଅନୁମତି ଦେବାକୁ କହିଛନ୍ତି। ସହାନୁଭୂତି ସହ ବିଚାର କରିବାକୁ ଶୀର୍ଷକୋର୍ଟ ଅଧିକାରୀମାନଙ୍କୁ କହିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି ଏହି ମାମଲାରେ କୌଣସି ଆଇନଗତ ପ୍ରତିବନ୍ଧକ ନ ଥାଏ, ତେବେ ଦମ୍ପତିଙ୍କୁ ପାରୋଲ ଦିଆଯାଉ।

ଏହାପୂର୍ବରୁ ହାଇକୋର୍ଟ ତାଙ୍କ ଆଦେଶରେ କହିଥିଲେ ଯେ ମହିଳାଙ୍କ ପୂର୍ବ ବିବାହରୁ ଦୁଇଟି ସନ୍ତାନ ଅଛନ୍ତି ଏବଂ ଆବେଦନକାରୀମାନେ ପାରୋଲରେ ଥିବାବେଳେ ବିବାହ କରିଥିଲେ। ହାଇକୋର୍ଟ କହିଛନ୍ତି ଯେ ନିୟମ ଅନୁଯାୟୀ କେବଳ ମାନବିକ ବିଚାର ସହ ଜଡିତ ଜରୁରୀକାଳୀନ ମାମଲାରେ କାଜୁଆଲ ପାରୋଲ ପ୍ରଦାନ କରାଯାଇପାରିବ। ହାଇକୋର୍ଟ କହିଥିଲେ ଯେ ଯେହେତୁ ମହିଳାଙ୍କ ପୂର୍ବରୁ ଦୁଇଟି ସନ୍ତାନ ଅଛନ୍ତି, ପାରୋଲକୁ ଆଇଭିଏଫ ମାଧ୍ୟମରେ ସନ୍ତାନ ପ୍ରସବ ପାଇଁ ଏକ ଜରୁରୀକାଳୀନ ପରିସ୍ଥିତି ଭାବରେ ଗ୍ରହଣ କରାଯାଇପାରିବ ନାହିଁ।

Share